କେନ୍ଦ୍ରାପଡ଼ା, ୧୮/୦୮/୨୦୨୬ (ଓଡ଼ିଶା ସମାଚାର)- ଡେରାବିଶ ବିଡିଓ ନମିତା ବାରିକ ଓ ପାଟକୁରାର ବିଜେପି ନେତା ଉମାକାନ୍ତ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଉଚ୍ଚବାଚକୁ ନେଇ ଯେଉଁ କେତେକ ବ୍ୟକ୍ତି ଭିନ୍ନରଙ୍ଗ ଦେଇଛନ୍ତି ,ତାହାର ନିରପେକ୍ଷ ତଦନ୍ତ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଦୁହୁରିଆସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ତାଙ୍କର ବିଡିଓଙ୍କ ସହିତ କୌଣସି ପ୍ରକାର ଉଚ୍ଚବାଚ ହୋଇନଥିଲା ।
ଏହି ଘଟଣାକୁ ରାଜନୈତିକ ରଙ୍ଗ ଦିଆଯାଉଛି ।ପାଟକୁରା ନିର୍ବାଚନ ମଣ୍ଡଳୀରେ ତାଙ୍କ ଲୋକପ୍ରିୟତାରେ ଆଞ୍ଚ ଆଣିବା ପାଇଁ କେତେକ ନେତା ଏହିଭଳି ଷଡଯନ୍ତ୍ର ରଚନା କରିଛନ୍ତି । ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କ ଅଫିସକୁ ଯାଇଥିଲେ । ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସୁଛି ତାହାର ବାସ୍ତବ ଚିତ୍ର ସି.ସି. ଟିଭିରେ କଏଦ ହୋଇରହିଛି । ତେଣୁ ପ୍ରଥମେ ସି.ସି. ଟିଭି ଯାଞ୍ଚକରାଯାଇ ସେହି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରାଯାଉ । ଶ୍ରୀ ପଟ୍ଟନାୟକ କହିଥିଲେ ଗତ ଅଗଷ୍ଟ ୧୪ ତାରିଖରେ ଡେରାବିଶ ବ୍ଳକ ବିଡ଼ିଓଙ୍କ ଅଫିସରେ ବିଡ଼ିଓଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ଯାଇଥିଲେ ।
ସାଧାରଣ ଲୋକଙ୍କ ସମସ୍ୟା, ଯଥା ପି.ଏମ୍ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତା, ରାସନ୍ କାର୍ଡ, ବିଜିବିଓ ପ୍ରକଳ୍ପ, ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ କିଛି ପି.ଇ.ଓ ଙ୍କ ବଦଳି ଓ କିଛି ଦୁର୍ନୀତି ସମ୍ବନ୍ଧୀୟ ସମସ୍ୟା ଉପସ୍ଥାପନ କରିଥିଲେ । ତାଙ୍କ ସହ ଦଳର କିଛି କାର୍ଯ୍ୟକର୍ତା ଓ ୩ ଜଣ ମଣ୍ଡଳ ସଭାପତି ଥିଲେ । ଏଥିପାଇଁ ବିଡ଼ିଓଙ୍କ ଠାରୁ ପୂର୍ବରୁ ସମୟ ମଧ୍ୟ ନେଇଥିଲେ । କେତେକ ପଞ୍ଚାୟତରେ ବାରମ୍ବାର ପିଇଓଙ୍କୁ ବଦଳି କରାଗଲେ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୁଏ ବୋଲି ଜିଲାପାଳ ଯେଉଁ ୩ ବର୍ଷ ଅବଧି କରିଛନ୍ତି, ତା ବାହାରେ କିପରି ବେଣିପୁର, ଇନ୍ଦାଳୋ ଓ କାଉପଡା ପିଇଓ ମାନଙ୍କୁ ବଦଳି କରାଗଲା ବୋଲି ପଚାରିଥିଲେ । ଏହା ଛଡା ବ୍ଳକରେ ଓ ପଞ୍ଚାୟତରେ ଏକାଧିକ ଦୁର୍ନୀତି ହୋଇଛି ଯାହା ବିଷୟରେ ବିଡିଓ ଅବଗତ ଅଛନ୍ତି ଓ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ବିଡିଓଙ୍କୁ ଅନୁରୋଧ କରିଥିଲେ । ଏହି ଆଲୋଚନା ବେଳେ କେବଳ ଏବିଡ଼ିଓ ମୃଣ୍ମୟ ରାଉତ ଥିଲେ ଓ ଅନ୍ୟ କୌଣସି କର୍ମଚାରୀ ନଥିଲେ ।
ଆଲୋଚନା ବେଳେ କୌଣସି ଗାଳି, ଗୁଲଜ ବା ଅଶାଳୀନ ଭାଷା ପ୍ରୟୋଗ କରାଯାଇ ନାହିଁ ଯାହାକି କୌଣସି ନାରୀଙ୍କ ପଦ ମର୍ଯ୍ୟାଦା ବା ଆତ୍ମ ସମ୍ମାନକୁ ବାଧା ଦେବ ବା ମାନସିକ ଯନ୍ତ୍ରଣା ଦେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଯଦି ମୁଁ ବିଡିଓଙ୍କୁ ର୍ଦୁବ୍ୟବହାର କରିଛି ତେବେ ନିଜେ ବିଡିଓ ଏତଲା ନଦେଇ କର୍ମଚାରୀଙ୍କ ଦ୍ୱାରା ଏତଲା ଦେବା କେତେଦୂର ସମୀଚିନ ତାହାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ବ୍ଲକରେ ସରକାରଙ୍କ ବିଭିନ୍ୱ ଯୋଜନାରେ ହୋଇଥିବା ଦୁର୍ନୀତିର ସେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଶ୍ରୀ ପଟ୍ଟନାୟକଙ୍କ ସହିତ ଛୋଟୀ ମଣ୍ଡଳ ଉପସଭାପତି ପ୍ରେମ କୁମାର ମହାନ୍ତି ଓ ପ୍ରିୟରଞ୍ଜନ ଦାସ ଉପସ୍ଥିତ ଥିଲେ ।
