ଯାଜପୁର, ୧୮/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଏବଂ ୟୁନିସେଫ୍ (UNICEF), ଓଡ଼ିଶାର ଯୌଥ ଆନୁକୂଲ୍ୟରେ “ଓଡ଼ିଶାରେ ପରିବାରଭିତ୍ତିକ ଯତ୍ନ ଏବଂ ଶିଶୁମାନଙ୍କ ପରିବାରଠାରୁ ବିଚ୍ଛିନ୍ନତା ନିବାରଣ” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସ୍ତରୀୟ ପରାମର୍ଶ ବୈଠକ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କ ଅଧିକାର ସୁରକ୍ଷିତ ରଖିବା ସହ ସେମାନଙ୍କୁ ଆଶ୍ରମ କିମ୍ବା ଅନୁଷ୍ଠାନ ଅପେକ୍ଷା ନିଜ ପରିବାର ଓ ସାମାଜିକ ପରିବେଶ ମଧ୍ୟରେ ସୁରକ୍ଷିତ ଭାବେ ବଢ଼ିବାର ସୁଯୋଗ ସୃଷ୍ଟି କରିବା।
ଏହି ସମ୍ମିଳନୀରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରୋ , ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)ର ସଚିବ ଲିପି ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାଏକ ଏବଂ ୟୁନିସେଫ୍ ପ୍ରତିନିଧି ଘାସିରାମ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଉକ୍ତ ବୈଠକରେ ଯୋଗଦେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର କହିଲେ ଶିଶୁର ସର୍ବାଙ୍ଗୀନ ବିକାଶ ଓ ମାନସିକ ସୁରକ୍ଷା ପାଇଁ ଗୋଟିଏ ପରିବାରର ସ୍ନେହ ଓ ଶ୍ରଦ୍ଧା ଅପରିହାର୍ଯ୍ୟ। କୌଣସି ଅନାଥ ଆଶ୍ରମ କିମ୍ବା ଅନୁଷ୍ଠାନ ଗୋଟିଏ ପରିବାରର ବିକଳ୍ପ ହୋଇପାରିବ ନାହିଁ। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି କୌଣସି ବି ଶିଶୁ ଯେପରି ଗରିବୀ, ଆର୍ଥିକ ଅଭାବ କିମ୍ବା ସାମାଜିକ ସମସ୍ୟା ଯୋଗୁଁ ନିଜ ପରିବାରଠାରୁ ବିଚ୍ଛିନ୍ନ ନ ହୁଅନ୍ତି। ଫୋଷ୍ଟର କେୟାର (Foster Care) ଏବଂ ପୃଷ୍ଠପୋଷାକତା ସହାୟତା (Sponsorship) ମାଧ୍ୟମରେ ପ୍ରତ୍ୟେକ ବିପନ୍ନ ଶିଶୁଙ୍କୁ ପରିବାର ପରିବେଶ ମଧ୍ୟରେ ବଢ଼ିବାର ସୁଯୋଗ ଯୋଗାଇ ଦିଆଯିବ।
ଉକ୍ତ ବୈଠକରେ ଯୋଗଦେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ଖୁଣ୍ଟିଆ କହିଲେ
“ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବାକୁ ହେବ। ଗ୍ରାମାଞ୍ଚଳରେ ଥିବା ଶିଶୁ ସୁରକ୍ଷା କମିଟିଗୁଡ଼ିକୁ ସକ୍ରିୟ କରାଯିବା ସହ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଏବଂ ବାଲ୍ୟବିବାହ ଭଳି କୁପ୍ରଥା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ।ପରିବାର ହେଉଛି ଶିଶୁ ସୁରକ୍ଷା ଓ ବିକାଶ ର ମୁଖ୍ୟ କେନ୍ଦ୍ରବିନ୍ଦୁ” ଚାବିକାଠି..୪ଟି ଜିଲ୍ଲାର କର୍ମକର୍ତ୍ତାମାନେ ସମନ୍ୱୟ ରଖି କାର୍ଯ୍ୟ କଲେ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ସମାଜ ଗଢ଼ାଯାଇପାରିବ।”
ଉକ୍ତ ବୈଠକରେ ଯୋଗଦେଇ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA), ଲିପା ମହାନ୍ତି କହିଲେ ଆଇନଗତ ସୁରକ୍ଷା ଓ ଅଧିକାର ପାଇବାରେ କୌଣସି ବି ଶିଶୁ ଯେପରି ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ସଦାସର୍ବଦା ପ୍ରସ୍ତୁତ ରହିଛି। ଅନେକ ସମୟରେ ପାରିବାରିକ ଆର୍ଥିକ ଅନାଟନ, ସାମାଜିକ ସଂକଟ କିମ୍ବା ଶୋଷଣର ଶିକାର ହୋଇ ଶିଶୁମାନେ ନିଜ ପରିବାରଠାରୁ ଅଲଗା ହୋଇଯାଆନ୍ତି। ଏହିଭଳି ସଂକଟାପନ୍ନ ସ୍ଥିତିରେ ଥିବା ଶିଶୁ ଓ ସେମାନଙ୍କ ପରିବାରକୁ ତୁରନ୍ତ ମାଗଣା ଆଇନଗତ ସହାୟତା, ଆଇନଗତ ପରାମର୍ଶ ଏବଂ ନ୍ୟାୟ ଯୋଗାଇଦେବା ଆମର ପ୍ରାଥମିକ ଦାୟିତ୍ୱ। ଏହାଛଡ଼ା, ବାଲ୍ୟବିବାହ, ଶିଶୁ ଶ୍ରମିକ ଏବଂ ଶିଶୁ ଚାଲାଣ ଭଳି ଅପରାଧ ରୋକିବା ପାଇଁ DLSA ପକ୍ଷରୁ ସମାଜର ତୃଣମୂଳ ସ୍ତରରେ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି।”
ଉକ୍ତ ବୈଠକରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଯୁଧିଷ୍ଠିର ନାଏକ କହିଲେ
“ଯାଜପୁର ଜିଲ୍ଲାରେ ଏହି ଆଞ୍ଚଳିକ ବୈଠକ ଆୟୋଜିତ ହୋଇଥିବାରୁ ଆମେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ୟୁନିସେଫ୍କୁ ଧନ୍ୟବାଦ ଜଣାଉଛୁ। ଜିଲ୍ଲା ପ୍ରଶାସନ ଶିଶୁମାନଙ୍କ ସୁରକ୍ଷା ଓ ଅଧିକାର ନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ପରିବାର ସଶକ୍ତିକରଣ ଏବଂ ସୁଦୃଢ଼ୀକରଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ବିଭିନ୍ନ ଯୋଜନାରେ ପରିବାରକୁ ଅନ୍ତର୍ଭୁକ୍ତ କଲେ ଯାଇ ଶିଶୁ ସୁରକ୍ଷା ସୁନିଶ୍ଚିତ କରିପାରିବା. ଶିଶୁ ସୁରକ୍ଷା ଯୋଜନାଗୁଡ଼ିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍କୁ ଅଧିକ କ୍ରିୟାଶୀଳ କରାଯିବ।”
ଉକ୍ତ ବୈଠକରେ ଯୋଗଦେଇ ୟୁନିସେଫ୍ (UNICEF) ପ୍ରତିନିଧି ଶ୍ରୀ ଘାସିରାମ ପଣ୍ଡା କହିଲେ “ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ୟୁନିସେଫ୍ ସବୁବେଳେ ରାଜ୍ୟ ସରକାର ଓ ଆୟୋଗଙ୍କ ସହ ମିଶି କାର୍ଯ୍ୟ କରିଆସୁଛି। ଆମର ପ୍ରାଥମିକତା ହେଉଛି ଶିଶୁମାନଙ୍କୁ ଅନୁଷ୍ଠାନଗତ ଯତ୍ନରୁ ମୁକ୍ତ କରି ପାରିବାରିକ ଯତ୍ନ ମଧ୍ୟରେ ଆଣିବା(De-institutionalization)। ଏହି ଆଞ୍ଚଳିକ ପରାମର୍ଶ ବୈଠକ ମାଧ୍ୟମରେ ୪ଟି ଜିଲ୍ଲାର ଅଧିକାରୀମାନଙ୍କୁ ସଚେତନ କରାଯିବା ସହ ଶିଶୁ ସୁରକ୍ଷା କ୍ଷେତ୍ରରେ ନୂତନ କୌଶଳ ଓ ନୀତି କାର୍ଯ୍ୟକାରୀ କରାଯାଉଛି।”
ବୈଠକରେ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ—ଏହି ୪ଟି ଜିଲ୍ଲାରୁ ଆସିଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU)ର କର୍ମକର୍ତ୍ତା, ଶିଶୁ ମଙ୍ଗଳ କମିଟି (CWC)ର ସଦସ୍ୟ ଏବଂ ଆଇନ ବିଶେଷଜ୍ଞମାନେ ବ୍ୟାପକ ଆଲୋଚନାରେ ଭାଗ ନେଇଥିଲେ। ଆଲୋଚନା ପ୍ରସଙ୍ଗରେ ବକ୍ତାମାନେ ମତ ରଖିଥିଲେ ଯେ, କୌଣସି ବି ଶିଶୁ ପାଇଁ ସେମାନଙ୍କ ପରିବାର ହିଁ ସବୁଠାରୁ ସୁରକ୍ଷିତ ଓ ଶ୍ରେଷ୍ଠ ସ୍ଥାନ। ଶିଶୁଟିଏ ଯେପରି ଗରିବୀ, ଅଭାବ କିମ୍ବା ସାମାଜିକ ସମସ୍ୟା ଯୋଗୁଁ ନିଜ ପରିବାରଠାରୁ ବିଚ୍ଛିନ୍ନ ନ ହୁଏ, ସେଥିପାଇଁ ବିଭିନ୍ନ ସରକାରୀ ଯୋଜନା ଓ ସାମାଜିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଆହ୍ୱାନ ଦିଆଯାଇଥିଲା। ଅନାଥ କିମ୍ବା ଅସହାୟ ଶିଶୁଙ୍କ ପାଇଁ ଫୋଷ୍ଟର କେୟାର (Foster Care) ଓ ପ୍ରାୟୋଜିତ ସହାୟତା (Sponsorship) ପରି ପରିବାରଭିତ୍ତିକ ଯତ୍ନ ପ୍ରକ୍ରିୟାକୁ ଆଗକୁ ନେବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର , ଯାଜପୁର, ଦିବ୍ୟାଭୂଷଣ ମହାନ୍ତି ଅଧକ୍ଷ, ଶିଶୁ ମଙ୍ଗଳ କମିଟି, ଯଜପୁର, Unicef ପରାମର୍ଶଦାତା ଅଙ୍କିତ କୁମାର କେଶରୀ, ହୋ୍ପ ଓ ହୋମ ର ଜାତୀୟ ପ୍ରମୁଖ ସଚିନ କୁମାର, unicef ର ଶକୁନ୍ତଳା ଦାସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଯାଜପୁର ର ତପନ କୁମାର ପତ୍ର ଓ ଅର୍ଚ୍ଚନା କୁମାରୀ ସାମନ୍ତ, ସରୋଜ କୁମାର ସାହୁ, କାଳୀ ପ୍ରସାଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
