ଯାଜପୁର,୧୮/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗୁରୁତର ରହିଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ୧୦ଟି ବ୍ଲକ୍ର ୧୧୭ଟି ଗ୍ରାମ ପଞ୍ଚାୟତ/ସହରାଞ୍ଚଳ ଏବଂ ୩୪୫ଟି ଗାଁର ପ୍ରାୟ ୩ ଲକ୍ଷ ୯୮ ହଜାରରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବିଶେଷକରି ଦଶରଥପୁର ଓ ବରୀ ବ୍ଲକ୍ର ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି।
ତରପଦା ପଞ୍ଚାୟତର ପାଟଣା ଗାଁ ନିକଟରେ କାଣୀ ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧରେ ହୋଇଥିବା ଘାଇ ଏବଂ ଜରୀ ପଞ୍ଚାୟତର ନଉବାଙ୍କ ନିକଟରେ ବୈତରଣୀ ନଦୀର ଘାଇ ଦେଇ ବନ୍ୟା ଜଳ ଗ୍ରାମାଞ୍ଚଳକୁ ପ୍ରବେଶ କରୁଛି। ଏହା ଯୋଗୁଁ ପ୍ରାୟ ୯୭,୫୫୫ ଜଣ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ୮ଟି ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଏଥିସହିତ ୬୮ଟି ରାସ୍ତା ଓ ପୋଲ ବନ୍ୟା ଜଳରେ ବୁଡ଼ି ରହିଥିବାରୁ ଗମନାଗମନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧,୧୪,୬୯୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ୩୧୧ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେମାନଙ୍କ ପାଇଁ ୨୮୮ଟି ମାଗଣା କିଚେନ୍ ସେଣ୍ଟର ମାଧ୍ୟମରେ ୧.୧୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ରିଲିଫ୍ ସାମଗ୍ରୀ ଭାବେ ୧୦୦ କ୍ୱିଣ୍ଟାଲ ଚୁଡ଼ା, ୧୦ କ୍ୱିଣ୍ଟାଲ ଗୁଡ଼ ଓ ୨୮୦ ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୩ଟି ଓଡ୍ରାଫ୍ ଟିମ୍, ୨ଟି NDRF ଟିମ୍, ୧୨ଟି ଅଗ୍ନିଶମ ସେବା ଟିମ୍ ଏବଂ ୧୪ଟି ମୋଟର ବୋଟ୍ ନିୟୋଜିତ କରାଯାଇଛି।
ବନ୍ୟା ଯୋଗୁଁ ଜିଲ୍ଲାର ୧୮,୬୪୨ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ବେଳେ ୧.୫୮ ଲକ୍ଷରୁ ଊର୍ଦ୍ଧ୍ୱ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି। ପ୍ରାଣୀସେବା ପାଇଁ ୧୨ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଦଳ ନିୟୋଜିତ ହୋଇ ଏପର୍ଯ୍ୟନ୍ତ ୬୮୦ଟି ପଶୁଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।
ବନ୍ୟାରେ ୨,୬୭୪ଟି ଟ୍ୟୁବୱେଲ୍ ଓ ୧୮ଟି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଭାବିତ ହୋଇଥିବାରୁ ପ୍ରଶାସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ମୋବାଇଲ୍ ମେଡିକାଲ୍ ଟିମ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନକୁ ପ୍ରାଥମିକତା ଦିଆଯାଉଛି। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଦ୍ୱାରା ୨୪ ଘଣ୍ଟିଆ ସ୍ଥିତି ଅନୁଧ୍ୟାନ କରାଯାଉଛି।
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଆଜି ଅପରାହ୍ନରେ ଦଶରଥପୁର ବ୍ଲକ୍ର ଡୋଭାବିଲ, କମଳପୁର ସମେତ ଅନ୍ୟାନ୍ୟ ବନ୍ୟା ପ୍ରଭାବିତ ଗ୍ରାମ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ସେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଗୋଖାଦ୍ୟ, ପଲିଥିନ୍ ଏବଂ ସ୍ୱାସ୍ଥ୍ୟସେବା ଯୋଗାଣର ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ସେବା ନିରବଚ୍ଛିନ୍ନ ଭାବେ ଯୋଗାଇବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଅଶୋକ କୁମାର ବେହେରା ଜିଲ୍ଲା ନିୟନ୍ତ୍ରଣ କକ୍ଷ ପରିଚାଳନା କରୁଛନ୍ତି।
ବନ୍ୟା ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକ ସେବା ଯୋଗାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ସ୍ଥାନାନ୍ତର, ରିଲିଫ୍ ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
