ରାସ୍ତା ଅବରୋଧ – ପାଣିରେ ପସି ଯାଉଛନ୍ତି କୋମଳମତି ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୮/୦୮/୨୦୨୬( ଓଡିଶା ସମାଚାର / ଅଭୟ ଜେନା )ରାସ୍ତା କୁ ଜବରଦଖଲ ରେ ରଖିଥିବା ହେତୁ ମୁଖ୍ୟ ରାସ୍ତା କୁ ଯିବାପାଇଁ ପାଣିରେ ପସି ଯିବାକୁ ପଡୁଛି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ କାକୁଡିଆପଦା ଗାଁ ରେ । ଏହି ଗ୍ରାମ ର ପ୍ରତିମା ବାରିକ ଏବଂ ତାଙ୍କ ପରିବାର ଆଜକୁ ପ୍ରାୟ ତିନି ବର୍ଷ ହେଲା ଏଭଳି ବର୍ଷା ଦିନେ ମୁଖ୍ୟ ରାସ୍ତା କୁ ଯିବାକୁ ହେଲେ ପାଣିରେ ପସି ଯିବାକୁ ପଡୁଛି। ଅତ୍ୟଧିକ ବର୍ଷା ହେଲେ ବହି ବସ୍ତାନି ରେ ଡୋରି ବନ୍ଧା ହୋଇ ଘରେ ରହୁଛନ୍ତି କୋମଳମତି ଛାତ୍ରଛାତ୍ରୀମାନେ।
ସୂଚନା ମୁତାବକ,ପ୍ରତିମା ଙ୍କ ଘର ନିକଟକୁ ଯାଇଥିବା ବେଣୀରାମପୁର ମାଇନର କେନାଲ ବନ୍ଧ ଜଳ ସଂପଦ ବିଭାଗର ରାସ୍ତା ଟି, ମୂଖ୍ୟ ରାସ୍ତା କୁ ସଂଯୋଗ ର ଏକମାତ୍ର ରାସ୍ତା ଥିଲା। ହେଲେ ୩/୪ ବର୍ଷ ହେବ ଏହି କେନାଲ ବନ୍ଧ ରାସ୍ତା କୁ କିଛି ବ୍ୟକ୍ତି ଜବରଦଖଲ କରି ବାଡ଼ ବନ୍ଦୀ କରିଦେବାରୁ ଏହି ରାସ୍ତା ଟି ଏବେ ଗମନାଗମନ ପାଇଁ ବାଧାସୃଷ୍ଟି ହୋଇଛି। ଏଥିପାଇଁ ପ୍ରତିମା ନିଶ୍ଚିନ୍ତକୋଇଲି ତହସିଲଦାର ଙ୍କୁ ଆରମ୍ଭ କରି କଟକ ସବ୍ କଲେକ୍ଟର ଙ୍କ ପର୍ୟ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ ଜବରଦଖଲ ଉଚ୍ଛେଦ ହୋଇନାହିଁ। ଅନ୍ୟ ପଟେ ଜବରଦଖଲ କରିଥିବା ବ୍ୟକ୍ତି ଙ୍କୁ ଏ ବାବଦରେ ପଚାରିବାରୁ,ସେ କିଛି କହିନଥିଲେ ମଧ୍ୟ କହିଲେ ଆମ ଜମିର ସୁରକ୍ଷା ପାଇଁ ଆମେ ମାନ୍ୟବର କୋର୍ଟ ଙ୍କ ଦ୍ବାରସ୍ଥ ହୋଇଛୁ।

ଏପଟେ ନିଶ୍ଚିନ୍ତକୋଇଲି ତହସିଲଦାର ଙ୍କୁ ପଚାରିବାରୁ ସେ ମଧ୍ୟ କିଛି କହିବାକୁ ମନା କରିଥିଲେ । ଆଉ ଛାତ୍ରଛାତ୍ରୀ ମାନେ ପାଣିରେ ପସି ଯିବା ଆସିବା କରୁଛନ୍ତି । ମାନ୍ୟବର କୋର୍ଟ ପ୍ରତିବାଦୀ ଙ୍କୁ ଦେଇଥିବା ସମୟ ଅବଧି ଶେଷ ହୋଇଥିଲେ ମଧ୍ୟ ନିଶ୍ଚିନ୍ତକୋଇଲି ତହସିଲ ଜବରଦଖଲ କୁ ଏ ପର୍ୟ୍ୟନ୍ତ କାହିଁକି ଉଛେଦ କରୁନାହିଁ, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏପଟେ ଏଭଳି ପାଣିରେ ପସି ବିଦ୍ୟାଳୟ ଯାଉଥିବା ଛୋଟ ଛୋଟ ପିଲା ମାନଙ୍କର ଜୀବନ ସୁରକ୍ଷା କୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଜବରଦଖଲ ରେ ଥିବା ଜଳ ସଂପଦ ବିଭାଗର କେନାଲ ବନ୍ଧ ରାସ୍ତା ରୁ କେବେ ଜବର ଦଖଲ ଉଛେଦ ହେବ ତାକୁ ହିଁ ପ୍ରତିମା ଏବଂ ତାଙ୍କ ପରିବାର ଙ୍କର ଅପେକ୍ଷା ।

Leave a Reply

Your email address will not be published. Required fields are marked *