ଡିପିଏସ୍ କଳିଙ୍ଗରେ ଇଣ୍ଡିଆନ୍ ଆଇଡଲ୍ ବିଜୟିନୀ ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧନା

କଟକ, ୧୪/୦୮/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍-୧୬ର ବିଜୟିନୀ ଜ୍ୟୋତିର୍ମୟୀ ନାୟକଙ୍କୁ ଡିପିଏସ୍ କଳିଙ୍ଗ ପରିସରରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଜ୍ୟୋତିର୍ମୟୀ ଡିପିଏସ୍ କଳିଙ୍ଗର ପୂର୍ବତନ ଛାତ୍ରୀ ଅଟନ୍ତି। ସେ ୨୦୧୯ ମସିହାରେ ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କୁ ଏକ ସୁସଜ୍ଜିତ ରଥରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଭା ସ୍ଥଳକୁ ପାଛୋଟି ଆଣିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ପ୍ରୋ-ଭାଇସ୍ ଚେୟାରପର୍ସନ ଶ୍ରୀମତୀ ମାଲା ମିଶ୍ର, କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ସୁନୟନା ପାତ୍ରୋ, ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭବ୍ରତ ମୁଖାର୍ଜୀ, ଉପାଧ୍ୟକ୍ଷ ସଞ୍ଜୟ କୁମାର ଜେନା, ଉପାଧ୍ୟକ୍ଷା ସ୍ୱାତୀ ନାଥ ଏବଂ ସମସ୍ତ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଜ୍ୟୋତିର୍ମୟୀଙ୍କୁ ବିଦ୍ୟାଳୟ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯିବା ସଂଗେ ସଂଗେ ଟ୍ରଫି ଏବଂ ଅଙ୍ଗ ବସ୍ତ୍ର ଦେଇ ପୁରୁଣା ସ୍ମୃତିକୁ ରୋମନ୍ଥନ କରି ସମ୍ବର୍ନ୍ଧିତ କରାଯାଇଥିଲା ।

ଏହି ଅବସରରେ ଜ୍ୟୋତିର୍ମୟୀ ତାଙ୍କର ବିଦ୍ୟାଳୟ କିପରି ତାଙ୍କ ସଂଗୀତ ଜୀବନର ଶୁଭାରମ୍ଭ କରାଇଥିଲା ଏବଂ ପଠନ ତଥା ସଂଗୀତ ପରିବେଷଣ ମଧ୍ୟରେ ସମନ୍ବୟ ରକ୍ଷା କରିବାରେ ସହାୟକ ହୋଇଥିଲା ତାହା ପ୍ରକାଶ କରିଥିଲେ । ଜ୍ୟୋତିର୍ମୟୀଙ୍କ ଲୋକପ୍ରିୟ ଶ୍ରୀଜଗନ୍ନାଥ ଭଜନ ‘ଚାରିଧାମ ଭିତରେ ଗୋଟିଏ ଧାମ’ରେ ଗୁଞ୍ଜରିତ ହୋଇଥିଲା ଡିପିଏସ୍ କଳିଙ୍ଗ ପରିସର ।

ପରେ ପରେ ସେ ଦେଶାତ୍ମବୋଧକ ଗୀତ ଓ ଲୋକଗୀତ ପରିବେଷଣ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାଙ୍କ ସମ୍ମାନାର୍ଥେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ସାମୁହିକ ସ୍ଵାଗତ ସଂଗୀତ ଏବଂ ନୃତ୍ୟାଦି ପରିବେଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଜ୍ୟୋତିର୍ମୟୀ ପଢ଼ିଥିବା ବିଦ୍ୟାଳୟ ତାଙ୍କୁ ନିମନ୍ତ୍ରଣ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ବିଦ୍ୟାଳୟ ପକ୍ଷରୁ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରାଯାଇଥିଲା।

Leave a Reply

Your email address will not be published. Required fields are marked *