ଯାଜପୁର, ୧୪/୦୮/୨୦୨୬ (ଓଡ଼ିଶା ସମାଚାର )ବୈତରଣୀ ନଦୀର ଉପରମୁଣ୍ଡରେ ସୃଷ୍ଟ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ପୁନର୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ବେଳେ ସକାଳ ୮ଟା ସୁଦ୍ଧା ଜଳସ୍ତର ୧୯.୩୭ ମିଟରରେ ପ୍ରବାହିତ ହେଉଛି। ଫଳରେ ଜିଲ୍ଲାର ଯାଜପୁର, କୋରେଇ ଓ ଦଶରଥପୁର ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।
ଜିଲ୍ଲା ଆପାତକାଳୀନ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ବନ୍ୟାରେ ୩ଟି ବ୍ଲକର ୧୦ଟି ଗ୍ରାମପଞ୍ଚାୟତ ଅଧୀନସ୍ଥ ୨୧ଟି ଗ୍ରାମ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି। ବନ୍ୟା ଜଳ ମାଡ଼ିଯିବା ଫଳରେ ମୋଟ ୩୧,୮୭୧ ଜଣ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଏହାସହ ବନ୍ୟା ଜଳ ଯୋଗୁଁ ୫ଟି ମୁଖ୍ୟ ସଡ଼କ ପଥରେ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।
ତରପଦା ଗ୍ରାମପଞ୍ଚାୟତର ପାଟଣା ଗ୍ରାମ ନିକଟରେ କାଣୀ ନଦୀ ବନ୍ଧରେ ପୂର୍ବରୁ ଥିବା ଘାଇ ଦେଇ ବନ୍ୟାଜଳ ଗ୍ରାମ ମଧ୍ୟକୁ ପ୍ରବେଶ କରୁଛି। ଜନସାଧାରଣଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଦଶରଥପୁର ବ୍ଲକରେ ODRAF ର ୧ଟି ୟୁନିଟ୍ ନିୟୋଜିତ କରାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୯,୧୮୯ ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପାଇଁ ୧୯ଟି ଆଶ୍ରୟସ୍ଥଳୀ ଓ ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର (Free Kitchen) ଚାଲୁ କରାଯାଇଛି, ଯେଉଁଥିରେ ୭,୪୬୭ ଜଣ ବୟସ୍କ ଓ ୧,୭୨୨ ଜଣ ଶିଶୁଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି।
ବନ୍ୟା ପରିସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି। ସେ ନିଜେ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିବା ସହ ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପରିସ୍ଥିତି କୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ କାଲିଠାରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଏଥି ସହିତ ସମସ୍ତ କ୍ଷେତ୍ରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସଜାଗ ଓ ହାଇଆଲର୍ଟରେ ରହିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
