ସୁନ୍ଦରଗଡ,୧୧/୦୮/୨୦୨୬ (ଓଡ଼ିଶା ସମାଚାର)- ସୁନ୍ଦରଗଡ ବାଲିଶଙ୍କରା ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଚାନ୍ଦନୀମାଲ ବିଲରେ ଧାନ ରୋଉଥିବା ବେଳେ ବଜ୍ରପାତ ଘଟି ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାମାନେ ହେଲେ ଛତିଶଗଡ଼ର ବରଡିହି ଗ୍ରାମର ଚମ୍ପା ତିର୍କୀ ଓ ଶୁଶିଲା ତିର୍କୀ ।
ଛତିଶଗଡ଼ ରାଜ୍ୟରୁ ଧାନ ରୁଆ କାମ ପାଇଁ ଆସିଥିବା କିଛି ଶ୍ରମିକ ବାଲିଶଙ୍କରା ଚାନ୍ଦନୀମାଲ ବିଲରେ କାମ କରୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହେବାରୁ ୫ ଜଣ ଗୁରୁତର ଆହତ ହୋଇପଡ଼ିଥିଲେ। ବାଲିଶଙ୍କରା ଗ୍ରାମ ଲୋକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ୫ ଜଣ ଙ୍କୁ ଉଦ୍ଧାର କରି ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚମ୍ପା ତିର୍କୀ ଓ ଶୁଶିଲା ତିର୍କୀଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ସବା ତିର୍କୀ, ଫୁଲକି ବାଡ଼ା ଓ ସରସ୍ୱତୀ ତିର୍କୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
