ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ: ରାଜ୍ୟପାଳ

ଭୁବନେଶ୍ୱର,୧୦/୦୮/୨୦୨୬(ଓଡ଼ିଶା ସମାଚାର/ରଜତ ମହାପାତ୍ର)-୧୦/୦୮/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶାର ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନେବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଏତତବ୍ୟତୀତ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା, ଅକ୍ଷୟ ଶକ୍ତିର ପ୍ରସାର, ସ୍ଥାୟୀ କୃଷି ଓ ରୋଜଗାର ସୃଷ୍ଟି ଦିଗରେ ଯୁବପିଢ଼ି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ସୋମବାର ଦିନ ଜଟଣୀସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା କନଫରେନ୍ସ ଅଫ ୟୁଥ (OCOY) ୪.୦ କୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି ।

ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଓଡ଼ିଶାର ଭବିଷ୍ୟତକୁ କେବଳ ଉତ୍ତରାଧିକାର ସୂତ୍ରରେ ନେବାକୁ ଯୁବପିଢ଼ି ଆବଶ୍ୟକ ନୁହେଁ ବରଂ ନିଜ ହାତରେ ଭବିଷ୍ୟତ ଗଢ଼ିବାକୁ ସକ୍ଷମ ଯୁବଶକ୍ତି ଆବଶ୍ୟକ।

ରାଜ୍ୟପାଳ କହିଥିଲେ ଯେ, ଗତବର୍ଷ  ସମାରୋହରେ ସେ ଯୁବପିଢ଼ିଙ୍କୁ ଜଳବାୟୁ ସହନଶୀଳତାର ନିର୍ମାତା ହେବାକୁ ଆହ୍ୱାନ ଜଣାଇ ଥିଲେ। ଏବେ ସେହି ଆହ୍ୱାନକୁ ଆହୁରି ଆଗକୁ ନେଇ ଯୁବପିଢ଼ିଙ୍କୁ କେବଳ ନୀତିର ନିଷ୍କ୍ରିୟ ଗ୍ରହୀତା ନୁହେଁ, ବରଂ ସମାଧାନର ସ୍ଥପତି ହେବାକୁ ପଡ଼ିବ। ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରିପାରିଲେ ‘ବିକଶିତ ଭାରତ @୨୦୪୭’ ର ଲକ୍ଷ୍ୟ ବାସ୍ତବ ରୂପ ନେବ ବୋଲି ରାଜ୍ୟପାଳ କହିଥିଲେ ।

ଜଳବାୟୁ ପରିବର୍ତ୍ତନ ଆଉ ଦୂର ଭବିଷ୍ୟତର ଚେତାବନୀ ନୁହେଁ ବୋଲି ଦର୍ଶାଇ ରାଜ୍ୟପାଳ କହିଥିଲେ ଯେ,ଗ୍ରୀଷ୍ମପ୍ରବାହ, ଅନିୟମିତ ବର୍ଷା, ବନ୍ୟା, ବାତ୍ୟା ଓ ସମୁଦ୍ର ପତ୍ତନ ବୃଦ୍ଧି ଚାଷ ଓ ଜୀବିକାକୁ ପ୍ରଭାବିତ କରୁଛି। ତେଣୁ ଜଳବାୟୁ ସହନଶୀଳତା କେବଳ ପରିବେଶ ସୁରକ୍ଷାର ଦାୟିତ୍ୱ ନୁହେଁ, ଏହା ମାନବୀୟ ମର୍ଯ୍ୟାଦା ଓ ଆଗାମୀ ପିଢ଼ି ପ୍ରତି ଦାୟିତ୍ୱ ବୋଲି କହିଥିଲେ।

ବାତ୍ୟା ଓ ବନ୍ୟା ମୁକାବିଲାରେ ଓଡ଼ିଶାର ଅଭିଜ୍ଞତା, ଜଙ୍ଗଲ ଓ ଜୈବ ବିବିଧତା ସଂରକ୍ଷଣ ଉଦ୍ୟମ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏବେ କେବଳ ବିପର୍ଯ୍ୟୟ ପ୍ରସ୍ତୁତିରେ ସୀମିତ ନ ରହି ଜଳବାୟୁ ସହନଶୀଳ ସମୁଦାୟ ଗଠନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

ଫୁଲବାଣୀରେ ସିଡ୍‌ ବଲ କାର୍ଯ୍ୟକ୍ରମ, ଜଟଣୀ ଓ ଖଲ୍ଲିକୋଟରେ ବୃକ୍ଷରୋପଣ, ପୁରୀରେ ବ୍ଲୁ ଫ୍ଲାଗ ବିଚ ପଦକ୍ଷେପ ଏବଂ ଶିମିଳିପାଳରେ ଜଳବାୟୁ ସଚେତନତା ଭଳି ଯୁବନେତୃତ୍ୱାଧୀନ ପଦକ୍ଷେପ କିପରି ବ୍ୟାପକ ପରିବର୍ତ୍ତନ ଆଣିପାରେ ଏହା ତାହାର ଉଦାହରଣ ବୋଲି ରାଜ୍ୟପାଳ କହିଥିଲେ। ୩-ଆର ନୀତି ‘Reduce, Reuse and Recycle’ର ସହ ‘ମିଶନ ଲାଇଫ ’କୁ ଜୀବନଶୈଳୀର ଅଂଶ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।

‘Mission 30 by 30’ ର ଆହ୍ୱାନ ଦେଇ ରାଜ୍ୟପାଳ ୨୦୩୦ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଜଳବାୟୁ ସହନଶୀଳତା କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଯୁବପିଢ଼ିଙ୍କୁ କହିବା ସହ ସ୍ଥାନୀୟ ଜ୍ଞାନକୌଶଳ ସହ ବିଜ୍ଞାନ ଓ ପ୍ରଯୁକ୍ତିକୁ ଯୋଡ଼ି ଜିଲ୍ଲାଭିତ୍ତିକ ପରିବେଶ ସମସ୍ୟାର ସମାଧାନ ଖୋଜିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ତିନିଦିନିଆ ୟୁଥ୍ ପାର୍ଲାମେଣ୍ଟ ଓ ଜିଲ୍ଲାସ୍ତରୀୟ ଆଲୋଚନାରେ କେବଳ ସମସ୍ୟା ଉପରେ ଚର୍ଚ୍ଚା ନକରି ସମାଧାନର ରୂପରେଖ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଯୁବପିଢ଼ିଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରୁ ଯୁବପିଢ଼ି ‘ସ୍ଥାୟୀତ୍ୱର ଦୂତ, ଜଳବାୟୁ ସହନଶୀଳତାର ଚାମ୍ପିଅନ ଓ ପରିବର୍ତ୍ତନର ପ୍ରତିନିଧି’ ଭାବେ ଉଭା ହୁଅନ୍ତୁ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ।

ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ଭାରତର ନିର୍ଭରଶୀଳତା ପ୍ରସଙ୍ଗରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ସ୍ଥାୟୀ ଜୀବନଶୈଳୀ ଭାରତର ଶକ୍ତି ସୁରକ୍ଷା ସହ ଜଡ଼ିତ। ସ୍ଥାୟୀ ଯାତାୟାତକୁ ପ୍ରୋତ୍ସାହନ ଦେବା ସହ ଧୀରେ ଧୀରେ ବୈଦ୍ୟୁତିକ ଯାନ ଆପଣାଇବାକୁ ରାଜ୍ୟପାଳ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଥିଲେ। ଏହାଦ୍ୱାରା ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବା ସହ ଶକ୍ତି ସୁରକ୍ଷା ବଢ଼ିବ ଏବଂ ବିଦେଶୀ ମୁଦ୍ରା ଉପରେ ଚାପ ହ୍ରାସ ପାଇବ ବୋଲି ସେ କହିଥିଲେ। ରାଜ୍ୟପାଳଙ୍କ ସରକାରୀ କାରକେଡରେ ବୈଦ୍ୟୁତିକ ଯାନ ସାମିଲ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ।

ଏହି ଅବସରରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର କୁଳପତି ଡ. ଫାଦର କେ. ଏସ୍. କାସିମିର୍ ଏସ୍‌ଜେ, ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟର ଜେନେରାଲ୍ ମ୍ୟାନେଜର ତଥା ESG ଆମ୍ବାସାଡର ହର୍ଷା ଭରଦା, ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସର ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ଏବଂ ସମ୍ଭବର ସହ-ପ୍ରତିଷ୍ଠାତା ସାବରମତୀ ଅପା ମଧ୍ୟ ଉଦବୋଧନ ଦେଇଥିଲେ। ୟୁନିସେଫ୍ ଓଡ଼ିଶାର WASH-CCES ବିଶେଷଜ୍ଞ ସିପ୍ରା ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ Youth4Water Plusର ନିର୍ଦ୍ଦେଶକ ବ୍ଲୋରିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

-0-

ଐଶ୍ଵର୍ଯ୍ୟା ସାମନ୍ତ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *