ମହାପଦା ଗାଁରେ ଦନ୍ତା ଆତଙ୍କ, ଦିନବେଳା ପଶୁଛି ହାତୀ, ଭାଙ୍ଗୁଛି ବାଡ଼ି ଓ କାନ୍ଥ, କୋକୂଆ ଭୟରେ ଗ୍ରାମବାସୀ

ଢେଙ୍କାନାଳ, ୧୦/୦୮/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଷଢ଼ଙ୍ଗୀ ରେଞ୍ଜ୍  ଅଧୀନସ୍ଥ ମହାପଦା ଗାଁରେ ଏବେ ଏକ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି। ଗୋଟିଏ ସପ୍ତାହ ହେବ ଗାଁ ମୁହାଁ ହୋଇଥିବା ଏହି ଦନ୍ତା ଯୋଗୁଁ ଲୋକଙ୍କ ନିଦ ହଜିଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ହାତୀଟି କେବଳ ରାତିରେ ନୁହେଁ ବରଂ ଦିନ ବେଳା ମଧ୍ୟ ଗାଁ ଭିତରେ ପଶି ବୁଲୁଛି।

ଫଳରେ ଗାଁ ଲୋକଙ୍କ ମଧ୍ୟରେ କୋକୂଆ ଭୟ ଖେଳିଯାଇଥିବା ବେଳେ, ଲୋକେ ଘରୁ ବାହାରିବାକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତ ତିନି ଦିନ ହେବ ଦନ୍ତାଟି ଲଗାତାର ଭାବେ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଆଜି ସକାଳେ ହାତୀଟି ଗାଁର ସରୋଜ କୁମାର ନାଥଙ୍କ ଘର ପଛପଟେ ପଶିଥିଲା। ସେଠାରେ ବାଡ଼ି ଗେଟ୍‌କୁ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଦେବା ସହ ଫସଲ ନଷ୍ଟ କରିଛି। ସେହିପରି ପୂର୍ବରୁ ଦନ୍ତାଟି ରୋହିତ କୁମାର ନାଥଙ୍କ ଘର ବାଡ଼ି କାନ୍ଥକୁ ଭାଙ୍ଗି ମାଟିରେ ମିଶାଇ ଦେବା ସହ ବାଡ଼ିରେ ଥିବା ସମସ୍ତ ଗଛଲତା ଓ ଫସଲକୁ ନଷ୍ଟଭ୍ରଷ୍ଟ କରିଦେଇଥିଲା।

ବାରମ୍ବାର ହାତୀର ଏପରି ଉନ୍ମତ୍ତ କାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ହତାଶ ହୋଇପଡ଼ିଛନ୍ତି। ଦିନ ଦ୍ୱିପ୍ରହରରେ ବିଶାଳକାୟ ଦନ୍ତା ହାତୀଟି ଖୋଲାଖୋଲି ବୁଲୁଥିବାରୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କେଉଁ ମୁହୂର୍ତ୍ତରେ ଯେ ହାତୀ କାହା ଜୀବନ ନେଇଯିବ, ସେନେଇ ଭୟ ଲାଗିରହିଛି। ଏହି ସମସ୍ୟା ପ୍ରତି ଷଢ଼ଙ୍ଗୀ ରେଞ୍ଜ୍ ବନବିଭାଗ ଅଧିକାରୀମାନେ ତୁରନ୍ତ ଦୃଷ୍ଟି ଦେଇ ଦନ୍ତା ହାତୀଟିକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏଥିସହ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *