ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

ଭୁବନେଶ୍ୱର,୦୯/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ, ନ୍ୟାସନାଲ ଡିଫେନ୍ସ ଏକାଡେମୀ ଡ଼. ହରିହର ପଣ୍ଡା ଓ ପ୍ରାକ୍ତନ ମୁଖ୍ୟ ଆୟକର କମିଶନର, ଓଡ଼ିଶା, ବିହାର ଓ ଝାରଖଣ୍ଡ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇଥିଲେ।

ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ନିଜର ଅଭିଭାଷଣରେ କହିଥିଲେ ଯେ, ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ଦେଶର ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଭାରତକୁ ସ୍ବାଧୀନତା ଆଣି ଦେବା ଲାଗି ଅନେକ ସ୍ବାଧୀନତା ସଂଗ୍ରାମୀମାନେ ଆଗେଇ ଆସି ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସେହି ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ୯ ତାରିଖକୁ ଆମେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରିଥାଉ। ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନ ଆଦର୍ଶ ଦେଶସେବା ପାଇଁ ସଦା ସର୍ବଦା ଆମକୁ ପ୍ରେରଣା ପ୍ରଦାନ କରିଛି ବୋଲି ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ।

ଡ଼. ହରିହର ପଣ୍ଡା କହିଥିଲେ ଯେ, ଦେଶର ସ୍ୱାଧୀନତା ପାଇଁ ଅନେକ ସ୍ୱାଧୀନତା ସଂଗ୍ରାମୀ ନିଜର ପ୍ରାଣତ୍ୟାଗ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାର ଅନେକ ସ୍ୱାଧୀନତା ସଂଗ୍ରାମୀ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇଥିଲେ। ଅନେକ ଯୁବକ ବିଶେଷ ଭାବରେ କଟକ ରେଭେନ୍ସା ମହାବିଦ୍ୟାଳୟର ଅନେକ ଛାତ୍ର ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଆମେ ସ୍ୱାଧୀନତା ଲାଭ କରିଛେ। ସ୍ୱାଧୀନତା ସଂଗ୍ରାମୀ ମାନେ ହେଉଛନ୍ତି ଆମର ଆଦର୍ଶ। ସେମାନଙ୍କ ଜୀବନ ଦର୍ଶନ ନିଶ୍ଚିତ ଭାବେ ଯୁବପିଢ଼ିଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବ ବୋଲି ଡ଼. ହରିହର ପଣ୍ଡା କହିଥିଲେ।

ଆଜି ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ‘ଅଶାନ୍ତ ଓଡ଼ିଶା’ ଶୀର୍ଷକକୁ ନେଇ ଏକ ଅଭିଲେଖ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ପ୍ରଦର୍ଶନୀରେ ‘ସମ୍ବଲପୁରରେ ଆଇନ ଅମାନ୍ୟ ଆନ୍ଦୋଳନ’, ‘ନୟାଗଡ଼ ପ୍ରଜା ଆନ୍ଦୋଳନ’, ‘ଅଶାନ୍ତ ନୀଳଗିରି ରାଜ୍ୟ’, ‘ବେଜେଲଗେଟ ହତ୍ୟାକାଣ୍ଡ’, ‘ପଟିଆ କଳାରାହାଙ୍ଗରେ କୃଷକ ସଭା’, ‘ରେଭେନ୍ସାରେ ଛାତ୍ର ଆନ୍ଦୋଳନ’ ଆଦି ବିଷୟ ବସ୍ତୁର ଅଭିଲେଖ ପ୍ରଦର୍ଶିତ ହୋଇଥିଲା।

ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ଼. ସୋଲେମାନ୍‌ ଅଲ୍ଲୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *