ଜେଇଇ, ଏନଇଇଟି ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଉପରେ ଜିଲାପାଳଙ୍କ ଗୁରୁତ୍ୱାରୋପ

କେନ୍ଦ୍ରାପଡ଼ା,୦୯/୦୮/୨୦୨୬(ଓଡ଼ିଶା ସମାଚାର)-ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଧେଶ୍ୟରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ ନେଇଥିଲେ ।

ଏହି ଅବସରରେ ଜିଲାପାଳ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଶିକ୍ଷା, କ୍ୟାରିୟର ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତ ବିନିମୟ କରିଥିଲେ । ନିୟମିତ ଅଧ୍ୟୟନ, ସମୟର ସୁପରିଚାଳନା, ଆତ୍ମବିଶ୍ୱାସ ଓ ନିରନ୍ତର ଅଭ୍ୟାସ ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିପରି ସଫଳତା ହାସଲ କରାଯାଇପାରିବ ସେନେଇ ଜିଲାପାଳ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ବିଶେଷକରି ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜେଇଇ ଓ ଏନଇଇଟି ପାଇଁ ଅନଲାଇନ୍ କୋଚିଂ ସୁବିଧା ସମ୍ପର୍କରେ ଜିଲାପାଳ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।

ଏଥିସହିତ ଏକାଡେମିକ ସପୋର୍ଟ ପ୍ରୋଗ୍ରାମ ମାଧ୍ୟମରେ ସାଧାରଣ ଜ୍ଞାନ(ଜିକେ), ଇଂରାଜୀ, ଗଣିତ ଓ ରିଜୋନିଂ ଭଳି ବିଷୟରେ ମିଳୁଥିବା ପ୍ରଶିକ୍ଷଣର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଜେଇଇ ଓ ଏନଇଇଟି ଭଳି ପ୍ରବେଶିକା ପରୀକ୍ଷା ସହିତ ବିଭିନ୍ନ ପ୍ରତିଯୋଗିତାମୂଳକ ଓ ନିଯୁକ୍ତି ପରୀକ୍ଷା ପାଇଁ ମଧ୍ୟ ଉତମ ଭାବେ ପ୍ରସ୍ତୁତ ହେବାରେ ସହାୟକ ହେବ ବୋଲି ଜିଲାପାଳ କହିଥିଲେ ।

ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସଠିକ୍ ଉପଯୋଗ କରି ନିଜର ଦକ୍ଷତା ବିକାଶ ସହ ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ଜିଲାପାଳ ଆହ୍ୱାନ କରିଥିଲେ ।କେନ୍ଦ୍ରାପଡ଼ା ଜିଲାର ସମସ୍ତ +୨ ଛାତ୍ରଛାତ୍ରୀ ନିଜ ନିଜ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ମୁଖ୍ୟଙ୍କ ସହ ଯୋଗାଯୋଗ କରି ଜେଇଇ ଓ ଏନଇଇଟି ଅନଲାଇନ୍ କୋଚିଂ ଏବଂ ଏକାଡେମିକ ସପୋର୍ଟ ପ୍ରୋଗ୍ରାମର ସୁଯୋଗ ନେବାକୁ ଜିଲାପାଳ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *