ଭୁବନ ବନ ବିଭାଗ : ଗାଡ଼ି ଜବତ ହେଉଛି,ଡ୍ରାଇଭର ଯାଉଛି କୁଆଡେ

ଭୁବନ ୨୦/୦୪/୨୦୨୫ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବନ ବିଭାଗ କାର୍ୟ୍ୟାଳୟରେ ଦୁର୍ନୀତି, ପ୍ରିୟାପ୍ରୀତି, ଅନିୟମିତତା ଓ ସ୍ୱେଚ୍ଛାଚାରିତା ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହେଉଛି । ଅତିରିକ୍ତ ରେଞ୍ଜର ରାକେଶ କୁମାର ଦଳେଇ ଏଠାରେ ଯୋଗଦେବା ପରଠାରୁ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଥିବା ସାଧାରଣରେ ଆଲୋଚନା ହେଉଛି । ଶ୍ରୀ ଦଳେଇ ଇଟା,ବାଲି,ମାଙ୍କଡ଼ା ପଥର,କାଠ,କୋଇଲା ଇତ୍ୟାଦି ପରିବହନ କରୁଥିବା ଟ୍ରାକ୍ଟର, ଟ୍ରକ, ହାଇୱା ଗାଡିରୁ ମାସିକ ଲକ୍ଷାଧିକ ଟଙ୍କା ଚାନ୍ଦା ଆଦାୟ କରୁଥିବା ବେଳେ କେବଳ ଅଫିସିଆଲ ରେକର୍ଡ ମେଣ୍ଟେନ ପାଇଁ କାଆଁ ଭାଁ ଚଢ଼ାଉ କରୁଥିବା ଦେଖିବାକୁ ମିଳୁଛି ଓ ସେଥିରେ ମଧ୍ୟ ଦୁର୍ନୀତି ହେଉଥିବା ଆଲୋଚନା ହେଉଛି ।

ପ୍ରତ୍ୟେକ ଘଟଣାରେ ଗାଡ଼ି ଜବତ ହେଉଛି,କିନ୍ତୁ ମୋଟା ଅଙ୍କର ମାଲ ନେଇ ଡ୍ରାଇଭର କୁ ଫେରାର ଦର୍ଶା ଯାଉଛି ବୋଲି ହାଟ ବଜାର ରେ ଚର୍ଚ୍ଚା ହେଉଛି । ଗତ ଅପ୍ରେଲ ୧ ତାରିଖ ଦିନ ଭୁବନ ବ୍ଲକ ଅନ୍ତର୍ଗତ ମାଳୁଆଗୋଡ଼ା ରୁ ମାଙ୍କଡ଼ା ପଥର ଚୋରା ଚାଲାଣ କରୁଥିବା ବେଳେ ଓ ଆର ୦୯ ଏଫ୍ ୪୩୮୦ ନମ୍ବର ବିଶିଷ୍ଟ ଏକ ଛଅ ଚକିଆ ଟ୍ରକ କୁ ଅତିରିକ୍ତ ରେଞ୍ଜର ଶ୍ରୀ ଦଳେଇ ,ବନପାଳ କଳ୍ପନା ବେହେରା ଗ୍ରାମବାସୀ ଙ୍କ ଉପସ୍ଥିତିରେ ସଦଳ ବଳେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଉକ୍ତ ଟ୍ରକ୍ ଡ୍ରାଇଭର ସେଠାରେ ଥିଲା ବେଳେ ମୂଲଚାଲ କରି ତାକୁ ଛାଡ଼ିଦେଇ ଟ୍ରକ୍ କୁ ରେଞ୍ଜ ଅଫିସ ପରିସରକୁ ନେଇ ଆସିଥିଲେ ।

ଭୁବନ ଫରେଷ୍ଟ ରେଞ୍ଜ ଅଫିସ ଠାରୁ ମାତ୍ର ୨ କିମି ଦୂର ଶାମଳ ସଂରକ୍ଷିତ ଜଙ୍ଗଲରେ ଗତକାଲି କେତେକ ମାଫିଆ ମେସିନ ସାହାଯ୍ୟରେ ଶହ ଶହ ମୂଲ୍ୟବାନ ୟୁକାଲ ପଟାସ, ଶାଳ,ପିଆଶାଳ ଗଛ କାଟୁଥିବା ଖବର ପାଇ ଅତିରିକ୍ତ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ୟୁପି ୨୫ ସିଟି ୮୧୬୦ ନମ୍ବର ବିଶିଷ୍ଟ ୧୬ ଚକିଆ ଟ୍ରକ ଜବତ କରି ରେଞ୍ଜ ଅଫିସ ପରିସରକୁ ଆଣିଥିଲେ । ପ୍ରତ୍ୟେକ ଘଟଣାରେ ଅତିରିକ୍ତ ରେଞ୍ଜର ସମାନ ନୀତି ଆପଣେଇଥିବା ସ୍ପଷ୍ଟ ହୋଇଛି । ବନ ବିଭାଗ ର ଦୁର୍ନୀତିଗ୍ରସ୍ତ ଅଫିସର ଙ୍କ ଯୋଗୁ ବାହାର ରାଜ୍ୟରୁ ଗାଡ଼ି ଆସି ଭୁବନ ରୁ କାଠ ନେଇଯାଇଛି ବୋଲି କୁହାଯାଉଛି ।

ଗତ ବର୍ଷ ସାମାଜିକ ବନିକରଣ କାର୍ୟ୍ୟରେ ଫଲ୍ସ ବିଲ୍ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ବେଳେ ଟ୍ରେଞ୍ଚ ଖୋଳାରେ ଆଦୌ କାମ ନକରି ପ୍ରାୟ ୨୦ ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ ହେଉଛି। ରେଞ୍ଜ ଅଫିସ ରେ କର୍ମଚାରୀ ଙ୍କ ବ୍ୟତୀତ ଟ୍ରାକ୍ଟର,ଟ୍ରକ୍ ଚାଳକ ନିଯୁକ୍ତି ହୋଇଛନ୍ତି । ଡ୍ରାଇଭର ଚାବି ହସ୍ତାନ୍ତର କରି ପଳାଇ ଯାଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲ ଓ ଚା ଖଟିରେ ଚର୍ଚ୍ଚା , ଆଲୋଚନା ହେଉଛି । ଶାମଳ ଜଙ୍ଗଲ ରୁ ଗଛ କଟା ସମ୍ବନ୍ଧରେ ସବିଶେଷ ତଥ୍ୟ ପାଇବା ପାଇଁ ଫରେଷ୍ଟର କଳ୍ପନା ବେହେରା ଙ୍କୁ ତାଙ୍କ ୬୩୭୨୫ ୪୬୨୩୧ ନମ୍ବର ମୋବାଇଲ କୁ ବାରମ୍ବାର କଲ୍ କରିଥିଲେ ମଧ୍ୟ ସେ କଲ୍ ରିସିଭ କରି ନଥିଲେ ।

ଅତିରିକ୍ତ ରେଞ୍ଜର ଶ୍ରୀ ଦଳେଇ ଙ୍କୁ ତାଙ୍କ ୭୯୭୮୯୨୦୯୨୪ ନମ୍ବର ମୋବାଇଲ କୁ ଲଗାତର ୩ ଥର କଲ୍ କରିବା ପରେ ସେ ରିସିଭ କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ନ ଦେଇ ଫୋନ୍ କାଟି ଦେଇଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହି ଦୁର୍ନୀତିଗ୍ରସ୍ତ ଅଫିସର ଙ୍କ ପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନ୍ୟତ୍ର ବଦଳି କରା ନଗଲେ ଆଉ କିଛି ବର୍ଷ ମଧ୍ୟରେ ଭୁବନ ଜଙ୍ଗଲ ଶୂନ୍ୟ ହୋଇଯିବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *