ଯାଜପୁରଠାରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ-୨୦୨୬ ଉଦ୍‌ଘାଟିତ

ଯୁବଶକ୍ତି ହିଁ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ମୂଳ ଆଧାର : ସାଂସଦ

ଯାଜପୁର, ୧୦/୧୧/୨୦୨୬(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍‌ଠାରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୬ ମାନ୍ୟବର ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଦ୍ୱାରା ଶୁଭ ଉଦ୍‌ଘାଟିତ ହୋଇଯାଇଛି। ‘ମାଇଁ ଭାରତ’ (MY Bharat) ସଂଗଠନ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଯୁବ ଉତ୍ସବରେ ଜିଲ୍ଲାର ୧୦ଟି ବ୍ଲକରୁ ୪୦୦ରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଅଂଶଗ୍ରହଣ କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଡଃ ବେହେରା କହିଥିଲେ ଯେ, ଯୁବଶକ୍ତି ହେଉଛି ଦେଶର ସବୁଠାରୁ ବଡ଼ ସମ୍ପଦ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱରେ ବିଭିନ୍ନ ଯୁଦ୍ଧ ଓ ଅସ୍ଥିରତା ସତ୍ତ୍ୱେ ଭାରତ ଅର୍ଥନୈତିକ ଓ ସାମରିକ କ୍ଷେତ୍ରରେ ଅଗ୍ରଗତି କରୁଛି। ନକ୍ସଲବାଦ ଭଳି ବିକାଶରେ ପ୍ରତିବନ୍ଧକ ସୃଷ୍ଟିକାରୀ କାର୍ଯ୍ୟକଳାପରୁ ଯୁବସମାଜକୁ ଦୂରେଇ ରଖି ରାଷ୍ଟ୍ର ନିର୍ମାଣରେ ସାମିଲ କରିବା ଆବଶ୍ୟକ। ଏଥିସହ ବେଦ, ଉପନିଷଦ, ରାମାୟଣ ଓ ମହାଭାରତ ଭଳି ପ୍ରାଚୀନ ଗ୍ରନ୍ଥରେ ନିହିତ ଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆମ ସମୃଦ୍ଧ ଐତିହ୍ୟର ପରିଚୟ ବହନ କରେ ବୋଲି ସେ ମତବ୍ୟକ୍ତ କରିଥିଲେ। ଯାଜପୁରର ପ୍ରାଚୀନ ଶିକ୍ଷା ଓ ଐତିହାସିକ ଗୁରୁତ୍ୱକୁ ସ୍ମରଣ କରି ଆଧୁନିକ ଜ୍ଞାନକୌଶଳ ସହ ଯୁବପିଢ଼ି ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ମାଇଁ ଭାରତର ଜିଲ୍ଲା ଯୁବ ଅଧିକାରୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ ଯୋଗଦେଇ ଯୁବପିଢ଼ିଙ୍କ ବ୍ୟକ୍ତିତ୍ୱ ବିକାଶ, ନେତୃତ୍ୱ ଦକ୍ଷତା, ସାଂସ୍କୃତିକ ପରମ୍ପରାର ସୁରକ୍ଷା ଏବଂ ସାମାଜିକ ବିକାଶରେ ଯୁବସମାଜର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଯୁବ ଉତ୍ସବରେ ଲୋକନୃତ୍ୟ, ଲୋକସଙ୍ଗୀତ, ନୁକ୍କଡ ନାଟକ , ପଦ୍ୟ ଲିଖନ, ଚିତ୍ରକଳା ପ୍ରଭୃତି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେଉଛି। ପ୍ରତିଯୋଗିତାରେ ବିଚାରକମଣ୍ଡଳୀଙ୍କ ଦ୍ୱାରା ମନୋନୀତ ହୋଇ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ପ୍ରତିନିଧିତ୍ୱ କରିବେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ କର୍ମୀ, ପ୍ରେସ୍ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବହୁ ଯୁବକଯୁବତୀ ଉପସ୍ଥିତ ଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *