ଦୁଃସ୍ଥିତିଜନିତ ଦେଶାନ୍ତର ରୋକିବ ମିଶନ ଶକ୍ତି ବିଭାଗର ‘ପ୍ରୋଜେକ୍ଟ BLESS’

ଜୀବିକା, ଦକ୍ଷତା ଓ ଉଦ୍ୟମିତା ମାଧ୍ୟମରେ ବିପଦାପନ୍ନ ପରିବାରଙ୍କୁ ସହାୟତା

୮.୮୧ ଲକ୍ଷ ପରିବାର ପାଇବେ ଜୀବିକା ଓ ଦକ୍ଷତା ବିକାଶର ସହାୟତା

ଭୁବନେଶ୍ୱର,୦୬/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଲୋକସେବା ଭବନସ୍ଥିତ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ମିଶନ ଶକ୍ତି ବିଭାଗ, ସେଣ୍ଟର ଫର ରିସର୍ଚ୍ଚ ଇନ୍ ସ୍କିମ୍ସ ଆଣ୍ଡ ପଲିସିସ୍ (CRISP) ଏବଂ ଏନ୍‌.ଏସ୍‌.ଇ ଫାଉଣ୍ଡେସନ୍‌ ମଧ୍ୟରେ “ଦୁଃସ୍ଥିତିଜନିତ ଦେଶାନ୍ତର ରୋକିବା ଉଦ୍ଦେଶ୍ୟରେ ପ୍ରୋଜେକ୍ଟ BLESS ” କାର୍ଯ୍ୟକାରୀ କରିବା ନିମନ୍ତେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ମିଶନ ଶକ୍ତି ବିଭାଗର ସଚିବ ଶ୍ରୀମତୀ ମାନସୀ ନିମ୍ଭାଲଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ଜୀବିକା ମିଶନ ସହଯୋଗରେ ଏହି ତିନିବର୍ଷିଆ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଦେଶାନ୍ତର ପୂର୍ବରୁ ସମ୍ଭାବ୍ୟ ପରିବାରମାନଙ୍କୁ ଚିହ୍ନଟ କରି ସେମାନଙ୍କର ଜୀବିକା, ଦକ୍ଷତା ବିକାଶ, ଆର୍ଥିକ ସେବା ଓ ସରକାରୀ ଯୋଜନା ସହ ସଂଯୋଗ ସୁନିଶ୍ଚିତ କରି ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା ହେଉଛି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ  ମାଧ୍ୟମରେ ଦେଶାନ୍ତରର ମୂଳ କାରଣଗୁଡ଼ିକୁ ପୂର୍ବରୁ ଚିହ୍ନଟ କରି ସମାଧାନ କରାଯିବ।

ଏହି ପ୍ରକଳ୍ପଟି ବଳଙ୍ଗିର, ବରଗଡ଼, କଳାହାଣ୍ଡି, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ୬୯ଟି ବ୍ଲକରେ କାର୍ଯ୍ୟକାରୀ ହୋଇ ପ୍ରାୟ ୮.୮୧ ଲକ୍ଷ ଗ୍ରାମୀଣ ପରିବାର ଓ ୮୬,୪୬୮ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରିବ। ସ୍ୱୟଂ ସହାୟିକା ଗୋଷ୍ଠୀରୁ ଚୟନ କରାଯାଇ ୫୫୦ ଜୀବିକା ସଖୀ ଏହି ପ୍ରକଳ୍ପକୁ ସହାୟତା କରିବେ। ସ୍ୱୟଂ ସହାୟିକା ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ଓ ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ ଏହାର କାର୍ଯ୍ୟାନ୍ୱୟନ କରାଯିବ।

ପ୍ରକଳ୍ପ ଅଧୀନରେ App ମାଧ୍ୟମରେ ପାରିବାରିକ ସ୍ତରରେ ବିପଦାପନ୍ନତା ସର୍ବେକ୍ଷଣ, ସଂଘଗୁଡ଼ିକର ଦକ୍ଷତା ବୃଦ୍ଧି, ପରିବାରଭିତ୍ତିକ ଜୀବିକା ଯୋଜନା ପ୍ରସ୍ତୁତି, ବଜାର ଚାହିଦା ଅନୁଯାୟୀ ଦକ୍ଷତା ବିକାଶ ପ୍ରଶିକ୍ଷଣ, ଡିଜିଟାଲ୍ ବଜାର ପ୍ଲାଟଫର୍ମର ବିକାଶ ଏବଂ  ଶ୍ରମିକଙ୍କ ପାଇଁ ଗନ୍ତବ୍ୟ ସ୍ଥାନରେ ସହାୟତା ବ୍ୟବସ୍ଥା କରାଯିବ।

ଏହି ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ବିପଦାପନ୍ନ ପରିବାରଗୁଡିକୁ ଚିହ୍ନଟ କରି ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଜୀବିକା, ଦକ୍ଷତା ବିକାଶ, ଋଣ ସୁବିଧା ଓ ସରକାରୀ ଯୋଜନାର ଲାଭ ସହ ସଂଯୋଗ କରାଯିବ। ଦେଶାନ୍ତର ଅନିବାର୍ଯ୍ୟ ହେଲେ ମଧ୍ୟ ଶ୍ରମିକମାନେ ନ୍ୟାୟସଙ୍ଗତ ମଜୁରି, ଆଇନଗତ ସହାୟତା ଓ ସାମାଜିକ ସୁରକ୍ଷାର ସୁବିଧା ପାଇବେ। ସେହିପରି ପ୍ରବାସୀ ପରିବାରର ଶିଶୁମାନଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ଓ ପ୍ରାକ୍-ପ୍ରାଥମିକ ଶିକ୍ଷା ସେବାର ନିରନ୍ତରତା ସୁନିଶ୍ଚିତ ହେବ। ଏହି ପ୍ରକଳ୍ପ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ସେମାନଙ୍କ ସଂଘଗୁଡ଼ିକୁ ଆହୁରି ସଶକ୍ତ କରି ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସୁଦୃଢ଼ କରିବ।

ଏହି କାର୍ଯ୍ୟକ୍ରମରେ NSE ର ରେମା ମୋହନ, CRISP ର ଆର୍. ସୁବ୍ରମଣ୍ୟମ୍ ଏବଂ ଜି.ଭି.ଜି. ଶର୍ମା ଆଭାସୀ ମଧ୍ୟମ ରେ ଯୋଗ ଦେବା ସହ ସେଣ୍ଟର ଫର ରିସର୍ଚ୍ଚ ଇନ୍ ସ୍କିମ୍ସ ଆଣ୍ଡ ପଲିସିସ୍ ଓ ଏନ୍‌.ଏସ୍‌.ଇ ଫାଉଣ୍ଡେସନ୍‌ର ପ୍ରତିନିଧିଙ୍କ ସମେତ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *