—- ବିଶୋଧନ ଓ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ
ଯାଜପୁର, ୦୪/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବଂ ପରବର୍ତ୍ତୀ ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ, ଓଡ଼ିଶା ଶ୍ରୀମତୀ ପ୍ରଭାତୀ ପରିଡ଼ା ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି। ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ସେ ପ୍ରଥମେ ବଡ଼ଚଣା ବ୍ଲକର ଗୋପାଳପୁର ଗ୍ରାମପଞ୍ଚାୟତରେ ପହଞ୍ଚି ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ବୁଲି ଦେଖିଥିଲେ। ଏହାପରେ ସେ ଦଶରଥପୁର ବ୍ଲକର କଶପା ପଞ୍ଚାୟତ ସ୍ଥିତ ପାଟଣା ଗ୍ରାମ ଏବଂ ତାରପଡ଼ା ପଞ୍ଚାୟତର ବିଭିନ୍ନ ବନ୍ୟାପ୍ଲାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖି ଥିଲେ।

ଏହି ପରିଦର୍ଶନ ସମୟରେ ବନ୍ୟାଜନିତ କ୍ଷୟକ୍ଷତି, ରିଲିଫ୍ ବଣ୍ଟନ, ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସ୍ଥାନୀୟ ବନ୍ୟା ବିପନ୍ନମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦୁଃଖଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟା ସମୟରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା, ରିଲିଫ୍ ଏବଂ ଅନ୍ୟାନ୍ୟ ଜରୁରୀ ସହାୟତା ସମ୍ପର୍କରେ ସେ ଲୋକଙ୍କୁ ଅବଗତ କରାଇଥିଲେ। ଏଥିସହିତ ପ୍ରଭାବିତ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।ଉପମୁଖ୍ୟମନ୍ତ୍ରୀ ଙ୍କ ସହିତ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରିଥିଲେ।

ବନ୍ୟାଞ୍ଚଳ ଗସ୍ତ ଶେଷ କରିବା ପରେ, ଉପ-ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାର ସାମ୍ପ୍ରତିକ ବନ୍ୟା ସ୍ଥିତି, କ୍ଷୟକ୍ଷତି ଏବଂ ରିଲିଫ ବଣ୍ଟନର ପ୍ରଗତି ସମ୍ପର୍କରେ ଉପ-ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିଥିଲେ।
ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ବନ୍ୟା ଜଳ ଛାଡ଼ିବା ପରେ ଜଳବାହିତ ରୋଗ ଓ ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ଗାଁ ଗାଁରେ ଥିବା ସମସ୍ତ ପାନୀୟ ଜଳ ଉତ୍ସ, କୂଅ, ଟ୍ୟୁବୱେଲ ଏବଂ ବନ୍ୟାପ୍ଲାବିତ ଅଞ୍ଚଳଗୁଡ଼ିକୁ ବ୍ଲିଚିଂ ପାଉଡର, ହାଲୋଜେନ ବଟିକା ଓ କ୍ଲୋରିନ୍ ଦ୍ୱାରା ତୁରନ୍ତ ଏବଂ ସଠିକ୍ ଭାବରେ ବିଶୋଧନ (Disinfection) କରିବାକୁ ପରାମର୍ଶ ଦେଇଥିଲେ।ରାସ୍ତାଘାଟ ଏବଂ ନଦୀବନ୍ଧର ଘାଇ ମରାମତି କାର୍ଯ୍ୟର ସ୍ଥିତି ଉପରେ ବିଶେଷ ଗୁରୁତ୍ୱ ଦେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସ୍ୱାସ୍ଥ୍ୟ ବିଭାଗ ମୋବାଇଲ ମେଡିକାଲ ଟିମ୍ ମାଧ୍ୟମରେ ଘରେ ଘରେ ଚିକିତ୍ସା ଓ ଆବଶ୍ୟକୀୟ ଔଷଧ ଯୋଗାଇଦେବା ସହ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ପହଞ୍ଚାଇବା ନିଶ୍ଚିତ କରିବାକୁ କହିଥିଲେ। ଏହା ସହ ଜଳବାହିତ ରୋଗର ପ୍ରତିରୋଧ ପାଇଁ ପର୍ଯ୍ୟାପ୍ତ ଔଷଧ ଯୋଗାଣ, ସ୍ୱାସ୍ଥ୍ୟସେବା ନିଶ୍ଚିତ କରିବା ଏବଂ କ୍ଷୟକ୍ଷତିର ସଠିକ୍ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାରେ ବାତ୍ୟା ଜନିତ ପରିସ୍ଥିତି, ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବନ୍ୟାଜନିତ କ୍ଷୟକ୍ଷତିର ସଠିକ୍ ଓ କ୍ଷେତ୍ରୀୟ ଆକଳନ କରି ତୁରନ୍ତ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ ପୂର୍ବକ ସରକାରଙ୍କ ନିକଟକୁ ପ୍ରେରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ କୌଣସି ଯୋଗ୍ୟ ବିପନ୍ନ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସଜାଗ ରହିବାକୁ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବନ୍ୟାପ୍ଲାବିତ ଅଞ୍ଚଳରେ ଗୃହପାଳିତ ପଶୁଙ୍କ ପାଇଁ ଗୋ-ଖାଦ୍ୟ ଯୋଗାଣ ଏବଂ ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିଲିଫ ବଣ୍ଟନ ଓ ସ୍ୱାସ୍ଥ୍ୟସେବା ଯୋଗାଣରେ ଯେପରି କୌଣସି ଅବହେଳା କିମ୍ବା ଅନିୟମିତତା ନହୁଏ ସେଥିପ୍ରତି ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ମାନ୍ୟବର ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ,ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ,ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଉପମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ଆଶୁତୋଷ ରାଉତ,ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ,ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ,ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ, ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାରମାନେ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
