ମୁଖ୍ୟ ଶାସନ ସଚିବଙ୍କ  ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

  • ରାଜ୍ୟର ଆର୍ଥିକ ପ୍ରଦର୍ଶନ ସ୍ଥିତି ସମୀକ୍ଷା
  • ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଉଥିବା ନିଷ୍ପତ୍ତି କାର୍ଯ୍ୟକାରିତାକୁ ଗୁରୁତ୍ୱ
  • ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର, ଘାଇ ମରାମତି ଓ ସ୍ୱାସ୍ଥ୍ୟସେବା ଆଦିକୁ ଗୁରୁତ୍ୱ
  • ଗଜପତି ଜିଲ୍ଲାର ୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରିତା ଓ ସାମଗ୍ରିକ ବିକାଶ ରୂପରେଖ ସମ୍ପର୍କରେ ଜିଲ୍ଲାପାଳଙ୍କ ବିସ୍ତୃତ ଉପସ୍ଥାପନା

ଭୁବନେଶ୍ୱର,୦୪/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ  ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।   ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସଫଳତାର ସହିତ ଆୟୋଜନ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସକ ଓ ଟିମ୍, ପୁରୀ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମ୍ମିଳିତ ପ୍ରୟାସ ପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। ସେହିପରି ଗତ ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ନିୟନ୍ତ୍ରଣ ଓ ଏହାର ପରିଚାଳନା ପାଇଁ ଅହରାତ୍ର  ପ୍ରଚେଷ୍ଟା କରିଥିବା ସଂପୃକ୍ତ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ ।ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ରିଲିଫ୍, ପୁନରୁଦ୍ଧାର, ଜଳ ନିଷ୍କାସନ, ଘାଇମରାମତି, ଥଇଥାନ ଓ ସ୍ୱାସ୍ଥ୍ୟସେବା ଆଦିକୁ ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବାକୁ ସେ ସଂପୃକ୍ତ ସଚିବ ମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଗତ୧୫ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟ ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ମଧ୍ୟ ମୁଖ୍ୟ ସଚିବ ଆଲୋକପାତ କରିଥିଲେ।

ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ଗତ ଜୁଲାଇମାସ ଶେଷ ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ ସ୍ଥିତି ଉପସ୍ଥାପନ କରିଥିଲେ । ଗତ ବର୍ଷ ତୁଳନାରେ ଚଳିତବର୍ଷ ଏହି ସମୟ ମଧ୍ୟରେ ବିଭିନ୍ନ ଉତ୍ସରୁ ରାଜସ୍ୱ ଆଦାୟ ବୃଦ୍ଧି ଘଟିଥିବା ବୈଠକରୁ ଜଣାଯାଇଛି ।ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ବ୍ୟୟ ଗତ ବର୍ଷ ତୁଳନାରେ ଏହି ସମୟ ସୁଦ୍ଧା୨୦.୨ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ସାମାଜିକ କ୍ଷେତ୍ରରେ ୧୬.୧ ପ୍ରତିଶତ ତୁଳନାତ୍ମକ ଭାବେ ବୃଦ୍ଧି ପାଇଛି ।  ବିଭିନ୍ନ ବିଭାଗର ଖର୍ଚ୍ଚ ସ୍ଥିତି ସମୀକ୍ଷା କରି ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟକରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟ ସଚିବ ସଚିବମାନଙ୍କୁ ନିର୍ଦ୍ଦେଶଦେଇଛନ୍ତି।

ବିକଶିତ ଓଡ଼ିଶା୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ବିକାଶ କ୍ରମରେ ବୈଠକରେ ଗଜପତିର ସାମଗ୍ରିକ ବିକାଶ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରଓ୍ୱାଲ ଜିଲ୍ଲା ପାଇଁ ପ୍ରସ୍ତୁତ କରାଯାଇଥିବା ୨୫ଟି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ବିସ୍ତୃତ ରୋଡ୍ ମ୍ୟାପ୍ ଉପସ୍ଥାପନ କରିଥିଲେ। ଗଜପତି ଜିଲ୍ଲାକୁ ପ୍ରକୃତି, ଐତିହ୍ୟ ଓ ଆଧ୍ୟାତ୍ମିକ ପର୍ଯ୍ୟଟନର ଏକ ପ୍ରମୁଖ ଗନ୍ତବ୍ୟସ୍ଥଳୀରେ ବିକଶିତ କରିବାକୁ ସେ ବିଭିନ୍ନ ପ୍ରାଥମିକତା ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଜିଲ୍ଲାରେ ବହୁ ସଂଖ୍ୟକ ଜଳପ୍ରପାତ ଥିବାରୁ ସେସବୁ ଅଂଚଳର ସମନ୍ୱିତ ବିକାଶ କରି ପର୍ଯ୍ୟଟନ ସର୍କିଟ୍ ଭାବେ ବିକଶିତ କରିବା, ଜିରାଙ୍ଗ ବୌଦ୍ଧ ପୀଠର ବିକାଶ, ମହେନ୍ଦ୍ରଗିରି ଇକୋ ଟୁରିଜିମ୍ ଏବଂ ଇକୋ-ଆଡ୍ଭେନ୍ଚର ଫେଷ୍ଟ, ପାରଳାଖେମୁଣ୍ଡିସ୍ଥିତ ‘ବୃନ୍ଦାବନ ରାଜପ୍ରାସାଦ’ଏୗତିହ୍ୟ ପର୍ଯ୍ୟଟନ, ରାମସାଗର ‘ଓ୍ୱାଟର ଫ୍ରଣ୍ଟ’ର ବିକାଶକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ ।ଜିଲ୍ଲାରେ ବନ୍ଦର ଭିତ୍ତିକ ଶିଳ୍ପାୟନ, ପ୍ରତି ଗ୍ରାମପଞ୍ଚାୟତରେ ଅନ୍ତତଃ ଗୋଟିଏ ଲେଖାଏଁ ମାଇଲଖୁଣ୍ଟ ପ୍ରକଳ୍ପର ସ୍ଥାପନ କରିବା, ଶିକ୍ଷା, ଆକାଂକ୍ଷା ଏବଂ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାପାଇଁ ‘ଡ୍ରିମ୍ ଗୃହ’ ସବୁ ବିକଶିତ କରାଯାଇ ଶିକ୍ଷାର ବିକାଶ, ସବୁ ଗ୍ରାମପଞ୍ଚାୟତ କୋଠାରେ ସୌରଶକ୍ତି ବ୍ୟବସ୍ଥା କରିବାକୁ ସେ ଉପସ୍ଥାପନ କରିଥିଲେ  ।

ଜିଲ୍ଲାରେ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧିନଥିବା ମେଗା ପାନୀୟଜଳ ପ୍ରକଳ୍ପ ଆସନ୍ତା ବର୍ଷ ୨୦୨୭ମଇ ମାସରୁ ଡିସେମ୍ବର ସୁଦ୍ଧା ସରିବା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ। ଲୌହମୁକ୍ତ ନିରାପଦ ପାନୀୟଜଳ ଯୋଗାଗକୁ ସୁନିଶ୍ଚିତ କରିବା, ନୂଆଗାଁ ବ୍ୟାରେଜ ପ୍ରକଳ୍ପ ର ବିକାଶକରି ଜଳସେଚନ ସାମର୍ଥ୍ୟ ବୃଦ୍ଧି, ଛେଳିଗଡ଼ ଜଳସେଚନ ପ୍ରକଳ୍ପକୁ ଶୀଘ୍ର ସାରିବା, ଜାତୀୟ ରାଜପଥ-୩୨୬ସଂପ୍ରସାରଣ ପ୍ରକଳ୍ପ ରେ ମୋହନା-କୋରାପୁଟ ଅର୍ଥନୈତିକ କରିଡର ର ବିକାଶ, ପାରଳାଖେମୁଣ୍ଡି ବାଇପାସ ରୋଡ୍ ନିର୍ମାଣ, ନୂଆମହେନ୍ଦ୍ରତନୟା ସେତୁ ନିର୍ମାଣ, ଜିଲ୍ଲାରେ ଜନଜାତିଙ୍କ ବିକାଶ, ବିଭିନ୍ନ ଜୀବିକା ନିର୍ବାହ କାର୍ଯ୍ୟକ୍ରମ, ଉଦ୍ୟାନ କୃଷି, ଖାଦ୍ୟ ପ୍ରକ୍ରିୟାକରଣକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରସ୍ତାବ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ ।

ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଦକ୍ଷତା ବୃଦ୍ଧି ଓ ଉତ୍କୃଷ୍ଟ ପରୀକ୍ଷାଫଳ ହାସଲ ଲକ୍ଷ୍ୟରେ ‘ପ୍ରୟାସ ସୁପର–୩୦’କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି।ଏହି ପଦକ୍ଷେପ ମାଧ୍ୟମରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଶିକ୍ଷାଦାନ, ନିୟମିତ ମାର୍ଗଦର୍ଶନ ଓ ପରୀକ୍ଷା ଭିତ୍ତିକ ପ୍ରସ୍ତୁତିର ସୁଯୋଗ ପ୍ରଦାନ କରାଯାଉଛି। ଏହାର ସକାରାତ୍ମକ ପରିଣାମ ସ୍ୱରୂପ୨୦୨୫ମସିହାର ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ ପରୀକ୍ଷା) ରେ ଜିଲ୍ଲାରେ ୯୯.୩୫ପ୍ରତିଶତ ପାସ୍ ହାର ହାସଲ   ହୋଇଛି ।ବର୍ତ୍ତମାନ ଶିକ୍ଷାବର୍ଷରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀଙ୍କୁ ଅଧିକ ସୁଦୃଢ଼ ଶୈକ୍ଷିକ ସହାୟତା ପ୍ରଦାନ କରାଯାଉଛି, ଯାହା ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ଶିକ୍ଷା ଫଳ ହାସଲ ଦିଗରେ ଜିଲ୍ଲାର ଏକ ସଫଳ ପଦକ୍ଷେପ ଭାବେ ପରିଗଣିତ ହେଉଛି। ‘ଶିକ୍ଷା ପ୍ରଶାସନରେ ନବସୃଜନ ଓ ଉତ୍ତମ କାର୍ଯ୍ୟ ପଦ୍ଧତି ପାଇଁ ଗଜପତି ଜିଲ୍ଲା ନୂଆଦିଲ୍ଲୀସ୍ଥିତ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ସଂସ୍ଥାନ (ଏନଆଇଇପିଏ)ପକ୍ଷରୁ ପାଇଁ ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବାରୁ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲାପ୍ରଶାସନର ପ୍ରୟାସକୁ ପ୍ରଶଂସା କରାଯାଇଥିଲା।“ସଂକଳ୍ପ ଓ ସମର୍ପଣ”କାର୍ଯ୍ୟକ୍ରମରେ ଏସଏସ୍ଡି, ଆଶ୍ରମ ଓ ସେବାଶ୍ରମ ସ୍କୁଲ ଗୁଡ଼ିକୁ ରୂପାନ୍ତରଣ କରି ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଗୁଣାତ୍ମକ ବିକାଶ, ପିଏମ ଶ୍ରୀ ଏବଂ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ, ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ଉନ୍ନତି କରଣ, ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମ ନିର୍ମାଣ, ଗଜପତି ଜିଲ୍ଲାକୁ ମାତୃ ଓ ଶିଶୁମୃତ୍ୟୁ ହାର ମୁକ୍ତ ଜିଲ୍ଲା ଭାବେ ପରିଣତ କରିବା ଭଳି ଜିଲ୍ଲାର ରଣନୈତିକ ବିକାଶ ରୂପରେଖ ପ୍ରସ୍ତୁତି ସଂପର୍କରେ ଆଲୋକପାତ କରାଯାଇଥିଲା। ଗଜପତି ଜିଲ୍ଲାର ବିକାଶ ପାଇଁ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଆଲୋଚନାରେ ଅଂଶଗ୍ରହଣ କରି ପରାମର୍ଶ ଦେଇଥିବା ବେଳେ ସମ୍ମିଳିତ ପ୍ରୟାସରେ ଜିଲ୍ଲାର ରୋଡମ୍ୟାପକୁ ବାସ୍ତବ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ପରାମର୍ଶ ଦେଇଛନ୍ତି ।

ଏଥି ସହିତ ବୈଠକରେ ମୁଖ୍ୟଶାସନ ସଚିବ ଶ୍ରୀମତୀ ଗର୍ଗ ଅଦ୍ୟାବଧି ନିଆଯାଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମୂହ ଓ ସେସବୁ ର ରୂପାୟନ ସ୍ଥିତି ସଂପର୍କରେ ଗୁରୁତ୍ୱୋରାପ କରି ସମସ୍ତ ବିଭାଗୀୟ ସଚିବମାନଙ୍କୁ ଅନୁମୋଦିତ ପ୍ରସ୍ତାବ ଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ, ନିୟମିତ ଫଲୋ-ଅପ୍ (ଅନୂସରଣ) ଓ ଅନୁପାଳନ କିରବାକୁ  ନିର୍ଦ୍ଦେଶ ଦେଇଥିଲେ।

ଉନ୍ନୟନ କମିଶନର ଶ୍ରୀ ସିଂହ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ତଦାରଖ ଓ କାର୍ଯ୍ୟାନ୍ୱୟନ ଅନୁଧ୍ୟାନ  ପାଇଁ  ସଚିବମାନଙ୍କ ଜିଲ୍ଲାଗସ୍ତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ଗତ ମାସରେ ଜିଲ୍ଲାଗସ୍ତ କରିଥିବା ସଚିବ ତଥା ବରିଷ୍ଠ ଅଧିକାରୀମାନଙ୍କ ଗସ୍ତ ବିବରଣୀ ପ୍ରଦାନ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ସାଇବର ଅପରାଧର ପ୍ରଭାବୀ ନିୟନ୍ତ୍ରଣ ଏବଂ ନିଶାମୁକ୍ତ ଅଭିଯାନ ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱିତ ପଦକ୍ଷେପ, ବ୍ୟାପକ ଜନସଚେତନତା ସୃଷ୍ଟିଏବଂ ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

-0-

ପଠାଣି ରାଉତ ମୁଖ୍ୟଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *