ଯାଜପୁରରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ତ୍ୱରାନ୍ୱିତ: ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଓ କ୍ଷୟକ୍ଷତି ଆକଳନ ଉପରେ ଗୁରୁତ୍ୱ

ଯାଜପୁର,୦୨/୦୮/୨୦୨୬ (ଓଡ଼ିଶା ସମାଚାର)- ବନ୍ୟା ଜଳ ହ୍ରାସ ପାଇବା ପରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର ଓ ଜନସେବା କାର୍ଯ୍ୟକ୍ରମକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଆଜି ଯାଜପୁର ବ୍ଲକର ଏରବାଙ୍କ ଓ ଜାଲପଡ଼ା ଗ୍ରାମ ପଞ୍ଚାୟତ ସମେତ ବରୀ ବ୍ଲକର କିମିରିଆପାଳ, ଅତିରା ଓ ବାଇସିରିଆ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିଲେ।

ଗତକାଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଦଶରଥପୁର ବ୍ଲକ କାର୍ଯ୍ୟାଳୟରେ ବନ୍ୟାଜନିତ କ୍ଷୟକ୍ଷତି ଆକଳନ ସମ୍ପର୍କିତ ଏକ ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ରହି କ୍ଷୟକ୍ଷତି ଆକଳନ କାର୍ଯ୍ୟକୁ ସଠିକ୍, ସ୍ୱଚ୍ଛ ଏବଂ ସମୟବଦ୍ଧ ଭାବେ ସମ୍ପନ୍ନ କରିବା ସହ ପ୍ରଭାବିତ ଅଞ୍ଚଳରୁ ଶୀଘ୍ର ରିପୋର୍ଟ ସଂଗ୍ରହ କରିବା ଉପରେ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପଲ୍ଲବୀ ରାଣୀ ରାଜ ବଡ଼ଚଣା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ କଳାଶ୍ରୀ, ଗୋପାଳପୁର ଓ ଚାରିନଙ୍ଗଳ  ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସହ ଯୋଗାଯୋଗ ବ୍ୟବସ୍ଥାର ଶୀଘ୍ର ପୁନରୁଦ୍ଧାର ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

ବନ୍ୟା ପରବର୍ତ୍ତୀ ଜଳବାହିତ ରୋଗ ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଜୀବାଣୁନାଶକ କାର୍ଯ୍ୟ, ପାନୀୟ ଜଳ ଉତ୍ସର ବିଶୋଧନ ଏବଂ ଜଳର ଗୁଣବତ୍ତା ପରୀକ୍ଷା ଜାରି ରହିଛି। ଜନସାଧାରଣଙ୍କୁ ଫୁଟାଇ ଥଣ୍ଡା କରାଯାଇଥିବା ପାଣି ପିଇବା ଓ ପରିବେଶ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଚେତନ କରାଯାଉଛି। ସେହିପରି ବିଭିନ୍ନ ବ୍ଲକରେ ବେସରକାରୀ (ନିଜସ୍ୱ) ନଳକୂପଗୁଡ଼ିକର ବିଶୋଧନ କାର୍ଯ୍ୟ ମଧ୍ୟ ବ୍ୟାପକ ଭାବେ ଚାଲିଛି, ଯାହାଦ୍ୱାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ହେବା ସହ ଜଳବାହିତ ରୋଗର ସଂକ୍ରମଣକୁ ରୋକାଯାଇପାରିବ।

ଆଜି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWS&S) ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଦଶରଥପୁର ବ୍ଲକ ଅନ୍ତର୍ଗତ ମଲ୍ଲିକାପୁର ପଞ୍ଚାୟତର ଦଣ୍ଡିସାହି ଗ୍ରାମରେ ଚାଲିଥିବା ବିଶୋଧନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ସେ ନିର୍ଦ୍ଧାରିତ ମାନକ ସଞ୍ଚାଳନ ପ୍ରକ୍ରିୟା (SOP) ଅନୁଯାୟୀ ସମସ୍ତ ପାନୀୟ ଜଳ ଉତ୍ସର ବିଶୋଧନ କାର୍ଯ୍ୟ ଶୀଘ୍ର ଓ ସଠିକ୍ ଭାବେ ସମ୍ପନ୍ନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସି.ଏଚ୍.ଓ.ମାନେ ଘରକୁ ଘର ବୁଲି ଓଆରଏସ୍, ଆବଶ୍ୟକ ଔଷଧ, ହାଲୋଜେନ୍ ବଟିକା ବଣ୍ଟନ କରୁଛନ୍ତି। କୂଅଗୁଡ଼ିକର ବିଶୋଧନ, ଆବଶ୍ୟକତା ଅନୁଯାୟୀ ସାନିଟାରୀ ନାପକିନ୍ ବଣ୍ଟନ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ନିଶ୍ଚିତ କରିବା ଦିଗରେ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଉଛି।

ଏହା ସହିତ, ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବନ୍ୟାଜନିତ କ୍ଷୟକ୍ଷତିର ସବିଶେଷ ଆକଳନ କାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି। ସମ୍ପୃକ୍ତ ବିଭାଗଗୁଡ଼ିକ କ୍ଷେତ୍ର ପରିଦର୍ଶନ କରି ଘରବାଡ଼ି, କୃଷିଜମି, ରାସ୍ତାଘାଟ, ଜନସାଧାରଣଙ୍କ ସମ୍ପତ୍ତି ଓ ସରକାରୀ ଭିତ୍ତିଭୂମିର ହୋଇଥିବା କ୍ଷୟକ୍ଷତିର ତଥ୍ୟ ସଂଗ୍ରହ କରୁଛନ୍ତି। ଆକଳନ ରିପୋର୍ଟ ଆଧାରରେ ପରବର୍ତ୍ତୀ ପୁନରୁଦ୍ଧାର ଓ ସହାୟତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

ଜିଲ୍ଲା ପ୍ରଶାସନ ବନ୍ୟା ପରବର୍ତ୍ତୀ ସମଗ୍ର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସେବାର ନିରବଚ୍ଛିନ୍ନ ଯୋଗାଣ ଏବଂ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *