ସାଇ କା ଆଙ୍ଗନ୍’ରେ ତୃତୀୟ ବର୍ଷରେ ରଥଯାତ୍ରା

                 ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଛେରାପହଁରା

ନୂଆଦିଲ୍ଲୀ,୧୬/୦୭/୨୦୨୬ (ଓଡ଼ିଶା ସମାଚାର)- ଗୁରୁଗ୍ରାମସ୍ଥିତ ‘ସାଇ କା ଆଙ୍ଗନ୍’ଠାରେ ତୃତୀୟ ବର୍ଷ ପାଇଁ ରଥଯାତ୍ରା ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ଭକ୍ତିଭାବପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଶ୍ରୀଜୀଉମାନଙ୍କୁ ‘ସାଇ କା ଆଙ୍ଗନ୍’ ସ୍ଥିତ ସଭାମଣ୍ଡପରେ ସ୍ଥାପନ କରାଯିବା ପରେ ଦେବ ନୀତି ସମ୍ପନ୍ନ ହୋଇ ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥିଲା । ଅପରାହ୍ନରେ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଗହଣରେ ଘଂଟ,ଘଂଟାନାଦ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ପରେ ରଥାରୂଢ଼ କରାଯାଇଥିଲା । ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ରଥ ଉପରେ ଛେରା ପହଁରା କରିଥିଲେ ।


କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ସଭାମଣ୍ଡପରେ ଶ୍ରୀଜୀଉମାନଙ୍କର ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ଅପରାହ୍ନ ୩ ଘଟିକା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ନୂଆଦିଲ୍ଲୀ, ହରିଆନା, ପଞ୍ଜାବ ପ୍ରଭୃତି ପଡ଼ୋଶୀ ରାଜ୍ୟ ସମେତ ସ୍ଥାନୀୟ ଅଧିବାସୀମାନେ ଶହ ଶହ ସଂଖ୍ୟାରେ ଏଥିରେ ଯୋଗଦେଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର ଆଦି ରାଜ୍ୟ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଦୁବାଇ ଓ ଲଣ୍ଡନରୁ ବହୁ ଭକ୍ତ ଗୁରୁଜୀଙ୍କ ନେତୃତ୍ୱରେ ଅନୁଷ୍ଠିତ ରଥଯାତ୍ରା ଉତ୍ସବରେ ଯୋଗଦେବାକୁ ଆସିଛନ୍ତି । ଓଡ଼ିଶାର ବିଭିନ୍ନ ଜିଲାରୁ ମଧ୍ୟ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଏଠାରେ ରଥଯାତ୍ରା ଦେଖିବାକୁ ପହଂଚିଛନ୍ତି ।

ଏହି ଅବସରରେ ଓଡ଼ିଶାର ଉତ୍କର୍ଷ କଳା ଓ ସଂସ୍କୃତିର ପ୍ରଦର୍ଶନ ପୂର୍ବକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାତିରେ ପୁରୀର ସୂପକାରମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରସାଦରେ ସମସ୍ତ ଭକ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଆଧ୍ୟାତ୍ମିକ ଚିନ୍ତକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ଗୁରୁଗ୍ରାମସ୍ଥିତ ‘ସାଇ କା ଆଙ୍ଗନ୍’ଠାରେ ୨୦୨୪ ମସିହାରୁ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଦୀର୍ଘ ତିନି ଦଶନ୍ଧି ଧରି ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକ ଆନ୍ଦୋଳନର ବାର୍ତାବହ ରୂପେ କାର୍ଯ୍ୟ କରିଆସୁଥିବା ଗୁରୁଜୀ ଡ. ଶତପଥୀ ୨୦୦୯ ମସିହାରେ ନୂଆଦିଲ୍ଳୀର ପାୱାର ଗ୍ରିଡ଼ ମନ୍ଦିରରେ ପ୍ରଥମେ ରଥଯାତ୍ରା ଉତ୍ସବ ଆରମ୍ଭ କରିଥିଲେ ।

୨୦୧୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଡଲାସ ଏବଂ ନାସଭିଲେ ଏବଂ ୨୦୧୨ରେ ହଷ୍ଟନଠାରେ ତାଙ୍କରି ଉଦ୍ୟମରେ ରଥଯାତ୍ରା ଉତ୍ସବ ଆୟୋଜନ ହୋଇଥିଲା । ମାତ୍ର ତିନିବର୍ଷ ମଧ୍ୟରେ ଗୁରୁଗ୍ରାମସ୍ଥିତ ରଥଯାତ୍ରା ଏ ଅଂଚଳର ଏକ ବହୁ ପ୍ରତୀକ୍ଷିତ ବାର୍ଷିକ ଆଧ୍ୟାତ୍ମିକ ମହୋତ୍ସବରେ ପରିଣତ ହୋଇଯାଇଛି । ବିଭିନ୍ନ ଜାତି, ବର୍ଗ ଓ ସଂସ୍କୃତି ନିର୍ବିଶେଷରେ ଭକ୍ତି, ଏକତା ଓ ସାର୍ବଜନୀନ ଭ୍ରାତୃଭାବର ଏହା ଏକ ସଂଗମ ସ୍ଥଳୀରେ ପରିଣତ ହୋଇଛି ।

ସିବି ଶତପଥୀ କଲଚରାଲ ଫାଉଣ୍ଡେସନ ଓ ‘ସାଇ କା ଆଙ୍ଗନ’ ପରିଚାଳନା କମିଟି ପକ୍ଷରୁ ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରା ତଥା ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତିର ଜାଗରଣ ନିମିତ ଓଡ଼ିଶାର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ସଚେତନ କରିବା ଉଦ୍ଧେଶ୍ୟରେ ବହୁବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଙ୍କ ଦ୍ଵାରା ରଥ ଟଣା
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରଥ ଟାଣିଥିଲେ ।
କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ସଚିବ ନିକୁଞ୍ଜ ଧଳ, ହରିଆଣା ପୋଲିସ ଡିଜି, ବିହାର ସରକାରଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ଅରବିନ୍ଦ କୁମାର ଚୌଧୁରୀ ଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ପଦାଧିକାରୀ ଯୋଗ ଦେଇ ରଥ ଟାଣିଥିଲେ ।l ସେନା ର ଅବସରପ୍ରାପ୍ତ ଭାଇସ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ଓ ସୀମା ସୁରକ୍ଷା ବାହିନୀର ଅବସର ପ୍ରାପ୍ତ ଡିଜି ଅରୁଣ କୁମାର ରଥ ଟଣା ପରିଚାଳନା କରିଥିଲେ  ।

                                     ଶୁଭେଚ୍ଛା :

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁଜୀଙ୍କ ପ୍ରେରଣାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ପାଇଁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ଗୁରୁଜୀଙ୍କ ନେତୃତ୍ୱରେ ସିବିଏସ କଲଚରାଲ ଫାଉଣ୍ଡେସନ୍ ସାଂସ୍କୃତିକ ମୂଲ୍ୟବୋଧ ଓ ମାନବ ସମାଜର ଆଧ୍ୟାତ୍ମିକ ଉତ୍ଥାନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି । ବିହାର ଉପ ମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଗୁରୁଗ୍ରାମରେ ରଥଯାତ୍ରା ପାଇଁ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବାକୁ ଚାହିଁଥିଲେ ମଧ୍ୟ ଯୋଗଦେଇପାରୁନଥିବାରୁ ଦୁଃଖ ପ୍ରକାଶ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର ଯାତ୍ରା ସମସ୍ତଙ୍କ ମଧ୍ୟରେ ଶାନ୍ତି, ସୁଖ ଓ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍ତି ।

ଓଡ଼ିଶାର ରାଜ୍ୟପାଳ ହରିଭାଉ କମ୍ବମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁଜୀଙ୍କ ତତ୍ୱାବଧାନରେ ଗୁରୁଗ୍ରାମରେ ହେଉଥିବା ରଥଯାତ୍ରା ପାଇଁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ।
()

Leave a Reply

Your email address will not be published. Required fields are marked *