*ସମସ୍ତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଦାବି
*ସାମ୍ବାଦିକ ମାନେ ସାଧୁତା , ସଚ୍ଚୋଟତା ଓ ମାନବିକତା ସହ କାର୍ଯ୍ୟ କରିବାକୁ ଆହ୍ୱାନ
ଭୁବନ ୦୨/୦୮/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଢେ଼ଙ୍କାନାଳ ଜିଲ୍ଲା ଶାଖା ତରଫରୁ ଗନ୍ଦିଆ ଗିରିଧାରୀ ମଠ ( ଜଗନ୍ନାଥ ମନ୍ଦିର ) ପ୍ରାଙ୍ଗଣରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁଶାନ୍ତ କୁମାର ପୋଥାଳ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ , ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଅନ୍ୟ ମାନଙ୍କ ଠାରୁ ଭିନ୍ନ ,ସ୍ୱତନ୍ତ୍ର ଓ ନିଆରା ସଂଗଠନ ।
ଏଥିରେ ସଦସ୍ୟ ହେବା ମାତ୍ରେ ଆଇ କାର୍ଡ, ସାର୍ଟିଫିକେଟ ସହିତ ୧ ଲକ୍ଷ ଟଙ୍କା ବୀମା ସୁବିଧା ମିଳୁଛି । ସମସ୍ତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ସାମିଲ କରି ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ଡିଜିଟାଲ ମିଡିଆ ମହାସଂଘ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଶତପଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ନିବେଦନ କରିଥିଲେ। ପରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶତପଥୀ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ସଦସ୍ୟ ଙ୍କ ସହ କଥା ହୋଇ ବୈଠକର ସଫଳତା କାମନା କରିଥିଲେ ।
ଏହି ବୈଠକରେ ଗନ୍ଦିଆ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଓ ରାଜନେତା ମାନେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। ଉଭୟେ ଉଭୟଙ୍କ ସହ ପରିପୂରକ । ଲୋକଙ୍କ ସମସ୍ୟାକୁ ସରକାରଙ୍କ ଜରିଆରେ ସମାଧାନ କରିବାରେ ସାମ୍ବାଦିକ ମାନଙ୍କ ପ୍ରମୁଖ ଭୂମିକା ରହିଛି । ସାମ୍ବାଦିକମାନେ ତଥ୍ୟ ଭିତ୍ତିକ ସତ୍ୟ ଖବର ପରିବେଷଣ କରିବା ସହିତ ସାଧୁତା,ସଚ୍ଚୋଟତା, ମାନବିକତା ଓ ନୀତି , ନୈତିକତାର ସହ କାର୍ଯ୍ୟ କଲେ ସମାଜରେ ଅଧିକ ଗ୍ରହଣୀୟ ହୋଇପାରିବେ ବୋଲି ଶ୍ରୀଯୁକ୍ତ ସିଂହ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଓ ଡି ଏମ୍ ମହାସଂଘ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ମାହି ଯୋଗଦେଇ କହିଥିଲେ ଯେ,ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଏକ ସଂଗଠନ ନୁହେଁ,ଏହା ଏକ ସାମାଜିକ ଅନୁଷ୍ଠାନ । ଗରିବ, ଅସହାୟ,ନିସହାୟ ଲୋକଙ୍କ ସ୍ୱର ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ବଦ୍ଧ । ଆପଣ ମାନେ ସମାଜର ତଳ ସ୍ତରର ଲୋକଙ୍କ ସ୍ୱର ପାଲଟନ୍ତୁ ,ଲୋକଙ୍କ ସାଥିରେ ରହି ସମସ୍ୟା ସମାଧାନ କରନ୍ତୁ । 
ଆପଣ ମାନଙ୍କ କାର୍ଯ୍ୟ ଦେଖି ଅନ୍ୟ ମାନେ ଆପେ ଯୋଡ଼ି ହେବେ ଓ ସଂଗଠନ ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଓ ଡି ଏମ୍ ମହାସଂଘ ରାଜ୍ୟ ସମ୍ପାଦକ ସଦାଶିବ ମହାପାତ୍ର,ପ୍ରମୋଦ କୁମାର ମହାନ୍ତି ଓ ପୁଷ୍ପଲତା ସାମଲ ଯୋଗଦେଇ ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସାମ୍ବାଦିକ ମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ସାମାଜିକ ସୁରକ୍ଷା ଓ ସମ୍ମାନ ଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ଓ କର୍ତ୍ତବ୍ୟ। ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ ।
ଜିଲ୍ଲା ଉପ ସଭାପତି ସରୋଜ କୁମାର ମହାଳିକ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଶ୍ରୀଯୁକ୍ତ ମଳୟ କୁମାର ସିଂହ ଙ୍କୁ ଜିଲ୍ଲା ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ବିଶ୍ୱ ରଞ୍ଜନ ହାତୀ, ଯୁଗ୍ମ ସମ୍ପାଦକ ଅଭିଜିତ୍ ମହାପାତ୍ର,ରାକେଶ ରଞ୍ଜନ ପଟ୍ଟନାୟକ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପୋଥାଳ,ବୁଦ୍ଧଦେବ ପଣ୍ଡା,ସୁଦର୍ଶନ ପୁହାଣ,ଦୀପକ ସାହୁ,ବିନୟ କୁମାର ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
