ପଞ୍ଜାବ, ତେଲେଙ୍ଗାନା ପ୍ରତିନିଧିଙ୍କୁ ପ୍ରଭାବିତ କଲା ଓଡ଼ିଶାର ସୁବାହକ ଯୋଜନା

# ଛତିଆସ୍ଥିତ ନିଶୁଳ୍କ ଭାରୀଯାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ବୁଲିଲେ

# ସ୍ୱୟଂକ୍ରିୟ ଯାନ ଚାଳନା ପରୀକ୍ଷଣ ବ୍ୟବସ୍ଥା ବୁଝିଲେ, ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ବୁଲି ଦେଖିଲେ

# ଓଡ଼ିଶାର ସଫଳତାକୁ ନିଜ ରାଜ୍ୟରେ ଲାଗୁ କରିବାକୁ ପଦକ୍ଷେପ ନେବେ

ଭୁବନେଶ୍ୱର, ୨୬/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ତେଲେଙ୍ଗାନା ଓ ପଞ୍ଜାବର ପରିବହନ ବିଭାଗୀୟ ପ୍ରତିନିଧିମଣ୍ଡଳୀ ଗତ ଦୁଇ ଦିନ ଧରି ଓଡ଼ିଶାର ପରିବହନ ସେବା କ୍ଷେତ୍ରର ବିଭିନ୍ନ ଦିଗ ଓ କାର୍ଯ୍ୟପ୍ରଣାଳୀ ବାବଦରେ ରାଜ୍ୟ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ବିସ୍ତୃତ ଭାବେ ଅବଗତ ହୋଇଛନ୍ତି । ପରିବହନ ସେବା କ୍ଷେତ୍ରରେ ଓଡ଼ିଶାର ବ୍ୟବସ୍ଥା ସେମାନଙ୍କୁ ଖୁବ୍‌ ପ୍ରଭାବିତ କରିଛି । ସେମାନେ ନିଜ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦେବେ ବୋଲି ମତ ଦେଇଛନ୍ତି । ପ୍ରତିନିଧି ମଣ୍ଡଳୀ ଯାଜପୁର ଜିଲ୍ଲା ଛତିଆସ୍ଥିତ ସରକାରୀ ଓ ଘରୋଇ ସହଭାଗିତାରେ ପ୍ରତିଷ୍ଠିତ ଭାରୀଯାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏଠାରେ  ନିଶୁଳ୍କ ତାଲିମ ପ୍ରଦାନ କ୍ରମେ ଭାରୀଯାନ ଚାଳକଙ୍କ ଦକ୍ଷତା ବୃଦ୍ଧି କରିସୁବାହକର ମାନ୍ୟତା ପ୍ରଦାନ କରାଯାଏ । ଏହି କେନ୍ଦ୍ର କେବଳ ରାଜ୍ୟରେ ନୁହେଁ, ସାରା ଦେଶରେ ଏକ ମଡେଲ ଭାବରେ ପରିଚିତ ହୋଇଛି । ଏହାର କ୍ୟାମ୍ପସ, ପ୍ରଶିକ୍ଷଣ ପାଇଁ ଆଧୁନିକ ଉପକରଣ, ଶିକ୍ଷାର୍ଥୀଙ୍କ ଗାଡ଼ି ଚାଳନା ଦକ୍ଷତା ଓ ବ୍ୟକ୍ତିତ୍ୱ ବିକାଶ ପାଇଁ ବିଭିନ୍ନ ବ୍ୟବସ୍ଥା ଦେଖି ପ୍ରତିନିଧି ମଣ୍ଡଳୀ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରତିଷ୍ଠାନର ପ୍ରଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରି ପୂରା ବ୍ୟବସ୍ଥାକୁ ବୁଝିଥିଲେ । ପରେ ସେମାନେ ଚଣ୍ଡିଖୋଲସ୍ଥିତ ସ୍ୱୟଂକ୍ରିୟ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏଠାରେ ମାନବୀୟ ହସ୍ତକ୍ଷେପକୁ ଏଡ଼ାଇ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତିରେ ସ୍ୱଚ୍ଛତା ଆଣିବାକୁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ହେଉଛି । ପ୍ରତିନିଧିମଣ୍ଡଳୀଙ୍କ ସହ ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି, ଚଣ୍ଡିଖୋଲ ଆରଟିଓ ସମ୍ବିତ କୁମାର, ଏମଭିଆଇ ପଦ୍ମଜା ମହାନ୍ତି, ଛତିଆ ଆଇଡିଟିଆର୍‌ ପ୍ରିନ୍ସିପାଲ ସାଦ୍ଦିକ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିନିଧିମଣ୍ଡଳୀ ଭୁବନେଶ୍ୱରରେ ଥିବା ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରକୁ ଆସି ରାଜ୍ୟରେ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଥିବା ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏମଏସ) ଓ ଭେହିକିଲ୍‌ ଲୋକେସନ ଟ୍ରାକିଂ ଡିଭାଇସ୍‌ (ଭିଏଲଟିଡି) ସଂପର୍କରେ ବୁଝିଥିଲେ । ଏ ସଂକ୍ରାନ୍ତରେ ସେମାନଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ପରିବହନ କମିସନର ଦୀପ୍ତିରଂଜନ ପାତ୍ର ପରିଚାଳନା କରିଥିଲେ । ରାଜ୍ୟ ପରିବହନ କମିସନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ଉଭୟ ରାଜ୍ୟର ବରିଷ୍ଠ ପ୍ରତିନିଧିମାନଙ୍କ ସହ ଆରଟିଓ-୧, ଭୁବନେଶ୍ୱର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ରାଜ୍ୟର ପ୍ରତିନିଧି ଆମ ରାଜ୍ୟରେ ପରିବହନ ସେବା ସଂପର୍କରେ ସେମାନଙ୍କ ମତ ରଖିଥିଲେ । ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପଗୁଡ଼ିକୁ ସେମାନେ ଉଚ୍ଚପ୍ରଶଂସା କରିଛନ୍ତି । ନିଜ ରାଜ୍ୟରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସେମାନେ ପ୍ରସ୍ତାବ ଦେବେ ବୋଲି କହିଛନ୍ତି । ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେତେକ ସଫଳ ପ୍ରୟାସ ସଂପର୍କରେ ସେମାନେ ମଧ୍ୟ ଉଲ୍ଲେଖ କରିଥିଲେ ।

Leave a Reply

Your email address will not be published. Required fields are marked *