ଭୁବନେଶ୍ୱର,୦୨/୦୮/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ସାମ୍ପ୍ରତିକ ଡିଜିଟାଲ ମିଡ଼ିଆ ଯୁଗରେ ଯୁବକଯୁବତୀମାନେ ଫେସ୍ବୁକ୍, ୱାଟସଆପ ମାଧ୍ୟମରେ ପରସ୍ପରକୁ ବନ୍ଧୁତ୍ୱର ଶୁଭେଚ୍ଛା ଜଣାଉଥିବା ବେଳେ ଆଉ କେହି କେହି ପଂଚତାରକା ହୋଟେଲ, ପାର୍କ ଓ ପର୍ଯ୍ୟଟନସ୍ଥଳୀରେ ଭିଡ଼ ଜମାଇ ଭୋଜିଭାତରେ ମାତି ରହି ପରସ୍ପରକୁ ବନ୍ଧୁତ୍ୱ ଦିବସର ଅଭିନନ୍ଦନ ଜଣାଉଥିବା ବେଳେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ ୱାର୍କର କ୍ଲବର ସଦସ୍ୟମାନେ ବିଶ୍ୱ ବନ୍ଧୁତ୍ୱ ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ।

୧୯୯୯ ମସିହା ମହାବାତ୍ୟା ପରେ ୟୁନିଟ୍-୯ ଫ୍ଲାଟରେ ସୁନାରାମ ସିଂ ନାମକ ଜଣେ ବ୍ୟକ୍ତି ଏକ ଛୋଟ ଚାକୁଣ୍ଡା ଚାରା ରୋପଣ କରିଥିଲେ, ଯାହା ଆଜି ଏକ ମହାଦ୍ରୁମରେ ପରିଣତ ହୋଇ ୪୫ ଡିଗ୍ରୀ ଖରାରେ ତାର ଛାଇରେ ଲୋକମାନଙ୍କୁ ଆଶ୍ରୟ ଦେଇପାରୁଛି । ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ ନିଜ ବକ୍ତବ୍ୟରେ କହିଥିଲେ ଯେ, ବୃକ୍ଷ ଆମର ପ୍ରକୃତ ବନ୍ଧୁ । ନିସ୍ୱାର୍ଥପର ଭାବରେ ସେ ଲୋକମାନଙ୍କୁ ଅମ୍ଲଜାନ ଯୋଗାଇଥାଏ । ମାତ୍ର ବର୍ତମାନ ସମୟରେ ଯେଉଁଭଳି ଭାବରେ ବୃକ୍ଷ ଛେଦନ କରାଯାଉଛି, ତାହାର ପ୍ରଭାବରେ ପରିବେଶ ପ୍ରଦୂଷଣ ସହ ତାପମାତ୍ରା ବୃଦ୍ଧି ପାଇବ, ଯାହାର କୁପରିଣତିକୁ ସାଧାରଣ ଜନତା ସମ୍ମୁଖୀନ ହେବେ । ତେଣୁ ଆଗାମୀ ପିଢି ପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସେ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପାଇକ ଆଖଡ଼ାର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବିର କୁମାର ପରିଡ଼ା, ଜ୍ୟୋତିପ୍ରକାଶ ମିଶ୍ର, ଭଜମନ ମହାନ୍ତି, ବିପିନ ମହାନ୍ତି, କାଳିପ୍ରସାଦ ମିଶ୍ର, ଗୌତମ ବେହେରା, ରାକେଶ ସେଠୀ, ସମାଜସେବୀ ରାଣାପ୍ରତାପ ପାତ୍ର, ସଂଗ୍ରାମ ଜେନା, ସରୋଜିନୀ ମିଶ୍ର, ସୁଷମା ଲେଙ୍କା, ନିରୁପମା ରଥ, ଇତିଶ୍ରୀ ପତି, ପୁଷ୍ପାଞ୍ଜଳି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଏକ କବିତା ଆସର ପରିବେଷଣ କରାଯାଇଥିଲା । ଶେଷରେ ସମ୍ପାଦକ ବିବେକାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
