ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଙ୍କ ସମସ୍ୟା ଉପରେ ଗୁରୁତ୍ୱାରୋପ
ଭୁବନ ୨୯/୦୭/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ପଞ୍ଚାୟତ ସମିତି ର ଦଶମ ସାଧାରଣ ଅଧିବେଶନ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ପ୍ରତିନିଧି ଭାବେ ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା ମୁଖ୍ୟ ଅତିଥି,କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ବାଚିତ ପ୍ରତିନିଧି ମାନଙ୍କ ସହମତିରେ ଅସମ୍ପୂର୍ଣ୍ଣ କାର୍ୟ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବ ବିବରଣୀ ପାଠ କରାଯାଇ ଏହାକୁ ସର୍ବ ସମ୍ମତ କ୍ରମେ ଦୃଢ଼ୀକରଣ କରାଯାଇଥିଲା ।
ଆଜିର ବୈଠକରେ ଏକ ନୂତନ ସଭାଗୃହ ନିର୍ମାଣ,ଯମୁନାକୋଟ ବିଦ୍ୟାଳୟ କୁ ପାନୀୟ ଜଳ ଯୋଗାଣ, ଦିଘୀ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବା ସହିତ ଆଲୋକୀକରଣ,ଅଙ୍ଗନୱାଡି କେନ୍ଦ୍ର କୁ ବିଦ୍ୟୁତ୍ ସଂଯୋଗ, ପ୍ରତ୍ୟେକ ପଞ୍ଚାୟତରେ ଜଳ ଯୋଗାଣ ପ୍ରକଳ୍ପ କୁ ବିଦ୍ୟୁତ୍ ସଂଯୋଗ କରାଯିବାକୁ ବିଦ୍ୟୁତ୍ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଥିବା ଓ ସର୍ଭେ ରେ ବାଦ୍ ପଡ଼ିଥିବା ହିତାଧିକାରୀ ମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସଠିକ୍ ତଥା ଯୋଗ୍ୟ ହିତାଧିକାରୀ ଚୟନ କରି ଗୃହ ନିର୍ମାଣ ପାଇଁ କାର୍ୟ୍ୟାଦେଶ ବଣ୍ଟନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା ।
ଏହି ବୈଠକରେ ଉପାଧ୍ୟକ୍ଷା ସରୋଜିନୀ ଦ୍ବିବେଦୀ,ଜିଲ୍ଲା ପରିଷଦ ସଭ୍ୟ ଶିଲାରାଣୀ ସାହୁ,ରମେଶ ଚନ୍ଦ୍ର ସାହୁ,ସୁବାସ ମାଝୀ ଙ୍କ ସମେତ ସମସ୍ତ ସରପଞ୍ଚ,ସମିତିସଭ୍ୟ ଯୋଗଦେଇଥିଲେ । ବିଡ଼ିଓ ଶ୍ରୀମତୀ ଆୟୁଶୀ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମିଶ୍ର ,ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର ବେହେରା ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
