ରାଜ୍ୟସ୍ତରୀୟ ରୋଜଗାର ମେଳା

                                                  ୩୦୨ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଂଟିଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର,୨୫/୧୦/୨୦୨୫ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଂଟିଛନ୍ତି । ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରୋଜଗାର ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୦୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି ।

ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଭାରତୀୟ ଡାକ ବିଭାଗ, ରେଳବାଇ, ରାଷ୍ଟ୍ରାୟାତ ବ୍ୟାଙ୍କ, କେନ୍ଦ୍ରୀୟ ଜିଏସଟି, ସିଆରପିଏଫ୍ ଭୁବନେଶ୍ୱର ଏମ୍ସ ଆଦି ବିଭାଗ ଓ ପ୍ରତିଷ୍ଠାନରେ ନିଯୁକ୍ତି ମିଳିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଆଭାସୀ ପ୍ରସାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ କହିଥିଲେ ଯେ ଏହି ମେଳାରେ ଓଡ଼ିଶାର ଅନେକ ଯୁବକଯୁବତୀ ନିଜର ସ୍ୱପ୍ନକୁ ସାକାର କରିବାର ସୁଯୋଗ ପାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପୂର୍ଣ୍ଣ ନେତୃତ୍ୱରେ ଦେଶର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ ଏବଂ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ପ୍ରଦାନ କରାଯାଉଛି ।

ରୋଜଗାର ସୃଷ୍ଟି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଯୁବବର୍ଗଙ୍କ ସଶକ୍ତିକରଣ ଓ ଦେଶର ଉନ୍ନତିର ମୂଳମନ୍ତ୍ର । ମୋଦୀ ସରକାର ଯୁବ ଶକ୍ତିକୁ ଦେଶର ପ୍ରଗତିର ମେରୁଦଣ୍ଡ ଭାବରେ ଦେଖୁଛନ୍ତି ଏବଂ ସେମାନଙ୍କର ଉଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ବୋଲି ଶ୍ରୀ ଓରାମ କହିଥିଲେ ।

Leave a Reply

Your email address will not be published. Required fields are marked *