କଟକ,୨୬/୦୭/୨୦୨୬ (ଓଡ଼ିଶା ସମାଚାର/ଦେବାଶିଷ ରଥ)-ବିଶ୍ଵ ଭୂବନର ତ୍ରାଣକର୍ତ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ଓ ନିଳାଦ୍ରୀବିଜେ ଅବସରରେ କଟକ ଉନ୍ନୟନ କର୍ତ୍ତୃପକ୍ଷ (କେଡିଏ) ଦ୍ଵାରା ଆୟୋଜିତ ଏବଂ ମହାନଦୀବିହାର ଡେଭେଲପମେଣ୍ଟ ଆସୋସିଏସନ୍ (ଏମଡିଏ) ଓ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ (ଜେଏସପି)ର ମିଳିତ ସହଯୋଗରେ ୨୬ ଓ ୨୭ ଦୁଇଦିନ ଧରି ମହାନଦୀବିହାରସ୍ଥିତ ମହାନଦୀଭବନରେ ଜଗନ୍ନାଥ ଭଜନାମୃତ ଓ ସାଂସ୍କୃତିକ ଭକ୍ତିମୟ ସନ୍ଧ୍ୟା ହୋ ଭକତେ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହ ଉଦଘାଟିତ ହୋଇଯାଇଛି ।

ଏମଡିଏ ସଭାପତି ସଞ୍ଜୟ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଟିତ ଉଦଘାଟନୀ ସନ୍ଧ୍ୟାରେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରି ମହାପ୍ରଭୁଙ୍କ ଲୀଳା ବଡ ବିଚିତ୍ର, ତାଙ୍କରି ଆଶୀର୍ବାଦରେ ହୋ ଭକତେ କାର୍ଯ୍ୟକ୍ରମ ବେଶ୍ ଉଚ୍ଚ କୋଟିର ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହ ଏହି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ ।
ଜେଏସପିର ସଭାପତି ଚତୁର୍ଭୁଜ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ଉଲ୍ଲାସ ବେଉରା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ସମାଜସେବୀ, ପରିବେଶବିତ, ନୃତ୍ୟଶିଳ୍ପୀ ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କେଡିଏ ତରଫରୁ ପ୍ରଥମଥର ପାଇଁ ଆୟୋଜିତ ଏହି ଭକ୍ତି ଭାବମୟ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।
