ଭୁବନେଶ୍ୱର,୧୬/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମଗ୍ର ବିଶ୍ୱରେ ଉତ୍କଳର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ, ଯାନିଯାତ୍ରା, ଶ୍ରୀମନ୍ଦିରର ନିର୍ମାଣ, କଳାଭାସ୍କର୍ଯ୍ୟ, ଇତିହାସ, ବିବିଧ ବେଶ, ଭୋଗ, ନୀତି, ଦିନଚର୍ଯ୍ୟା ସମ୍ବନ୍ଧରେ ଅଦ୍ୟାବଧି ସର୍ବାଧିକ ଗ୍ରନ୍ଥ ରଚନା ହୋଇପାରିଛି । ଶ୍ରୀଜଗନ୍ନାଥ ଉପାସନାର ବିଭିନ୍ନ ଦିଗ ଉପରେ ଶତାଧିକ ଗବେଷଣା ନିବନ୍ଧ ପ୍ରସ୍ତୁତ ହୋଇ ଭାରତ ସମେତ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତି ପାଇଥିବା ବିଷୟରେ ଗ୍ରନ୍ଥ ଉନ୍ମୋଚନ ସମାରୋହରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱରସ୍ଥ ନିଉ ମ୍ୟାରିୟନ୍ ସଭାକକ୍ଷଠାରେ ଓଡ଼ିଶାର ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର ଓ ପ୍ରାକ୍ତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦାଶଙ୍କ ଦ୍ୱାରା ରଚିତ ‘ରତ୍ନଭଣ୍ଡାର ଅଫ୍ ଶ୍ରୀଜଗନ୍ନାଥ ଟେମ୍ପଲ’ ଇଂରାଜୀ ପୁସ୍ତକର ଲୋକାର୍ପଣ ଉତ୍ସବରେ ଉଦ୍ଘାଟକ ଭାବେ ରାଜ୍ୟ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ରାଜ୍ୟ ଶ୍ରମ କମିଶନର, ଓଡ଼ିଶା ଓ ମୁଖ୍ୟବକ୍ତା ରୂପେ ପ୍ରଫେସର ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରି ଶ୍ରୀଜଗନ୍ନାଥ ସଂସ୍କୃତିଭିତ୍ତିକ ଏଭଳି ଉପାଦେୟ ଗ୍ରନ୍ଥ ରଚନା ଦ୍ୱାରା ସମଗ୍ର ବିଶ୍ୱରେ ଏହି ରହସ୍ୟମୟ ଠାକୁରଙ୍କ ସମ୍ବନ୍ଧରେ ଅନାଲୋଚିତ ସଠିକ୍ ତଥ୍ୟର ଉଦ୍ଘାଟିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରନ୍ଥ ରଚୟିତା ଡକ୍ଟର ଭାସ୍କର ମିଶ୍ର ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସମେତ ଗ୍ରନ୍ଥ ସମ୍ପର୍କରେ ସମ୍ୟକ୍ ବିବରଣୀ ଉପସ୍ଥାପନ କରିଥିଲେ ।
ଲୋକାର୍ପଣ ଉତ୍ସବର ପ୍ରାରମ୍ଭରେ ଶ୍ରୀ ବିଗ୍ରହମାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଏହି ଦିବ୍ୟ ଗ୍ରନ୍ଥର ଅନ୍ୟତମ ଯୁଗ୍ମ ରଚୟିତା ଶ୍ରୀ ସୁଶାନ୍ତ କୁମାର ଦାଶ ଗ୍ରନ୍ଥରେ ଉଲ୍ଲିଖିତ ଅନେକ ତଥ୍ୟ ଓ ରତ୍ନଭଣ୍ଡାରର ବାସ୍ତବ ସ୍ଥିତି ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ପ୍ରବକ୍ତା ଦେବେନ୍ଦ୍ର ଦାସ ଧ୍ୟାନମନ୍ତ୍ର ଆବୃତ୍ତି କରିଥିବାବେଳେ ଗ୍ରନ୍ଥ ଲୋକାର୍ପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀଜଗନ୍ନାଥ ସଂସ୍କୃତିର ଉଦୀୟମାନ୍ ପ୍ରବକ୍ତା ଡ଼କ୍ଟର ମୃତୁ୍ୟଞ୍ଜୟ ରଥ ।
ପରିଶେଷରେ ଗ୍ରନ୍ଥ ରଚୟିତା ସୁଶାନ୍ତ କୁମାର ଦାଶ ଉପସ୍ଥିତ ଅତିଥି ଓ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଲୋକାର୍ପଣ ଉତ୍ସବରେ ରାଜ୍ୟର ବହୁ ବିଶିଷ୍ଟ ସାହିତ୍ୟିକ, ଗବେଷକ, ଶ୍ରୀମନ୍ଦିର ସେବକ, ମଠାଧୀଶ, ସଂଗଠକ, ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ ଅଂଶଗ୍ରହଣ କରିଥିଲେ ।
