ଆଳି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାକୁ ପୁରିଲା ୬ଦିନ

ଦାବି ପୁରଣ ନହେଲେ ଆଗାମୀ ସୋମବାର ଠାରୁ ଆମରଣ ଅନଶନ
କେନ୍ଦ୍ରାପଡ଼ା, ୨୫/୦୪/୨୦୨୬ (ଓଡ଼ିଶା ସମାଚାର)- ଆଳି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ଦିନ ହେବ ଧାରଣାରେ ବସିଥିବା ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟଙ୍କ ଦାବି ପୁରଣ ନହେଲେ ଆଗାମୀ ସୋମବାର ଠାରୁ ସେ ଆମରଣ ଅନଶନ ଆରମ୍ଭ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲଳର ଆଳି ବ୍ଲକ ଅନ୍ତର୍ଗତ ମହୁ ପଂଚାୟତରେ ଥିବା ବଜାରଦାଣ୍ଡି ଅଙ୍ଗନୱାଡ଼ି କେନ୍ଦ୍ରରେ ହୋଇଥିବା ଦୁର୍ନୀତିର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ୭ଦଫା ଦାବି ପୁରଣ ପାଇଁ ଆଳି ଶିଶୁ ବିକାଶ ପକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଆଜିକୁ ୬ ଦିନ ହେବ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଧାରଣା ଦେଇଛନ୍ତି । ଯଦି ତାଙ୍କୁ ଆଗାମୀ ୭୨ ଘଂଟା ମଧ୍ୟରେ ନ୍ୟାୟ ପ୍ରଦାନ କରାନଯାଏ ତେବେ ସେ ଆସନ୍ତା ସୋମବାର ଠାରୁ ଆମରଣ ଅନଶନ କରିବେ ବୋଲି ଲିଖିତ ଭାବେ ପ୍ରଶାସନକୁ ଶୁକ୍ରବାର ଦିନ ଅବଗତ କରି ଚେତାବନୀ ଦେଇଛନ୍ତି ।

କେନ୍ଦ୍ରାପଡ଼ା ଜିଲାପାଳଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ସେ ଲିଖିତ ଅଭିଯୋଗପତ୍ର ପ୍ରଦାନକରି ଦର୍ଶାଇଛନ୍ତି ଯେ ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରରେ ହୋଇଥିବା ଦୁର୍ନୀତି ଅଭିଯୋଗ ଉପରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ହୋଇ ବସିଯାଇଛି । ଏମିତିକି ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦେଶକୁ ଅବମାନନା କରି ଓଲଟା ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉ ଥିବାରୁ ସେ ବାଧ୍ୟ ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣ ସହ ୭ ଦଫା ଦାବି ନେଇ ଧାରଣା ଦେବେ ବୋଲି ପୂର୍ବରୁ ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଥିଲେ । ସମ୍ପୃକ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ସାମଗ୍ରୀ ସହ ସରକାରୀ ଅନୁଦାନକୁ ଦୀର୍ଘ ବର୍ଷ ହେବ ବାଟମାରଣା କରାଯାଉଥିବା ଅଭିଯୋଗ ହେବା ପରେ ସିଡିପିଓ ଏବଂ ମଣ୍ଡଳ ପରିଦର୍ଶିକାଙ୍କ ଦ୍ୱାରା ଦୁଇ ଦୁଇ ଥର ତଦନ୍ତ କରାଯାଇଛି । ଏ ନେଇ ଉଭୟ ଅଧିକାରୀ ଲିଖିତ ଭାବେ ସରକାରୀ ସହାୟତାକୁ ସାଧାରଣ ଜନତା ଓ ହିତାଧିକାରୀଙ୍କ ପାଖରେ ନପହଂଚାଇ ସମସ୍ତ ସହାୟତା ବଂଟନରେ ବ୍ୟାପକ ଦୁର୍ନୀତି କରିବା ସହିତ ଅଙ୍ଗନୱାଡି କର୍ମୀ ମନମୁଖୀ କାର୍ଯ୍ୟ କରୁଥିବା ନେଇ ରିପୋର୍ଟ ପ୍ରଦାନ କରିବା ସହ ଉକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଲିଖିତ ନୋଟିସ ମଧ୍ୟ କରିଛନ୍ତି ।

ପ୍ରଶାସନିକ ତଦନ୍ତ ବେଳେ ଏହାର ଭିଡିଓଗ୍ରାଫି କରାଯାଇ ପ୍ରମାଣ ମଧ୍ୟ ରଖା ଯାଇଛି । ତଦନ୍ତରୁ ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ହରିଲୁଟ ହୋଇଥିବା ସରକାରୀ ସହାୟତାକୁ ଫେରାଇ ଆଣିବା ଦୂରର କଥା, କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ୍ୟ ହୋଇଥିଲେ । ଆଇନଗତ କାର୍ଯ୍ୟାନୁଷ୍ଠାନ ନିମିତ ନ୍ୟାୟାଳୟଙ୍କ ନର୍ିଦେଶ ରହିଥିବାବେଳେ ସେହି ନିର୍ଦେଶକୁ ଅବମାନନା କରି ତଦନ୍ତ ଆଳରେ ଷଡ଼ଯନ୍ତ୍ର କରି ପ୍ରଶାସନ ଏକ ମିଛ ରିପୋର୍ଟ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି । ସେହି ଦୁର୍ନୀତିକୁ ଚପାଇ ଦେବାକୁ ଉଦ୍ୟମ କରାଯିବା ସହ ସେଥିରେ ସମ୍ପୃକ୍ତ ଦୁର୍ନୀତିଖୋରଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି ବୋଲି ସେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେଣୁ ସେ ବାଧ୍ୟ ହୋଇ ସିଡିପିଓଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରି ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଧାରଣା ଦେବେ ବୋଲି ଚଳିତ ମାସ ୬ ତାରିଖରେ ଅବଗତ କରାଇଥିଲେ । ଏହାକୁ କେନ୍ଦ୍ରକରି ସିଡିପିଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ଯାଏ ତାହା ପାଳନ କରାଯାଇନାହିଁ ।

ଏହାର ପ୍ରତିବାଦରେ ଗତ ୨୦ ତାରିଖ ଠାରୁ ନ୍ୟାୟ ପାଇଁ ଅଭିଯୋଗକାରୀ ଦୁଷ୍ମନ୍ତ ଆଚାର୍ଯ୍ୟ ଆଳି ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜକୁ ୬ ଦିନ ହେଲା ଧାରଣାରେ ବସିଛନ୍ତି । ତୁରନ୍ତ ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ନଚେତ ଆଗାମୀ ୭୨ ଘଂଟା ଅର୍ଥାତ ଆସନ୍ତା ସୋମବାର ସୁଦ୍ଧା ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେ ଅନିିର୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ବଦଳରେ ସୋମବାର ଠାରୁ ଆମରଣ ଅନଶନ ଆରମ୍ଭ କରିବେ ବୋଲି ଶୁକ୍ରବାର ଲିଖିତ ଭାବେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏ ବାବଦରେ ଆଳି ସି.ଡ଼ି.ପି.ଓ ମାମିନାବାଳା ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଆମ୍ଭର କିଛି କରିବାର କ୍ଷମତା ନାହିଁ ସେଥିପାଇଁ ଉପରିସ୍ଥ ଅଧିକାରୀଙ୍କୁ ଏସମ୍ପର୍କରେ ଅବଗତ କରାଇସାରିଛୁ । ସିଏ ଯାହା ପଦକ୍ଷେପ ଗ୍ରହଣ କରିବେ ବୋଲି ସିଡିପିଓ କହିଛନ୍ତି । ଅପରପକ୍ଷରେ ଅଭିଯୋଗକାରୀ ଦୁଷ୍ମନ୍ତ ଆଚାର୍ଯ୍ୟ କହିଛନ୍ତି ଆଳି ସି.ଡ଼ି.ପି.ଓଙ୍କ ର ଯଦି କିଛି କ୍ଷମତା ନାହିଁ ତେବେ ହୋଇଥିବା ଅନିୟମିତତାକୁ ଚପାଇ ରଖି ଦୁର୍ନୀତିକାରୀ ଅଙ୍ଗନୱାଡି କର୍ମୀ କେମିତି ସୁରକ୍ଷିତ ରହିବେ ସେହି ପ୍ରକାରର ତଦନ୍ତ ରିପୋର୍ଟ କେମିତି ଦେଉଛନ୍ତି । ତେବେ ତଦନ୍ତ ରିପୋର୍ଟ ଯଦି ଫର୍ଜରୀ କରାଯାଏ ତେବେ ଉପରିସ୍ଥ ଅଧିକାରୀ କେମିତି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *