ଜଗତସିଂହପୁର,୦୩/୧୦/୨୦୨୬(ଓଡ଼ିଶା ସମାଚାର)- ସର୍ବଭାରତୀୟ ସମନ୍ଵିତ ରୋପଣ ଫସଲ ପ୍ରକଳ୍ପ ଏଵଂ ତୃଣକ ପରିଚାଳନା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ମିଳିତ ପ୍ରୟାସରେ ଅନୁସୂଚିତ ଜାତି ଉପଯୋଜନା ଆନୁକୁଲ୍ୟରେ ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ, କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ଗ୍ରାମରେ ଏକ କୃଷକ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଛି ଯେଉଁଥିରେ ୫୦ ଜଣ ଅନୁସୂଚିତ ଜାତିର କୃଷକ ଓ କୃଷି ମହିଳା ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ମୂର୍ତ୍ତିକା ବୈଜ୍ଞାନିକ ଡ଼ ପ୍ରଦୀପ୍ତ ମାଝୀ ପରିଚାଳନା କରିଥିଲେ। 
ଏହି ଅବସରରେ ଅଖିଳ ଭାରତୀୟ ସମନ୍ଵିତ ତୃଣକ ପରିଚାଳନା ଗବେଷଣା ପ୍ରକଳ୍ପ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭାରପ୍ରାପ୍ତ ଅଧିକାରୀ, ବୈଜ୍ଞାନିକ ଡ଼. ସାରିକା ଜେନା, ଉଦବୋଧନ ଦେଇ କହିଥିଲେ ଯେ ଧାନ,ପନିପରିବା ଓ ଅନ୍ୟ ଫସଲରେ ଘାସ ହେଉଛି ଉତ୍ପାଦନ କମିବାର ଏକ ପ୍ରମୁଖ କାରଣ ଏବଂ ଏହାର ପ୍ରତିକାର ଉପରେ ଆଲୋକପାତ କରିଥିଲେ। ଫସଲ ଉତ୍ପାଦନରେ ତୃଣକ ପରିଚାଳନାର ଗୁରୁତ୍ବ ଓ ତାହାର ବିଭିନ୍ନ ପଦ୍ଧତି ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ସର୍ବଭାରତୀୟ ସମନ୍ୱିତ ରୋପଣ ଫସଲ ଗବେଷଣା ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ଡ଼ଃ. ଅଜିତ କୁମାର ସାହୁ ଚାଷୀମାନଙ୍କୁ ନଡ଼ିଆ ବଗିଚାର ସମନ୍ୱିତ ପରିଚାଳନା ଉପରେ ଜ୍ଞାନ ପ୍ରଦାନ କରିଥିଲେ । 
ଜମି ପ୍ରସ୍ତୁତି, ଖତ ସାର ଏବଂ ଜଳ ପରିଚାଳନା ପ୍ରଣାଳୀ ତତସହିତ ନଡ଼ିଆ ଗଛରେ କିପରି ରୋଗ ପୋକ ପରିଚାଳନା ସହିତ ଅନ୍ୟାନ୍ୟ ରୋପଣ ଫସଲକୁ କିପରି ପରିଚାଳନା କରିବେ ତାହା ବିସ୍ତୃତ ଭାବରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଅଳ୍ପ ଖର୍ଚ୍ଚରେ କିପରି ନଡ଼ିଆ ଚାଷ କରିବା ଓ ଚାଷୀ କିପରି ଅଧିକ ଲାଭବାନ ହେଇପାରିବେ ତାହାର ହିସାବ ଚାଷୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଉପସ୍ଥିତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କୃଷି ସାମଗ୍ରୀ, ତୃଣନାଶକ ଓ ତୃଣନାଶକ ସମ୍ବନ୍ଧୀୟ ସଚେତନତା ପତ୍ରିକା ପ୍ରଦାନ କରାଯାଇଥିଲା ପରବର୍ତ୍ତୀ ସମୟରେ ମିଳିତ ଅନୁକୁଲ୍ୟରେ ତିର୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ଗ୍ରାମରେ ନଡ଼ିଆ ଚାରା ରୋପଣ ଏବଂ ପରିଚାଳନାର କ୍ଷେତ୍ର ପ୍ରଦର୍ଶନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ଅନୁସୂଚିତ ଜାତିର କୃଷକ ଓ କୃଷି ମହିଳା ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ। ଡ଼ଃ. ଅଜିତ କୁମାର ସାହୁ ଚାଷୀ ମାନଙ୍କୁ ନଡ଼ିଆ ବଗିଚାର ସମନ୍ୱିତ ପରିଚାଳନା ଉପରେ ଜ୍ଞାନ ପ୍ରଦାନ କରି ନଡ଼ିଆ ଚାରା ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ଼ଃ. ଜୀବନଜିତ୍ ସେନ୍ ପରିଚାଳନା କରିଥିଲେ। ବାଗୋଇ ଗ୍ରାମର ଉମେଶ ମଲ୍ଲିକ ଏବଂ ଗରାମ ଗ୍ରାମର କଲ୍ୟାଣୀ ବାରିକ ସହଯୋଗକରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
