ମୁଖ୍ୟମନ୍ତ୍ରୀ ହେବେ ମୁଖ୍ୟ ଅତିଥି, ଯୋଗଦେବେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ମନ୍ତ୍ରୀ — ଗତ ନଅ ବର୍ଷ ମଧ୍ୟରେ ଆମ ଦେଶର ଦୁଗ୍ଧ ଉତ୍ପାଦନ ୫୭.୬୨% ବୃଦ୍ଧି ପାଇଛି
ଭୁବନେଶ୍ୱର, ୧୧/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମତ୍ସ୍ୟ, ପଶୁପାଳନ ଏବଂ ଡେୟିରୀ ମନ୍ତ୍ରଣାଳୟ ଅଧୀନସ୍ଥ ପଶୁପାଳନ ଏବଂ ଡେୟିରୀ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ମୌସୁମୀ ବୈଠକ ଆହୂତ ହୋଇଛି । କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଂଜନ ସିଂ ଓରଫ୍ ଲଲନ ସିଂ ଆସନ୍ତା ୧୩ ତାରିଖ ଶୁକ୍ରବାର ଦିନ ଲୋକସେବା ଭବନ କନ୍ଭେନସନ୍ ହଲ୍ରେ ଆୟୋଜିତ ଏହି ବୈଠକରେ ଯୋଗଦେବେ । ଏହି ବୈଠକରେ କେନ୍ଦ୍ର ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂ ବାଘେଲ ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଡେୟିରୀ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଶ୍ରୀ ଜର୍ଜ କୁରିଆନ ମଧ୍ୟ ଉପସ୍ଥିତ ରହିବେ । ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଏବଂ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେବେ । ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ।
ତୃଣମୂଳସ୍ତରରେ ପ୍ରଭାବୀ କାର୍ଯ୍ୟକ୍ରମ ଗ୍ରହଣପୂର୍ବକ ସଂଯୋଜନ ଢାଞ୍ଚା ସୃଷ୍ଟି କରିବା, ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା ସମେତ ଫଳାଫଳ ଏବଂ ମଧ୍ୟବର୍ତ୍ତୀ ସଂଶୋଧନ ନେଇ ଆଲୋଚନା ସାଙ୍ଗକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ କାର୍ଯ୍ୟପନ୍ଥା ଆକଳନ ଏହି ମୌସୁମୀ ବୈଠକର ଉଦ୍ଦେଶ୍ୟ । ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସଂପୃକ୍ତ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିବେ ।
୨୦୧୪-୧୫ ରୁ ୨୦୨୨-୨୩ ପର୍ଯ୍ୟନ୍ତ ପଶୁପାଳନ କ୍ଷେତ୍ରରେ ଯୌଗିକ ବାର୍ଷିକ ଅଭିବୃଦ୍ଧି ହାର ଉଲ୍ଲେଖନୀୟ ଭାବରେ ୯.୮୨ ପ୍ରତିଶତ ବୃଦ୍ଧି ପାଇଛି । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଏହାର ଯୋଗଦାନ ୨୪.୩୬ ପ୍ରତିଶତ ରୁ ୩୦.୨୨ ପ୍ରତିଶତ କୁ ବୃଦ୍ଧି ପାଇଛି । ୨୦୨୨-୨୩ ମସିହାରେ, ସମୁଦାୟ ଜିଭିଏ (ଗ୍ରସ୍ ଭାଲୁ୍ୟ ଆଡେଡ୍)ରେ ଏହି କ୍ଷେତ୍ର ୫.୫ ପ୍ରତିଶତ ଯୋଗଦାନ ଦେଇଥିଲା ଏବଂ ଏହା ଆମ ଅର୍ଥନୀତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଗତ ନଅ ବର୍ଷ ମଧ୍ୟରେ ଆମ ଦେଶର ଦୁଗ୍ଧ ଉତ୍ପାଦନ ୫୭.୬୨% ବୃଦ୍ଧି ପାଇଛି । ୨୦୧୪-୧୫ ମସିହାରେ ଏହା ୧୪୬.୩ ମିଲିୟନ ଟନ ଥିବାବେଳେ ୨୦୨୨-୨୩ ରେ ତାହା ୨୩୦.୬୦ ମିଲିୟନ ମେଟ୍ରିକ ଟନ୍ରେ ପହଞ୍ଚିଛି । ଏହି ଅଭିବୃଦ୍ଧି ହାର, ବାର୍ଷିକ ହାରାହାରି ୫.୯%, ବୈଶ୍ୱିକ ହାରାହାରି ୨% ଠାରୁ ଅଧିକ । ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା ୨୦୧୩-୧୪ ରେ ଦୈନିକ ୩୦୭ ଗ୍ରାମରୁ ୨୦୨୨-୨୩ ରେ ଦୈନିକ ୪୫୯ ଗ୍ରାମରେ ପହଞ୍ଚିଛି । ଏହିସବୁ ସଫଳତା ପଶୁପାଳନ କ୍ଷେତ୍ରକୁ ‘ସୂର୍ଯେ୍ୟାଦୟ କ୍ଷେତ୍ର’ (ସନ୍ରାଇଜ୍ ସେକଫର) ଭାବରେ ଅଗ୍ରଣୀ କରାଉଛି ।
ଦେଶରେ ପ୍ରଚଳିତ ବିଭିନ୍ନ କାର୍ଯ୍ୟକ୍ରମ, କାର୍ଯ୍ୟାନ୍ୱୟନରେ ବିଭିନ୍ନ ଆହ୍ୱାନଗୁଡ଼ିକ ସଂପର୍କରେ ବିସ୍ତୃତ ଆଲୋଚନା କରିବା ପାଇଁ ଏହି ବୈଠକ ଅଭିପ୍ରେତ । କେନ୍ଦ୍ର ମନ୍ତ୍ରୀଙ୍କ ସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ମନ୍ତ୍ରୀମାନଙ୍କ ବିଚାର ଆଲୋଚନାରେ ବିଭିନ୍ନ ରାଜ୍ୟର ସଫଳତା ଉପସ୍ଥାପିତ ହେବ ଏବଂ ଏହା ସମସ୍ତଙ୍କ ପାଇଁ ଶିକ୍ଷଣ ଅଭିଜ୍ଞତା ଆଣିଦେବ । ମୌସୁମୀ ବୈଠକରେ କେତେକ ପ୍ରମୁଖ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାର ସମ୍ଭାବନା ରହିଛି ।