ଖରିଫ ଋତୁ ୨୦୨୬ ନିମନ୍ତେ କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ।

ଯାଜପୁର, ୨୩/୦୭/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା କୃଷି ବିଭାଗ ଆନୁକୁଲ୍ୟରେ ଆଗାମୀ ଖରିଫ ଋତୁ ୨୦୨୬ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କର  କୃଷକ ମାନେ ଯେପରି ପ୍ରତ୍ୟେକ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି କୃଷି ତଥା ଆନୁସଙ୍ଗିକ ବିଭାଗ ଅଧିକାରୀମାନେ ଯତ୍ନବାନ ହେବା ଆବଶ୍ୟକ।

ଚଳିତ ବର୍ଷ ସମବାୟ ବ୍ୟାଙ୍କ୍ ପକ୍ଷରୁ ୭୨୯ କୋଟି ଶସ୍ୟ ଋଣ ଯୋଗାଇ ଦେବାକୁ ଧାର୍ଯ୍ୟ ଲକ୍ଷ୍ୟ କରାଯାଇ ଅଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଳିତ ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଋଣି ଓ ଅଣ ଋଣି ଚାଷୀଙ୍କୁ ପଞ୍ଜୀକୃତ କାର୍ଯ୍ୟ ଶେଷ କରିବାକୁ ବ୍ଲକ୍ କୃଷି  ଅଧିକାରୀ, ସମବାୟ ବିଭାଗ ତଥା ବୀମା କମ୍ପାନୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଏବଂ  ସାରର ସୁଷମ ବଣ୍ଟନ ପାଇଁ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ମଲ୍ଲିକ ସଭାକାର୍ଯ୍ୟ କୁ ଆଗେଇ ନେବା ସହ କାର୍ଯ୍ୟ ସୂଚୀ ଅନୁଯାୟୀ ୨୦୨୬ ମସିହା ଖରିଫ ଫସଲ ନିମନ୍ତେ ହୋଇଥିବା ଲକ୍ଷ୍ୟ ଧାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।

କାର୍ଯ୍ୟସୂଚୀ ଅନୁଯାୟୀ ଯାଜପୁର ଜିଲ୍ଲାରେ ୨୦୨୬ ମସିହା ସୁଦ୍ଧା ସମୁଦାୟ ୧୦୬୨୮୦ ହେକ୍ଟର ଜମିରେ ଧାନ ଚାଷ, ସମୁଦାୟ ୧୨୦୦ ହେକ୍ଟର ଜମିରେ ମକା ଚାଷ, ସମୁଦାୟ ୧୦୩୦ ହେକ୍ଟର ଜମିରେ ମିଲେଟ୍ ଚାଷ, ସମୁଦାୟ ୭୩୦୫ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ, ସମୁଦାୟ ୧୧୦ ହେକ୍ଟର ଜମିରେ ତୈଳ ବୀଜ ଚାଷ, ୫୫୦ ହେକ୍ଟର ଜମିରେ ଝୋଟ ଚାଷ,୧୨୧୨୦ ହେକ୍ଟର ଜମିରେ ପନିପରିବା ଚାଷ ଏବଂ ସମୁଦାୟ ୨୩୯୦ ହେକ୍ଟର ଜମିରେ ମସଲା ଚାଷ କରାଯିବା, ୧୩୦ ଜମିରେ ଘାସ ଚାଷ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ୨୦୨୬ ମସିହା ସୁଦ୍ଧା ଯାଜପୁର ଜିଲ୍ଲାରେ ପ୍ରମୁଖ ଜଳ ସେଚନ, କ୍ଷୁଦ୍ର ଜଳସେଚନ, ବୃହତ୍ ଉଠା ଜଳ ସେଚନ, କ୍ଷୁଦ୍ର ଉଠା ଜଳସେଚନ ଏବଂ ଅନ୍ୟାନ୍ୟ ଉତ୍ସରୁ ସମୁଦାୟ ୧୧୪୯୧୭ ହେକ୍ଟର ଜମିରେ ଜଳସେଚନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

୨୦୨୬- ୨୭ ମସିହା ମୃତ୍ତିକା ପରୀକ୍ଷା କରାଯାଇ ବ୍ଲକ୍ ୱାରୀ ୧୦୦୦୦ ନମୁନା ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତ ଖରିଫ ଋତୁରେ  ୨୮୫୦୦ ମେଟ୍ରିକ୍ ଟନ୍ ରାସାୟନିକ ସାର  ଯଥା: ଫସଫରସ, ପଟାସ ଓ ଯବକ୍ଷାରଜାନ ଇତ୍ୟାଦି ବ୍ୟବହାର ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉକ୍ତ ବୈଠକରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା, କୃଷି ଯାନ୍ତ୍ରିକକରଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଋଣ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।  ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ କୃଷକ ରେଜିଷ୍ଟ୍ରି ରେ କୃଷକ ପଞ୍ଜିକରଣ କୁ ତ୍ୱରାନ୍ୱିତ କରିବାକୁ ତଥା ଚିରନ୍ତନ କୃଷିକୁ ପ୍ରାଧାନ୍ୟ ଦେବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସମନ୍ଵୟ ରକ୍ଷା କରି କୃଷକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।

ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ପ୍ରକଳ୍ପ ,ଯାଜପୁର ଶ୍ରୀଯୁକ୍ତ ରମାକାନ୍ତ ପରିଡ଼ା, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ,ଯାଜପୁର ଶ୍ରୀଯୁକ୍ତ ଗୋପୀନାଥ କର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସେଠୀ , ସହକାରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଶାନ୍ତ କୁମାର ବେହେରା  ସହକାରୀ ନିର୍ଦ୍ଦେଶକ ବିଭାଗୀୟ ଯୋଜନା ଓ କାର୍ଯ୍ୟସୂଚୀ ବିଷୟରେ ଗୃହକୁ ଅବଗତ କରାଇଥିଲେ। ଜିଲ୍ଲା ଉନ୍ନୟନ ପରିଚାଳକ, ନାବାର୍ଡ, ଅଗ୍ରଣି ବ୍ୟାଙ୍କ୍ ପରିଚାଳକ ଓ ସମସ୍ତ ଜଳସେଚନ, କୃଷି ତଥା ଆନୁସଙ୍ଗିକ ବିଭାଗର ଜିଲ୍ଲା ତଥା ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *