ଜିଲ୍ଲାପାଳ ସମ୍ମିଳନୀ :  ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ  ଉପ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

  • ଧାନର ଗୁଣବତ୍ତା ଯାଂଚ ପାଇଁ ଗ୍ରେନ୍ ଆନାଲାଇଜର ବ୍ୟବହାର କରାଯିବ
  • ଧାନର ଓଜନ ଜାଣିବା ପାଇଁ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ହେବ
  • ସର୍ବମୋଟ ୪୦୦୬ଟି ମଣ୍ଡିରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର, ୨୭/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବା ଭବନର କନଭେନସନ ହଲରେ ଆଜି ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର   ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଯେଉଁ ଜିଲ୍ଲାର ମଣ୍ଡିଗୁଡିକରେ କୌଣସି କାରଣ ବଶତଃ ଧାନ ସଂଗ୍ରହ ହୋଇପାରୁନାହିଁ, ସେହି କ୍ଷେତ୍ରରେ ନିକଟତମ ଜିଲ୍ଲାର ମଣ୍ଡିରେ ଚାଷୀମାନେ ନିଜର ଧାନକୁ ବିକ୍ରି କରିପାରିବେ । ସଂଗୃହିତ ଧାନର ଅନଲାଇନ ପଞ୍ଜୀକରଣ ହେବ ଆବଶ୍ୟକ । ଧାନ ନେଇ ଯାଉଥିବା ଗାଡି ଗୁଡିକର ଜିପିଏସ ଟ୍ରାକିଂ କରାଯିବ ।  ଯେପରିକି ଏଥିରେ କୌଣସି ଟାମ୍ପରିଂ ନ ହେବ । ମିଲରମାନଙ୍କ ତରଫରୁ ଚାଷୀଙ୍କୁ ଝୋଟ ବସ୍ତା ଓ ସୁତୁଲି ଯୋଗାଇଦିଆଯିବ । ଗଚ୍ଛିତ ଫସଲର ସୁରକ୍ଷା ପାଇଁ ୫୮ଟି ଶୀତଳ ଭଣ୍ଡାର ରାଜ୍ୟରେ ଖୁବ ଶୀଘ୍ର ଖୋଲାଯିବ । ରାଜ୍ୟର ଚାଷୀମାନେ କେବଳ ଗୋଟିଏ ଫସଲ ଉପରେ ନିର୍ଭର ନ କରି ଏକାଧିକ ଫସଲ ଜୈବିକ ଉପାୟରେ କରିବା ପାଇଁ ମନ୍ତ୍ରୀ ଶ୍ରୀ ସିଂହଦେଓ  ଗୁରୁତ୍ୱ ଦେଇଛନ୍ତି । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଏଗ୍ରି ଷ୍ଟାକ (AGRI STACK) ଆପ ସୃଷ୍ଟି କରାଯାଇଛି । ଏଥିରେ ଚାଷୀ ଓ ଚାଷ ଜମିର ପଞ୍ଜୀକରଣ ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଜମିପଟ୍ଟା (RoR) ଥିବା ସମସ୍ତ ଚାଷଜମିର ମାଲିକ ଏଥିରେ ପଞ୍ଜୀକରଣ କରିପାରିବେ । ସରକାରଙ୍କ ତରଫରୁ ଡିଜିଟାଲ ଫସଲ ସର୍ବେକ୍ଷଣ ଦ୍ଵାରା ମଧ୍ୟ ଚାଷୀଙ୍କ ତଥ୍ୟ ସଂଗ୍ରହ କରାଯାଇ ଏଥିରେ ଉପଲବ୍ଧ କରାଯିବ ।

        ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ  ଧାନ ସଂଗ୍ରହ ବେଳେ କଟନୀ-ଛଟନୀରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଦୃଢ ତଦାରଖ ବ୍ୟବସ୍ଥା ଗ୍ରହଣ କରିବାକୁ ଗୁରୁତ୍ଵାରୋପ କରିଥିଲେ । ମନ୍ତ୍ରୀ ଶ୍ରୀ ସାମନ୍ତ କହିଥିଲେ ଯେ ,   ଧାନ ସଂଗ୍ରହ କେନ୍ଦ୍ରର ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତର ଆସିବ । ଶତପ୍ରତିଶତ ସିସିଟିଭି ତଦାରଖ ବ୍ୟବସ୍ଥା  ସହ ସ୍ଵଚ୍ଛ ପାନୀୟ ଜଳ, ଶୌଚାଳୟ, ଆବଶ୍ୟକୀୟ ଆଲୋକ, ପିଣ୍ଡି ଉପରେ ଛାତ, ବିଶ୍ରାମ ଗୃହ ଆଦି ମୌଳିକ ସୁବିଧା ସୁନିଶ୍ଚିତ କରାଯିବ । କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ ସ୍ଵୟଂ ଚାଳିତ ଯନ୍ତ୍ର ମାଧ୍ୟମରେ ଧାନର ଓଜନ କରାଯିବ । ଫଳରେ ଚାଷୀ ତାର ଉପଯୁକ୍ତ ପାଉଣା ପାଇବ ବୋଲି ମନ୍ତ୍ରୀ କହିଥିଲେ ।

         ଚାଷୀମାନଙ୍କ ମଙ୍ଗଳ ତଥା ସହଜ ଓ ସୁବିଧାରେ ଧାନ ସଂଗ୍ରହ ପାଇଁ ସମବାୟ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟାପକ ପଦକ୍ଷେପ ସମ୍ପର୍କରେ ବିଭାଗର  କମିଶନର ତଥା ଶାସନ ସଚିବ   ରାଜେଶ ପ୍ରଭାକର ପାଟିଲ ତଥ୍ୟ  ଉପସ୍ଥାପନ କରିଥିଲେ । ଜଣେ ନୋଡାଲ ଅଧିକାରୀ ଓ ସୁପରଭାଜରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତ୍ୟେକ ମଣ୍ଡି ପରିଚାଳିତ ହେବ । ଚାଷୀଙ୍କୁ ତାଙ୍କର ପ୍ରାପ୍ୟ ମୂଲ୍ୟ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରୁ ବଞ୍ଚିତ କରୁଥିବା ମିଲର, ଦଲାଲ କିମ୍ବା ମଧ୍ୟସ୍ଥିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଂଗୃହିତ ଧାନର ସଂରକ୍ଷଣ ପାଇଁ ଆବଶ୍ୟକୀୟ ଗୋଦାମ ଗୃହ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷୁଦ୍ର, ମଧ୍ୟମ ଓ ବୃହତ ବର୍ଗରେ ରାଜ୍ୟରେ ସର୍ବମୋଟ ୪୦୦୬ଟି  ମଣ୍ଡିରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ କରାଯିବ ।

ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜିଲ୍ଲାପାଳ ସମ୍ମିଳନୀକୁ ସମ୍ବୋଧିତ କରି  ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରାଖି ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ମଧ୍ୟ କହିଲେ ଯେ , ଆସନ୍ତା ଦୁଇ ମାସ ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଧାନ କିଣା ପ୍ରକ୍ରିୟାରେ କୌଣସି ମଧ୍ୟସ୍ଥି କିମ୍ବା କଟଣି-ଛଟଣୀକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ମଧ୍ୟ  ଦୃଢୋକ୍ତି ପ୍ରକାଶ କରିଛନ୍ତି । ଚାଷୀ ମାନଙ୍କ ଠାରୁ ଏଫଏକ୍ୟୁ ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ସଂଗ୍ରହ କରିବା ସହ ସେମାନଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିପ୍ରତି ଜିଲ୍ଲାପାଳ ମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । ନୂତନ ଭାବେ ଆବେଦନ କରିଥିବା ମିଲର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀ ଯେପରି ସୁଖଦ ଅନୁଭବ ନେଇ ଯିବେ ଏଥିପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ କହିଥିଲେ । ଆବଶ୍ୟକସ୍ଥଳେ ବଳକା  ଧାନକୁ ମୁକ୍ତ ବିକ୍ରୟ ପ୍ରକ୍ରିୟା ମାଧ୍ୟମରେ ବଜାରରେ ବିକ୍ରୟ କରିବା  ନେଇ ଶ୍ରୀ ପାତ୍ର ସୂଚନା ଦେଇଥିଲେ ।

        ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ କହିଲେ ଯେ ଚଳିତ ବର୍ଷ ଉଭୟ ଖରିଫ ଓ ରବି ଋତୁରେ ପ୍ରାୟ କୋଟିଏ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ଧାନ ସଂଗ୍ରହ ପରିମାଣ ୨୫ ପ୍ରତିଶତ ଅଧିକ ବୃଦ୍ଧି ପାଇବ ବୋଲି ଶ୍ରୀ ଯାଦବ ସୂଚନା ଦେଇଥିଲେ । ଧାନ ସଂଗ୍ରହର ସପ୍ତାହେ ପୂର୍ବରୁ ଚାଷୀ ମାନଙ୍କ ଆକାଉଣ୍ଟ ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ସେ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଅନ୍ୟର ଆକାଉଣ୍ଟକୁ ବିକ୍ରୟ ଟଙ୍କା କିମ୍ବା ବୋନସ ରାଶି ଯିବାର ଆଶଙ୍କାକୁ ଦୂର କରାଯାଇପାରିବ ବୋଲି ସେ କହିଥିଲେ । ଉନ୍ନତ ମାନର ଧାନକୁ ମଣ୍ଡିକୁ ଆଣିବାକୁ ଚାଷୀ ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

                                                     -0-

ଜିତେନ୍ଦ୍ରିୟ ଜେନା, ଲୋକ ସଂପର୍କ ଅଧିକାରୀ ,ସୁଶ୍ରୀ ସଂଗୀତା ମହାରଣା , ଲୋକ ସଂପର୍କ ଅଧିକାରୀ ଓ  ଆଲୋକ କୁମାର ମହାନ୍ତି, ଲୋକ ସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *