ଢେଙ୍କାନାଳ, ୨୦/୦୭/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ୩୯ତମ ସଂସ୍କ।ରଣ କାମାକ୍ଷାନଗର ଉପଖଣ୍ଡରେ ଅବସ୍ଥିତ “ଜକା ମହିମା ଆଶ୍ରମ’ ଠାରେ ଅନୁଷ୍ଠିତ ହୋଇ ଯାଇଛି । ପଦଯାତ୍ରୀମାନେ ଆଶ୍ରମରେ ପହଁଚିବା ପରେ ସେଠାରେ ଉପସ୍ଥିତ ସାଧୁ ସନ୍ଥ ଓ ସ୍ଥାନୀୟ ଭକ୍ତବୃନ୍ଦ ପଦଯାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ଆଶ୍ରମ ପରିସରରେ ଥିବା ଜ୍ୟୋତି ମନ୍ଦିର, ବତି ମନ୍ଦିର, ସାଧୁସନ୍ଥଙ୍କ ରହଣି ପାଇଁ ଥିବା ଟୁଙ୍ଗି ଗୃହ, ସେଠାରେ ଥିବା ଛୋଟ ଏକ ସୁନ୍ଦର ପୁଷ୍କରିଣୀ ଓ ଆଶ୍ରମ ପରିସରର ସବୁଜିମାମୟ ମନୋରମ ପ୍ରାକୃତିକ ପରିବେଶ ବୁଲି ଦେଖିବା ପରେ ଭଜନ ମଣ୍ଡପଠାରେ ଜକା ଆଶ୍ରମର ଇତିହାସ, ପରମ୍ପରା, ରୀତି, ନୀତି ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ବର୍ତମାନ ଆଶ୍ରମର ମୁଖ୍ୟ ପରିଚାଳକ ସାଧୁ ବୀରବର ଦାସ ମହିମା ଧର୍ମରେ ଜକା ଆଶ୍ରମର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ମହିମା ଧର୍ମରେ ବିଖ୍ୟାତ ପଂଚତୀର୍ଥ ମଧ୍ୟରେ ଜକା ଆଶ୍ରମ ହେଉଛି ଅନ୍ୟତମ । ଏହି ଆଶ୍ରମକୁ ମହିମା ଧର୍ମର ପ୍ରତିଷ୍ଠାତା ପ୍ରବୁଦ୍ଧ ଗୁରୁ ମହିମା ସ୍ୱାମୀ ସ୍ୱୟଂ ପ୍ରତିଷ୍ଠା କରିଥିଲେ । ପ୍ରବଜ୍ୟାରେ ଧର୍ମ ପ୍ରଚାର କାଳରେ ମହିମାସ୍ୱାମୀ ଅନେକବାର ଜକାରେ ଅବସ୍ଥାନ କରି ତାଙ୍କର ଅଲୌକିକ ଲୀଳା ପ୍ରକାଶ କରିଥିଲେ । କପିଳାସ ପର୍ବତ ମାଳାରେ ଦୀର୍ଘ ବର୍ଷ ତପସ୍ୟା କରି ସିଦ୍ଧି ଲାଭ ପରେ ମହିମା ସ୍ୱାମୀ ନିଜର ଏକେଶ୍ୱରବାଦ, ବ୍ରହ୍ମ ଉପାସନା ତତ୍ୱ ମାଧ୍ୟମରେ ମହିମା ଧର୍ମ ପ୍ରଚାର କରିଥିଲେ ।
ଯେଉଁ ମହିମା ଧର୍ମ ପରବର୍ତୀ କାଳରେ ସମଗ୍ର ଓଡ଼ିଶାରେ ଏକ ସାମାଜିକ ଗଣ ଚେତନା ରୂପେ ଆପଣା ମହିମାରେ ମହିମାନ୍ୱିତ ହୋଇ ପାରିଥିଲା । ଏହି ଆଶ୍ରମଟି ପଂଚ ତୀର୍ଥର ଠିକ୍ ମଧ୍ୟ ସ୍ଥଳରେ ଥିବାରୁ ଏହା ମେରୁ ପୃଷ୍ଠ ଆଶ୍ରମ ଭାବରେ ପରିଚିତ ହେବବୋଲି ନିଜେ ମହିମାସ୍ୱାମୀ ଘୋଷଣା କରିଥିଲେ । ୧୮୭୨ ମସିହାରେ ନଡାଛପରର ଗୋଟିଏ ଏକୋଇଶ ହାତିଆ ଟୁଙ୍ଗି ପ୍ରତିଷ୍ଠା କରାଯାଇ ଧୁନି ସ୍ଥାପନ କରା ଯାଇଥିଲା । ମହିମା ଧର୍ମର ଇତିହାସ ଅନୁଯାୟୀ ମହିମାସ୍ୱାମୀ ଏହିଠାରେ ତାଙ୍କର ଅନ୍ତିମ ଅନନ୍ତ ବିଶ୍ୱରୂପ ଭକ୍ତ ମାନଙ୍କୁ ପ୍ରଦର୍ଶନ କରି ଥିଲେ । ମହିମା ସ୍ୱାମୀଙ୍କ ପଦରେଣୁ ପାଇ ଜକା ପବିତ୍ର ହୋଇଥିବାରୁ ଏହି ଆଶ୍ରମ ମହିମା ଧର୍ମରେ ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ବିଭିନ୍ନ ସମୟରେ ବହୁ ବିଦେଶୀ ଗବେଷକ ଏଠାକୁ ଆସି ମହିମା ଧର୍ମ ସମ୍ପର୍କରେ ଗବେଷଣା କରି ଛନ୍ତି, ଯାହାର ତଥ୍ୟ ଏବେବି ଆଶ୍ରମରେ ଗଚ୍ଛିତ ଅଛି ବୋଲି ବୀରବର ବାବା ପ୍ରକାଶ କରିଥିଲେ । ସ୍ଥାନୀୟ ଜନତା ଓ ଭକ୍ତ ମାନଙ୍କ ଦ୍ୱାରା ପରିଚାଳିତ ଏହି ମଠର ସୌନ୍ଦର୍ଯ୍ୟକରଣ ଓ ଉନ୍ନତି କରା ଯାଇଥିଲେ ମଧ୍ୟ ଏହାର ଯଥେଷ୍ଟ ପ୍ରଚାର ପ୍ରସାର କରାଯିବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଭକ୍ତବୃନ୍ଦ ମତ ପ୍ରକାଶ କରିଥିଲେ । ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଏହି ପଦଯାତ୍ରାରେ ରମେଶ ଚନ୍ଦ୍ର ପତି, ଅକ୍ଷୟ କୁମାର ଦାସ, ପଦ୍ମନାଭ ଲେଙ୍କା, କୁମ୍ଭକର୍ଣ୍ଣ ରାଉଳ, ଅଞ୍ଜଳି ପଟ୍ଟନାୟକ, ସୁମିତ୍ରା ଦେବତା, ନାରାୟଣ ପଟ୍ଟନାୟକ, ଦୋଳ ଗୋବିନ୍ଦ ଜେନା, ଜନ୍ମେଜୟ ରାଉତ, ଆଦିତ୍ୟ ମିଶ୍ର, ସୁଜିତ ଦେବତା, ସୁବ୍ରତ ଜେନା, ନରହରି ମହାନ୍ତ, ରାହୁଳ ନାଏକ, ଆଡଭୋକେଟ ପ୍ରତାପ ଚନ୍ଦ୍ର ପଣ୍ଡା, ହୃଦାନନ୍ଦ ପରିଡା ଓ କୋଡିଏରୁ ଅଧିକ ସ୍ଥାନୀୟ ଭକ୍ତ ଯୋଗ ଦେଇଥିଲେ ।
