ଭୁବନେଶ୍ୱର,୧୩/୦୨/୨୦୨୫ (ଓଡ଼ିଶା ସମାଚାର)- ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଆସନ୍ତା ୧୭ ରୁ ୨୭ ତାରିଖ ପର୍ଯ୍ୟନ୍ତ ଶୁଣାଣି କରିବେ। ଯଦି ଓଇଆରସି କମ୍ପାନୀ ଗୁଡ଼ିକର ଯୁକ୍ତିକୁ ଗ୍ରହଣ କରନ୍ତି ତାହାହେଲେ ଆସନ୍ତା ଏପ୍ରିଲରୁ ବିଦ୍ୟୁତ ଶୁଳ୍କ ବଢ଼ିପାରେ ।
ବିଗତ୨ ବର୍ଷ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଥିବାବେଳେ ଗତବର୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ ଖୁଚୁରା ଯୋଗାଣ ଦେୟ ୟୁନିଟ ପିଛା ୧୦ ପଇସା ହ୍ରାସ କରାଯାଇଥିଲା। ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ିନାହିଁ।
ସୂଚନା ଅନୁସାରେ, ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀ ପକ୍ଷରୁ ଦାଖଲ କରାଯାଇଥିବା ପ୍ରସ୍ତାବ ଉପରେ ଆସନ୍ତା ୧୭ ତାରିଖରୁ ଓଇଆରସିରେ ଶୁଣାଣି ହେବ। ଭୁବନେଶ୍ବର ଶୈଳଶ୍ରୀ ବିହାରସ୍ଥିତ ଆୟୋଗଙ୍କ କାର୍ଯ୍ୟାଳୟରେ ୨୭ ତାରିଖ ପର୍ଯ୍ୟନ୍ତ ଏହି ଶୁଣାଣି ଜାରି ରହିବ।
୧୭ ତାରିଖ ଦିନ ୧୧ଟାରେ ଓଏଚ୍ପିସି ଏବଂ ଅପରାହ୍ଣ ୩ଟାରେ ଓପିଜିସିର ଆବେଦନ ଉପରେ ତର୍ଜମା କରାଯିବ। ସେହିପରି ୧୮ରେ ଓପିଟିସିଏଲ ଏବଂ ଏସ୍ଏଲ୍ଡିସି, ୧୯ରେ ଗ୍ରିଡକୋ, ୨୦ରେ ଟିପିଏସ୍ଓଡିଏଲ, ୨୪ରେ ଟିପିଏନ୍ଓଡିଏଲ, ୨୫ରେ ଟିପିସିଓଡିଏଲ୍ ଏବଂ ୨୭ରେ ଟିପିଡବ୍ଲ୍ୟୁଓଡିଏଲ୍ ଆବେଦନର ଶୁଣାଣି ହେବ।
ଆୟୋଗଙ୍କ କାର୍ଯ୍ୟାଳୟର ରିସେପସନ୍ ଡେସ୍କରୁ ଭିଜିଟର୍ସ ପାସ୍ ନେଇ ସାଧାରଣ ଲୋକ ଶୁଣାଣିରେ ଅଂଶଗ୍ରହଣ କରିପାରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା, ୨୦୦ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ୫ ଟଙ୍କା ୭୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ କ୍ଷେତ୍ରରେ ୟୁନିଟ୍ ପିଛା ୬ ଟଙ୍କା ୧୦ ପଇସା ରହିଛି।
