ଦୁଇ ବିଜେପି ନେତାଙ୍କ ଶକ୍ତି ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର
କଟକ ସଦର,୦୭/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଥିବାବେଳେ ଚୌଦ୍ୱାର-କଟକ ର ଦୁଇ ବିଜେପି ନେତାଙ୍କ ଶକ୍ତି ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର ଧରିଛି। ସାଂଗଠନିକ ବୈଠକକୁ ରାଜ୍ୟର ବହୁ ପ୍ରଭାବଶାଳୀ ନେତା, ମୁଖ୍ୟମନ୍ତ୍ରୀ,ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ବିଧାୟକ, ସାଂସଦ ଓ ପଦାଧିକାରୀ ମାନେ ସାଧାରଣ ଭାବେ ଆସିଥିଲେ। ହେଲେ ଚୌଦ୍ୱାର- କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ନିକଟରେ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଥିବା ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ଠାରୁ ଲଗାତାର ହାରୁଥିଵା ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି ଦୁଇଜଣ ନିଜର ଶକ୍ତି ପ୍ରଦର୍ଶନ ପାଇଁ ବଡ଼ ଧରଣର ଶୋଭାଯାତ୍ରା ରେ ସମାବେଶ ସ୍ଥଳକୁ ଯାଇଥିଲେ। 
ଶୋଭାଯାତ୍ରାରେ ଯାଇଥିବା ଶୋଭାଯାତ୍ରାକାରୀ ମାନେ ଦୁଇ ନେତାଙ୍କୁ ସଭାସ୍ଥଳରେ ଛାଡ଼ି ଫେରି ଆସିଥିଲେ। ଏହି ଶକ୍ତି ପ୍ରଦର୍ଶନ ଆଗାମୀଦିନରେ କାହା ପଲା ଭାରି ରଖିବ ତାକୁ ନେଇ ସାଧାରଣରେ ଅଵଗଣନା ଆରମ୍ଭ ହୋଇଛି। ସେଥିରେ କଟକ ଜିଲ୍ଲାର ବିଜେଡ଼ି ସଂଗଠନ ଏବେ କେବଳ ଚୌଦ୍ୱାର-କଟକରେ ସୀମିତ ରହିଥିବା ଦେଖିବାକୁ ମିଳୁଛି। ଯେଉଁଥିପାଇଁ ବିଜେଡ଼ି ର ଦୁଇ ହେଭିୱଟ୍ ନେତା ରାଜ୍ୟ ଉପସଭାପତି ପ୍ରତାପ ଜେନା, ଦେବୀ ମିଶ୍ର, ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର, ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ପ୍ରମୁଖ ଉକ୍ତ ନିର୍ବାଚନ ମଣ୍ଡଳୀରେ ଘନଘନ ବୈଠକ କରି ସଂଗଠନ ସଜାଡ଼ିବାରେ ଲାଗି ପଡ଼ିଥିବା ଜଣାପଡିଛି। ତେବେ ଆଗକୁ ଏହି ନିର୍ବାଚନ ମଣ୍ଡଳୀର ରାଜନୀତି ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
