କେନ୍ଦ୍ରାପଡ଼ା,୧୧/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ଖୋଲିଥିବା ଏକ ମଦଦୋକାନ ବନ୍ଦ ଦାବିରେ ମହିଳାମାନେ ବିକ୍ଷୋଭ କରିଛନ୍ତି । ଜମଧର ଗ୍ରାମପଂଚାୟତ ସରପଂଚ ରାଜକିଶୋର ଖୁଂଟିଆଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ଦୋକାନ ଆଗରେ ଧାରଣାରେ ବସିବା ସହ ନାରାବାଜି କରିଥିଲେ । ନୂଆକରି ଲାଇସେନ୍ସ ପାଇଥିବା ଏହି ଦୋକାନ ଧାର୍ଯ୍ୟ ସ୍ଥାନରେ ନହୋଇ ଗଜଲଷ୍ମୀ ପୂଜା ଘର ନିକଟରେ କରାଯାଇଛି ।
ଅନ୍ୟପକ୍ଷରେ ଦୁହୁରିଆ ଫାଣ୍ଡିର ଠିକ୍ ପଛ ପଟରେ ରହିଛି ଏହି ମଦ ଦୋକାନ । କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଓ ୫୩ ନମ୍ୱର ଜାତୀୟ ରାଜପଥକୁ ଲାଗିକରି ରହିଛି ଏହି ମଦଦୋକାନ । ଏହା ସମସ୍ତ ଆଇନକୁ ଉଲ୍ଲଂଘନ କରି ଖୋଲା ଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏମିତିକି ପାଣ୍ଡିରି ଗାଁର ପ୍ରବେଶ ପଥରେ ଏହି ମଦ ଦୋକାନ ହେବା ଦ୍ୱାରା ଗାଁ ଲୋକେ ନାନା ସମସ୍ୟାରେ ପଡିବେ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ମଦ୍ୟପମାନେ ମଦ କିଣିନେଇ ପାଣ୍ଡିରି ଗାଁ ର ପ୍ରବେଶ ଦ୍ୱାରରେ ଥିବା କଲଭର୍ଟ ଉପରେ ବସି ଦିନ ଦ୍ୱିପହରରେ ମଦ୍ୟପାନ କରୁଛନ୍ତି । ଏହାସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ଯାହା ଫଳରେ ଏହି ରାସ୍ତା ଦେଇ ଗ୍ରାମର ସ୍କୁଲ ପିଲା, ଗ୍ରାମବାସୀ ଯାତାୟତ କରିବାକୁ ସୁରକ୍ଷିତ ମନେ କରୁନାହାନ୍ତି ।
ତେଣୁ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ମହିଳାମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି । ସରପଂଚ ରାଜକିଶୋର ଖୁଂଟିଆ ଏବଂ ପଂଚାୟତବାସୀ ପୂର୍ବରୁ ଜିଲା ପ୍ରଶାସନକୁ ଅବଗତ କରିଥିବା କହିଛନ୍ତି । ଏମିତିକି ଅବକାରୀ ବିଭାଗ ପାଖରେ ମଧ୍ୟ ଅଭିଯୋଗ କରାଯାଇଛି । କିନ୍ତୁ କେହି କର୍ଣ୍ଣପାତ କରୁ ନ ଥିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଲେ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ।
