ପଞ୍ଚସଖା ଶିକ୍ଷା ସେତୁର ଦ୍ୱିତୀୟ ପରିଚାଳନା ପରିଷଦ ବୈଠକ

ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସକ୍ରିୟ ଭାଗିଦାରୀ ହେବାକୁ ପୁରାତନ ଛାତ୍ରଛାତ୍ରୀଙ୍କୁମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନ

ଭୁବନେଶ୍ୱର,୦୮/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଦ୍ୱିତୀୟ ପରିଚାଳନା ପରିଷଦ ବୈଠକ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ  ସଂଗଠନର ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଗଠନ ମାଧ୍ୟମରେ ବିଦ୍ୟାଳୟମାନଙ୍କରେ  କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ସହ ଆଗାମୀ ବର୍ଷର କାର୍ଯ୍ୟଯୋଜନା, ବଜେଟ୍ ଏବଂ ସଂଗଠନର ସାମଗ୍ରିକ କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲାମୁଖ୍ୟ ଶାସନ ସଚିବବିଦ୍ୟାଳୟରେ ଶିକ୍ଷାର ବିକାଶ ପାଇଁ ପଞ୍ଚଶିକ୍ଷା ସେତୁ ସଂଗଠନ କିପରି କାର୍ଯ୍ୟ କରୁଛି, ସେଥିରେ ସ୍ଥାନୀୟ ଜନସାଧାରଣ ତଥା ଅଭିଭାବକମାନଙ୍କ ଠାରୁ ପରାମର୍ଶ ଓ ମତାମତ ସଂଗ୍ରହ ସହ ନିଜ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀମାନେ  ଅଧିକରୁ ଅଧିକ ସକ୍ରିୟ ଭାବେ ସାମିଲ ହେବାକୁ  ଆହ୍ୱାନ ଦେଇଛନ୍ତି

ସଂଗଠନର କାର୍ଯ୍ୟାବଳୀ  ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଏନ୍ ତିରୁମାଳା ନାଏକ ଉପସ୍ଥାପନ କରିଥିଲେ ।  ବୈଠକରୁ ଜଣାଯାଇଛି ଯେ, “ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମ” ଅଧୀନରେ ଏପର୍ଯ୍ୟନ୍ତ ରାଜ୍ୟରେ  ୧୧.୫୬ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସଂଯୁକ୍ତ ହୋଇଥିବା ବେଳେ ୮୦,୩୩୪ଟି ପ୍ରକଳ୍ପ କାର୍ଯ୍ୟକାରୀ  ହୋଇଛିପୁରାତନ ଛାତ୍ରଛାତ୍ରୀଙ୍କଠାରୁ ୨୮୮ କୋଟି ଟଙ୍କାରୁ ଅଧିକ ଅବଦାନ ସଂଗୃହୀତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ୫୭୧ କୋଟି ଟଙ୍କାର ଦୁଇଗୁଣା ମ୍ୟାଚିଂ ଗ୍ରାଣ୍ଟ ପ୍ରଦାନ କରାଯାଇଛିଏହି ଅନୁଦାନ ବିଦ୍ୟାଳୟଗୁଡ଼ିକର ମରାମତି, ଅତିରିକ୍ତ ଶ୍ରେଣୀଗୃହ ଏବଂ ବହୁମୁଖୀ ସଭାଗୃହ ନିର୍ମାଣ, ବିଜ୍ଞାନାଗାର, ପାଠାଗାର, ରୋଷେଇ ଘର, ସାଇକେଲ ଷ୍ଟାଣ୍ଡ, ଆସବାବପତ୍ର ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ଭଳି କାର୍ଯ୍ୟ କରାଯାଉଛି ।ଆଗାମୀ ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ନିମନ୍ତେ ୮୦ କୋଟି ଟଙ୍କା ପ୍ରାବଧାନ ରଖାଯାଇଛି ୨୦୨୫-୨୬  ବର୍ଷରେ ମୋଟ ୨୦,୦୬୪ ପୁରାତନ ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟମାନଙ୍କ ସହ ଯୋଡ଼ି ହୋଇଛନ୍ତି ଏବଂ ସେମାନେ ୧୫.୮୭ କୋଟିର ଅନୁଦାନ ପ୍ରଦାନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ୨ ଗୁଣା ଅନୁଦାନ ହିସାବରେ ୩୧.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।  ବୈଠକରେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରିତା ସଫଳ କାହାଣୀ ଉପସ୍ଥାପନ କରାଯାଇଥିଲା ।

ପଞ୍ଚସଖା ଶିକ୍ଷା ସେତୁ ସଂଗଠନର କାର୍ଯ୍ୟ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏହାର ଓ୍ୱେବ୍ ସାଇଟ୍ କୁ ବିକଶିତ ଓ  ଅଦ୍ୟତନ କରିବା ସହ ଏହାକୁ  ଯେପରି ପୁରାତନ ଛାତ୍ରଛାତ୍ରୀମାନେ ସୁବିଧାରେ ଓ ସହଜରେ ବ୍ୟବହାର କରି ସେମାନଙ୍କର ଅନୁଦାନ ରାଶି ବିଦ୍ୟାଳୟକୁ ପଠାଇପାରିବେ ଓ ତଥ୍ୟ ଜାଣିପାରିବେ, ସେ ସଂପର୍କରେ ପରାମର୍ଶ ଦେଇଥିଲେ । ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ବିଦ୍ୟାଳୟ  ଭିତ୍ତିଭୂମି ଉନ୍ନୟନ ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ବିକାଶରେ କିପରି ଯୋଗଦାନ ଦେଇପାରିବ, ସେଥିପ୍ରତି ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥି ସହିତ ସେ ସଂଗଠନପରିଚାଳନା କମିଟି ପୁନର୍ଗଠନ କରି କେତେକ ନୂତନ ସଦସ୍ୟମାନଙ୍କୁ  ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି । 

  ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଐତିହ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ, ଆକାଂକ୍ଷୀ ପାଠ୍ୟକ୍ରମ ଓ ଆକାଂକ୍ଷୀ ପରିଷଦ,  ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବିଦ୍ୟାଳୟର ପରିଚ୍ଛନ୍ନତା ଓ ସୁରକ୍ଷା ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ହଲ୍ ନିର୍ମାଣ ସମେତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଥିଲାବିଦ୍ୟାଳୟ ସମ୍ପତ୍ତିର ନିୟମିତ ମରାମତି ଓ ରକ୍ଷଣାବେକ୍ଷଣ, କର୍ପୋରେଟ୍ ସାମାଜିକ ଦାୟିତ୍ୱ ( ସିଏସଆର) ଅବଦାନ ବୃଦ୍ଧି, ଆଲୁମନି ସଂଯୋଗକୁ ଅଧିକ ବ୍ୟାପକ କରିବା ସହ ଡିଜିଟାଲ୍ ପ୍ରଣାଳୀ ମାଧ୍ୟମରେ କାର୍ଯ୍ୟକ୍ରମ ପରିଚାଳନାକୁ ସରଳ, ସହଜକରିବା ଉପରେ ବିସ୍ତୃତ  ଆଲୋଚନା ହୋଇଥିଲା। ପ୍ରକଳ୍ପଗୁଡ଼ିକର ତ୍ୱରିତ ମୂଲ୍ୟାଙ୍କନ ଓ ପ୍ରଭାବ ଆକଳନ ବ୍ୟବସ୍ଥା କରିବାକୁ  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି ସେ କହିଥିଲେ ଯେ, ଏହା ଦ୍ୱାରା ସେଗୁଡ଼ିକର ବାସ୍ତବ କାର୍ଯ୍ୟକାରିତା ତଦାରଖ ସହ  ସେସବୁର ଗୁଣବତ୍ତା, ସ୍ଥାୟିତ୍ୱଏବଂ ବିଦ୍ୟାଳୟର ବିକାଶ ସଂପର୍କରେ ଉପଯୁକ୍ତ ଅନୁଧ୍ୟାନ କରାଯାଇପାରିବ

 ବୈଠକ ପରେ ଗଣମାଧ୍ୟମ ଜରିଆରେ ବାର୍ତ୍ତା ଦେଇ ଶ୍ରୀମତୀ ଗର୍ଗ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନିଜ ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ଯୋଡ଼ି  ବିଦ୍ୟାଳୟର ସାମଗ୍ରିକ ବିକାଶରେ ସହଭାଗୀ ହେବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି  ଯେ, ଦେଶ ବିଦେଶର ରହୁଥିବା ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କର ଅନୁଭୂତି, ଅଭିଜ୍ଞତା ଓ ଅବଦାନବିଦ୍ୟାଳୟଗୁଡ଼ିକୁ ଆହୁରି ସମୃଦ୍ଧ କରିବା ସହ ଭବିଷ୍ୟତ ପିଢ଼ି ପାଇଁ ଉତ୍ତମ ଶିକ୍ଷା ପରିବେଶ ସୃଷ୍ଟିରେ ସହାୟକ ହେବ

 ବୈଠକରେ ସଂଗଠନର ସଦସ୍ୟ ସଚିବ, ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ତଥା ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା  ଶ୍ରୀମତୀ ଅନନ୍ୟା ଦାସ,  ସଂଗଠନର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜଲକ୍ଷ୍ମୀ ଦାଶଙ୍କ ସମେତ ପରିଚାଳନା ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ । 

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *