କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, ୨୩/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ଗରାପୁରସ୍ଥିତ ‘ଶିକ୍ଷକ ଭବନ’ ରେ ମହାସମାରୋହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ରାଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ ମୁଖ୍ୟବକ୍ତା, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କପାଳେଶ୍ୱର ପଂଚାୟତ ସରପଂଚ କଳ୍ପନା ମହାନ୍ତି, ଉପଦେଷ୍ଟା ଶିକ୍ଷକ ଭାସ୍କର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ୨୦୨୩-୨୪ ଶିକ୍ଷାବର୍ଷରେ ସେବାନିବୃତଶିକ୍ଷକ/ଶିକ୍ଷିକା ଯଥା ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭାରାଣୀ ପ୍ରଧାନ, ସବିତା ପଣ୍ଡା, ତ୍ରୈଲୋକ୍ୟ ମହାନ୍ତି, ରତ୍ନମଣୀ ପଣ୍ଡା, ରବିନ୍ଦ୍ର କୁମାର ଦାସ ପ୍ରମୁଖ ୨୬ଜଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନୂତନ ଭାବରେ ନିଯୁକ୍ତ ଶିକ୍ଷକ/ଶିକ୍ଷିକାମାନଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା । ଶିକ୍ଷକତା କେବେ ସରେ ନାହିଁ । ଶିକ୍ଷକ ସବୁବେଳେ ଶିକ୍ଷକ । ଶିକ୍ଷକତାକୁ ପେଶା ନ ଭାବି ସେବା ଭାବିଲେ ସମାଜର ମଙ୍ଗଳ ହେବ । ଶୈଶବ ଭାବରେ ସମୃଦ୍ଧ ତଥା ଶୃଙ୍ଖଳିତ କରିବା ନିମନ୍ତେ ଆପଣା ପଣରେ ସମସ୍ତ ଶିକ୍ଷକ/ଶିକ୍ଷିକା ବ୍ରତୀ ରହିବାକୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଏକ ପାଠାଗାର ନିର୍ମାଣ ନିମନ୍ତେ ଆର୍ଥôକ ସହାୟତା ପ୍ରଦାନ କରିବାକୁ ବିଧାୟକ ଶ୍ରୀ ବେହେରା ଘୋଷଣା କରିଥିଲେ । ଶିକ୍ଷକ ଅନନ୍ତ ଚରଣ ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ରାଧାନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ଶିକ୍ଷାବର୍ଷଠାରୁ ବ୍ଲକ ଇଲାକାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସଂଘ ପକ୍ଷରୁ ମାଗଣା କୋଚିଂ ଯୋଗାଇ ଦେବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ଉପଦେଷ୍ଟା ମାନଭଞ୍ଜନ ପ୍ରଧାନ, ପ୍ରମୋଦ କୁମାର ସିଂ, ସମ୍ପାଦକ ଶୈଳବାଳା ସାମଲ, ସହ ସମ୍ପାଦକ ପ୍ରଶାନ୍ତ କୁମାର ମହାକୂଡ, ସେକ୍ ରଇସୁଦ୍ଧିନ୍, କୋଷାଧ୍ୟକ୍ଷା ନିରୁପମା ଶତପଥୀ, ସଂଗଠନ ସମ୍ପାଦକ ଶରତ କୁମାର ସ୍ୱାଇଁ, କ୍ଷେତ୍ରମଣୀ ଦେଈ, ପ୍ରଫୁଲ୍ଲ ରାଉତ, ରମାକାନ୍ତ ସ୍ୱାଇଁ, ମହେନ୍ଦ୍ର ସେଠୀ, ଅନିଲ କୁମାର ଦାସ, ସେକ୍ ଅଜଗର ଅଲ୍ଲୀ, ମହମ୍ମଦ ଫାୟାଜୁଦ୍ଧିନ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *