ଲକ୍ଷ୍ମୀପୁର ,୦୬/୦୭/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା ) – ଆନ୍ଧ୍ରପ୍ରଦେଶ କୁ ଗୋ ଚାଲାଣ ବେଳେ ଲକ୍ଷ୍ମୀପୁର ପୋଲିସ ୧୫ ଟି ଗାଈଙ୍କୁ ଉଦ୍ଧାର କରିଥିବା ବେଳେ ଏଥିରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଦୋରା ଗୁଡା ଥାନା ଡି.କରଲ ଗ୍ରାମରୁ ଆନ୍ଧ୍ର ପ୍ରଦେଶ କୁ ସବୁ ଗାଈ ଚାଲାଣ ହେଉଥିବା ଲକ୍ଷ୍ମୀପୁର ପୋଲିସ ତରଫରୁ ସୂଚନା ମିଳିଛି।
ଖବର ମୁତାବକ ନାରାୟଣପାଟଣା ବ୍ଲକ୍ ଡି.ପାଲୁର ଗ୍ରାମର ବିଦେଶ ଖରା ,ବିଶେକ ଖରା, ପାନ କୁଲଦୀପ ଓ ଉଦୟ ପାତ୍ର,ପାଲାପୁଟ ଗ୍ରାମର ଈଶ୍ୱର ଖରା ଓ ଜଗ କୁଲେସିକା,ଖଜାଗୁଡା ଗ୍ରାମର ଲେଙ୍ଗୁ ହବିକା ଓ ବାଚୁ ହିକକା ଶନିବାର ରାତିରେ ପନ୍ଦର ଟି ଗାଈ ଙ୍କୁ ଚଲେଇ ଚଲେଇ ନେଉଥିବା ବେଳେ ଲକ୍ଷ୍ମୀପୁର ଥାନା ଚିଲି ଶଙ୍ଖା ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ପୋଲିସ ହାବୁଡ଼ରେ ପଡ଼ିଥିଲେ। ସେଠାରୁ ସମସ୍ତ ଗାଇଙ୍କୁ ପୋଲିସ ଉଦ୍ଧାର କରି ଥାନାକୁ ଆଣିବା ସହ ଗୋ ଚାଲାଣ ରେ ସମ୍ପୃକ୍ତ ଆଠ ଜଣଙ୍କୁ ଗିରଫ କରିଥିଲା। ଗିରଫ ଆଠ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ପନ୍ଦର ଟି ଗାଈ ଙ୍କୁ ଲକ୍ଷ୍ମୀପୁର ବଜରଙ୍ଗ ଦଳର ସହାୟତାରେ ଚାରୋଟି ଗାଡ଼ିରେ ଜୟପୁର ସ୍ଥିତ ଗୋଶାଳାକୁ ପଠେଇ ଦେଇଥିବା ଆଇଆଇସି ସୁଜ୍ଞାନୀ ସାହୁ କହିଛନ୍ତି।
ଲକ୍ଷ୍ମୀପୁର ଦେଇ ପ୍ରତ୍ୟେକ ଶନିବାର ଦିନ ଆନ୍ଧ୍ର ପ୍ରଦେଶକୁ ଗାଈ ଚାଲାଣ ଚାଲିଥିଲା।ଏହାକୁ ଆଖି ଆଗରେ ରଖି ପୋଲିସ ସୁଯୋଗ ଅପେକ୍ଷାରେ ଥିବା ବେଳେ ଶନିବାର ରାତିରେ ପୋଲିସ ଓ ଗୋଚାଲାଣ କାରୀ ମୁହାଁ ମୁହିଁ ହୋଇଥିଲେ।ଏନେଇ ଲକ୍ଷ୍ମୀପୁର ଥାନାରେ ୧୦୦/୨୬ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣା ପଡିଛି।ଗାଈ ଉଦ୍ଧାର ସମୟରେ ଆଇଆଇସି ଙ୍କ ସମେତ ଏସଆଇ ରଞ୍ଜିତ ମିଶ୍ର,ଶାନ୍ତି ଲତା ବେହେରା,ଏଏସଆଇ କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ,ରମେଶ କିନ୍ତାଲୁ,ପ୍ରସନ ବେହେରା ଉପସ୍ଥିତ ଥିବା ବେଳେ ଲକ୍ଷ୍ମୀପୁର ବଜରଙ୍ଗ ଦଳ ପୋଲିସକୁ ସବୁ କ୍ଷେତ୍ରରେ ସହଯୋଗ କରିଥିଲେ।
