ଜିଲ୍ଲାରେ ଏସଆଇଆର ପ୍ରକ୍ରିୟାର ସମୀକ୍ଷା କଲେ ଜିଲ୍ଲାପାଳ

— ଜୁଲାଇ ୫ ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

ଯାଜପୁର, ୦୧/୦୭/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସଆଇଆର ୨୦୨୬ ର ପରିଗଣନା ପର୍ଯ୍ୟାୟର ସଫଳ ସମାପନ, ତଥ୍ୟର ଡିଜିଟାଇଜେସନ୍‌ର ଅଗ୍ରଗତି, ଚିଠା ଭୋଟର ତାଲିକା ପ୍ରକାଶ ପାଇଁ ଚାଲିଥିବା ପ୍ରସ୍ତୁତି ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏସଆଇଆର କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଥିଲା। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଭୋଟରମାନେ ନିଜ ନାମ ସମ୍ପର୍କିତ ଦାବି ଓ ଆପତ୍ତି ଦାଖଲ କରିପାରିବେ।

ଏହାପରେ ପ୍ରାପ୍ତ ଦାବି ଓ ଆପତ୍ତିଗୁଡ଼ିକର ଯାଞ୍ଚ ଏବଂ ସମାଧାନ ପ୍ରକ୍ରିୟା ନଭେମ୍ବର ୨ ତାରିଖ ସୁଦ୍ଧା ସମ୍ପନ୍ନ କରାଯିବ ଏବଂ ନଭେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଏହି ଅବସରରେ ଜିଲ୍ଲାପାଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ଚିଠା ଭୋଟର ତାଲିକାର ଯାଞ୍ଚ ଏବଂ ଦାବି-ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ ନପଡ଼ନ୍ତି ଏବଂ ଭୋଟର ତାଲିକା ସଠିକ୍, ସମାବେଶୀ ଓ ତ୍ରୁଟିମୁକ୍ତ ରହେ, ସେଥିପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ,

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଅଶୋକ କୁମାର ଦେହୁରୀ, ଡେପୁଟି କଲେକ୍ଟର, ନିର୍ବାଚନ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ଏସଆଇଆର୍ ୨୦୨୬ ର ସଫଳ କାର୍ଯ୍ୟକାରିତା, ସମନ୍ୱୟ ଏବଂ ଆଗାମୀ କାର୍ଯ୍ୟସୂଚୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *