ଅବକାରୀ ପ୍ରଶିକ୍ଷାର୍ଥୀଙ୍କ ପ୍ରଥମ ବ୍ୟାଚ୍‌ର ଐତିହାସିକ ଦୀକ୍ଷାନ୍ତ ସମାରୋହ।

ନିଶାମୁକ୍ତ ଓଡ଼ିଶା ଗଠନର ସଙ୍କଳ୍ପ: ଯାଜପୁରରେ ପ୍ରଥମ ବ୍ୟାଚ୍ ଅବକାରୀ ଉପ ଆରକ୍ଷୀ ନିରୀକ୍ଷକ(Sub Inspector) ଓ ଉପ ଆରକ୍ଷୀ ଅଧିକ୍ଷକ (Deputy superintedent of Excise) ପ୍ରଶିକ୍ଷାର୍ଥୀଙ୍କ ପ୍ୟାରେଡ୍ ଅଭିବାଦନ ଗ୍ରହଣ କଲେ ଅବକାରୀ ମନ୍ତ୍ରୀ ।

ଯାଜପୁର ଗସ୍ତରେ ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ  ।

ଅବକାରୀ ପ୍ରଶାସନରେ ନୂତନ ଅଧ୍ୟାୟ: ଯାଜପୁର ଗସ୍ତ ଅବସରରେ ଅଧିକାରୀଙ୍କୁ ସ୍ୱଚ୍ଛତା ଓ ଦୃଢ଼ କର୍ତ୍ତବ୍ୟନିଷ୍ଠାର ମନ୍ତ୍ର ଦେଲେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଯାଜପୁର, ୦୧/୦୭/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟର ଅବକାରୀ ପ୍ରଶାସନକୁ ଅଧିକ କ୍ରିୟାଶୀଳ, ସ୍ୱଚ୍ଛ ଓ ସୁଦୃଢ଼ କରିବା ଦିଗରେ ଏକ ଗୌରବମୟ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ୍, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ଯାଜପୁର ଜିଲ୍ଲା , ସୋଲର (ବୈରୀ) ସ୍ଥିତ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ୨୨ ଜଣ ପ୍ରଥମ ବ୍ୟାଚ୍ ଅବକାରୀ Dy SE ଏବଂ ୧୦୦ ଜଣ ସବ୍-ଇନ୍ସପେକ୍ଟର (SI) ପ୍ରଶିକ୍ଷାର୍ଥୀମାନଙ୍କର ଏକ ଭବ୍ୟ ‘ଦୀକ୍ଷାନ୍ତ ସମାରୋହ’ (Passing Out Parade) ରେ ଯୋଗଦାନ କରିଥିଲେ । ଏହି ସମାରୋହରେ ମାନ୍ୟବର ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ଅଧିକାରୀମାନଙ୍କ ଆକର୍ଷଣୀୟ ପ୍ୟାରେଡ୍ ପରିଦର୍ଶନ କରିବା ସହ ସେମାନଙ୍କର ଅଭିବାଦନ ଗ୍ରହଣ କରିଥିଲେ। ସମାଜ ଗଠନରେ ଅବକାରୀ ବିଭାଗର ନୂତନ ସଙ୍କଳ୍ପ ତଥା “ସ୍ୱଚ୍ଛତା, ଦୃଢ଼ ଶୃଙ୍ଖଳା ଏବଂ ନିଶାମୁକ୍ତ ଓଡ଼ିଶା” ଗଠନର ମୁଖ୍ୟ ଆଭିମୁଖ୍ୟକୁ ନେଇ ନୂତନ ଅଧିକାରୀ ମାନଙ୍କୁ ଉଦବୋଧନ କରିଥିଲେ  ।  ସମଗ୍ର କାର୍ଯ୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ପ୍ରଶିକ୍ଷାର୍ଥୀମାନଙ୍କୁ  ପ୍ରେରଣାଦାୟୀ ଉଦ୍‌ବୋଧନ ଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, “ଅବକାରୀ ବିଭାଗ କେବଳ ସରକାରଙ୍କ ରାଜସ୍ୱ ଆଦାୟର ମାଧ୍ୟମ ନୁହେଁ, ବରଂ ସାମାଜିକ ଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କ ସୁରକ୍ଷାର ଏକ ପ୍ରମୁଖ ସ୍ତମ୍ଭ।

 ପ୍ରଶିକ୍ଷାର୍ଥୀମାନେ ଆଜି ଗ୍ରହଣ କରିଥିବା ଶପଥ କେବଳ ଏକ ଆନୁଷ୍ଠାନିକତା ନୁହେଁ, ବରଂ ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣଙ୍କ ପ୍ରତି ଥିବା ପବିତ୍ର ଦାୟିତ୍ୱବୋଧର ପ୍ରତୀକ। ସମ୍ପୂର୍ଣ୍ଣ ସ୍ୱଚ୍ଛତା, ସାଧୁତା ଓ କଠୋର ଶୃଙ୍ଖଳା ରକ୍ଷା କରି ଏକ ସୁସ୍ଥ, ସମୃଦ୍ଧ ଏବଂ ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ନବନିଯୁକ୍ତ ଅଧିକାରୀମାନେ ନିଜର ଶ୍ରେଷ୍ଠ ଯୋଗଦାନ ଦେବେ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି।”

କାର୍ଯ୍ୟକ୍ରମର ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ମୁଖ୍ୟ ଅତିଥିଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପରେ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା  ଶପଥ ଗ୍ରହଣ ଏବଂ ପ୍ୟାରେଡ୍ ପରିକ୍ରମା ଅନୁଷ୍ଠିତ ହୋଇଥିଲା। ଏହାପରେ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ  ଶ୍ରୀ ଅଶୋକ କୁମାର ଦେହୁରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅଧିକାରୀମାନଙ୍କର ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ପାଠ୍ୟକ୍ରମ ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପ୍ରଶିକ୍ଷଣ ଅବଧି ମଧ୍ୟରେ ବିଭିନ୍ନ ବିଭାଗରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ପ୍ରଶିକ୍ଷାର୍ଥୀମାନଙ୍କୁ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇ ଉତ୍ସାହିତ କରାଯାଇଥିଲା। ଏହାପରେ ଅବକାରୀ ବିଭାଗର କମିଶନର  ଅନ୍ଵେଷା ରେଡ୍ଡୀ ନିକଟ ଭବିଷ୍ୟତରେ  ଲାଗୁହେବା କୁ ଯାଉଥିବା ବିଭାଗର  ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।

 ସମାରୋହର ଅନ୍ତିମ ପର୍ଯ୍ୟାୟରେ ପ୍ୟାରେଡ୍ ନିଷ୍କ୍ରମଣ ହୋଇଥିଲା ଏବଂ ମାନ୍ୟବର ମନ୍ତ୍ରୀ ନବନିଯୁକ୍ତ ପରୀକ୍ଷାର୍ଥୀମାନଙ୍କ ସହ ସ୍ମାରକୀ ଫଟୋଚିତ୍ର ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇ ଗସ୍ତ ସମାପ୍ତ କରିଥିଲେ।

ଏହି ଗରିମାମୟ ରାଜ୍ୟସ୍ତରୀୟ ସମାରୋହରେ  ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ବରିଷ୍ଠ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ପରିଚାଳିତ ହୋଇଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *