୯ଲକ୍ଷ ହେକ୍ଟରରେ ନୂଆ ଜଳସେଚନ ସାମର୍ଥ୍ୟ ସୃଷ୍ଟିକରିବା ଲକ୍ଷ୍ୟରେ ଓଏଲଆଇସି ତରଫରୁ ୫ବର୍ଷିଆ ମାଷ୍ଟର ପ୍ଲାନ୍ ଉପସ୍ଥାପିତ ।
ଓଏଲଆରସି ପରିଚାଳନାକୁ ଅଧିକ ସୁଦୃଢ଼ କରିବାକୁ ଉନ୍ନୟନ କମିଶନର ତଥା ବୋର୍ଡ ଅଧ୍ୟକ୍ଷାଙ୍କ ଗୁରୁତ୍ୱ
ଭୁବନେଶ୍ୱର,୨୩/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓଡ଼ିଶା ଉଠା ଜଳସେଚନ ନିଗମ (ଓଏଲ୍ଆଇସି) ର ୨୦୯ ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଯେଉଁସବୁ ବ୍ଲକରେ ୩୫ପ୍ରତିଶତରୁ କମ୍ ଜଳସେଚନ କ୍ଷମତା ରହିଛି, ସେସବୁ ଅଂଚଳରେ ଅଧିକ ଜଳସେଚନ ପାଇଁ ପଦକ୍ଷେପ ନିଆଯିବା ସହ୯ଲକ୍ଷ ହେକ୍ଟରକୁ ନୂଆ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଏଲଆଇସି ତରଫରୁ ୫ବର୍ଷିଆ ମାଷ୍ଟର ପ୍ଲାନ୍ ଉପସ୍ଥାପନ କରାଯାଇଥିଲା।
ଆହୁରି ମଧ୍ୟ ବୈଠକରେ ୧୦,୩୮୦ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ (କ୍ଲିପ୍ସ) ଏବଂ ୧,୫୦,୫୦୦ଟି ଗଭୀର ବୋର କୂପ ସ୍ଥାପନ ସହିତ ସେସବୁର ନିରନ୍ତରତା ଭିତ୍ତିରେ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟରେ ସୌରଶକ୍ତି ଦ୍ୱାରା ପରିଚାଳିତ ହେବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।
ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ଓଏଲଆରସିର କାର୍ଯ୍ୟ ପରିଚାଳନା ବୃଦ୍ଧି ପାଇଥିବା ଅନୁଭବ କରିଥିଲେ । ଉନ୍ନୟନ କମିଶନର ତଥା ବୋର୍ଡର ଅଧ୍ୟକ୍ଷା ଓଏଲଆଇସି କୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଦ୍ୟାନ କୃଷି ଓ ଅନ୍ୟ ବିଭାଗ ସହିତ ସମ୍ମିଳିତ ପ୍ରୟାସରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନିଗମର କାର୍ଯ୍ୟ ନିରନ୍ତରତା ଭିତ୍ତିରେ ଲକ୍ଷ୍ୟ ରଖି କରାଯିବା, ଶକ୍ତି ର ଉପଯୁକ୍ତ ବ୍ୟବହାର, ଫସଲ ବିବିଧିକରଣ, ମହିଳା କୃଷକ ସଶକ୍ତିକରଣ ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଓଏଲଆରସି ପରିଚାଳନାକୁ ଆହୁରି ସୁଦୃଢ଼ କରିବାକୁ ଉନ୍ନୟନକମିଶନର ଗୁରୁତ୍ୱ ଦେଇଛନ୍ତି।
-0-
ପଠାଣିରାଉତ,ଲୋକସଂପର୍କଅଧିକାରୀ ଙ୍କ ସୌଜନ୍ୟ ରୁ
