ପୁରୀ, ୩୦/୦୬/୨୦୨୬ (ଓଡ଼ିଶା ସମାଚାର)- ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗତ କାଲି ପୂର୍ବାହ୍ନରେ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଓଡ଼ିଶାକୁ ସମୃଦ୍ଧ କରିବା ଓ ସମଗ୍ର ଜଗତର କଲ୍ୟାଣ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେ କହିଥିଲେ ଯେ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ରହିଥିବା ଅଭିପ୍ରାୟ ଆଜି ପୂର୍ଣ୍ଣ ହୋଇଛି।

ଓଡ଼ିଶାକୁ ସମୃଦ୍ଧ କରିବା ସହ ସାରା ଜଗତର କଲ୍ୟାଣ ପାଇଁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଥିଲେ । ଏଥିସହିତ ରଥଯାତ୍ରା କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ଓ ଓଡ଼ିଶାକୁ ସମୃଦ୍ଧ କରିବାକୁ ସରକାରଙ୍କ ପ୍ରୟାସ ଆଗକୁ ବଢ଼ିବ ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ।ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ସାଂସଦ ଡ଼ାକ୍ତର ସମ୍ବିତ ପାତ୍ର, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
ଏହାପରେ ରାଜ ନହରକୁ ଯାଇ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ସାକ୍ଷାତ୍ କରି ସ୍ନାନଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଗଜପତିଙ୍କ ସହ ଆଗାମୀ ରଥଯାତ୍ରା ପ୍ରସ୍ତୁତି, ଜଗନ୍ନାଥ ସଂସ୍କୃତି ଓ ପୁରୀର ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରଥ ଖଳାକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ପୁରୀ ଗସ୍ତ ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଘରକୁ ଯାଇ ତାଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ।
