ମାହାଙ୍ଗା,୨୬/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଯାହା ଅବକାରୀ ବିଭାଗ ଓ ପୋଲିସ କରିବାକଥା, ସେଇ କାମ ପାଇଁ ଘରୁ ଦାଣ୍ଡକୁ ବାହାରିଲେ ଗ୍ରାମୀଣ ମହିଳାମାନେ । ପ୍ରତିଦିନ ଏହି ମହିଳାମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଭୋଗିବାକୁ ପଡେ । ନିଶାଶକ୍ତ ସ୍ୱାମୀ ଏବଂ ପିଲାମାନେ ପରିବାର ଭିତରେ ମାଡ ପିଟ ଏବଂ ଭଙ୍ଗା ରୁଜା କରନ୍ତି । ସେମାନେ ଆଉ କେତେ ସହିବେ । ମାଡ଼ ଗାଳି ସାଙ୍ଗକୁ ଅସହ୍ୟ ନିର୍ଯ୍ୟାତନା ଭୋଗୁଥିବା ଏହି ମହିଳାମାନେ ଚରମ ନିଷ୍ପତି ନେବା ଚର୍ଚ୍ଚାର ବିଷୟ ହୋଇଛି । ଶେଷରେ ଏହି ମହିଳା ମାନେ ଚୋରା ମଦ ବିକୁଥିବା ଏବଂ ଏହି ମଦକୁ ସେମାନଙ୍କ ଗାଁ’ରେ ପହଞ୍ଚାଉଥିବା ମଦ ବେପାରୀକୁ ପାନେ ଦେବାକୁ ଅଣ୍ଟା ଭିଡ଼ିଲେ ।
କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜୟୀପୁର ଫାଣ୍ଡି ଅନ୍ତର୍ଗତ ଅରିଲୋ ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମହିଳା ମାନଙ୍କ ଆକ୍ରୋଶର ଶୀକାର ହେବାକୁ ପଡିଛି ଜଣେ ଚୋରା ମଦ ବେପାରୀ ଏବଂ ସେହି ଗାଁରେ ମଦ ବିକ୍ରି କରୁଥିବା ଓ ସେମାନଙ୍କୁ ସମର୍ଥନ ଦେଉଥିବା ଅନ୍ୟଜଣେ ବ୍ୟକ୍ତିଙ୍କୁ । ପୋଲିସ ନୁହେଁ କି’ ଅଦାଲତ । ଗାଁ ‘
ମନ୍ଦିର ସାମ୍ନାରେ,ଅର୍ଥାତ ଅନ ଦି ସ୍ପଟ ବିଚାର କରାଯାଇଥିଲା । ଆଉ ଏଭଳି ଚୋରାମଦ ଵିକିଵିନି, ଆଉକେବେ ଏହି ଗାଁ’କୁ ଆସିବିନି, ଦୟାକରି ମୋତେ ମାଫ କରିଦିଅନ୍ତୁ କହି ନେହୁରା ହେଉଛି ଏହି ମଦ ବେପାରୀ ଜଣକ । ତାଙ୍କୁ ମୁକୁଳାଇବାକୁ ଆସିଥିବା ସେହି ଗ୍ରାମର ଜଣେ ବଇଦ ବାବୁ ନିର୍ଘାତ ମାଡ଼ ଖାଇବା ଦେଖିବାକୁ ମିଳିଥିଲା । ଅରିଲୋ ଭଳି ଏକ ଛୋଟିଆ ଗାଁ’ର ମା’ ମାନେ ଯେଉଁଭଳି ସାହସିକତାର ପରିଚୟ ଦେଲେ, ଠିକ ଅନୁରୂପ ଭାବରେ ଅନ୍ୟ ପୀଡିତା ମହିଳା ମାନେ ଏଭଳି ଦୃଢ଼ ନିଷ୍ପତି ନେବାକୁ ବୁଦ୍ଧିଜୀବୀ ମାନେ ଆହ୍ୱାନ ଦେଇଛନ୍ତି ।
ଅନ୍ୟପକ୍ଷରେ ଉତ୍ୟକ୍ତ ମହିଳାମାନେ ମଦ କାରବାରକୁ ସମର୍ଥନ କରୁଥିବା ସ୍ଥାନୀୟ ଅଂଚଳର ଜନୈକ ବ୍ୟକ୍ତିଙ୍କୁ ମାଡ ମରିବା ସହିତ, ସେଠାରେ ମଦ ବିକୁଥିବା ଆଉଜଣେ ଚୋରା ମଦ ବେପାରୀଙ୍କ ଘରେ ଭଙ୍ଗାରୁଜା କରିବା ସୂଚନା ମିଳିଛି । ଘଟନାସ୍ଥଳରେ ପେଟି ପେଟି ମଦ ବୋତଲ ଭାଙ୍ଗି ଦିଆଯାଇଥିଲା । ଖବର ପାଇବା ପରେ କୁମୁଡା ଜୟୀପୁର ଫାଣ୍ଡି ଅଧିକାରୀ ମନୋଜ ବେହେରା ଅନ୍ୟ ସହକର୍ମୀ ପୋଲିସ ମାନଙ୍କୁ ଧରି ଅରିଲୋ ଗାଁରେ ପହଂଚି ମହିଳା ମାନଙ୍କଦ୍ୱାରା ଅଟକ ମଦ ବେପାରୀକୁ ଫାଣ୍ଡିକୁ ନେଇଥିଲେ ।
