ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ ଙ୍କ ଦେହାନ୍ତ

ନବରଙ୍ଗପୁର,୩୦/୦୮/୨୦୨୬ (ଓଡ଼ିଶା ସମାଚାର)-   ଆଜି ରବିବାର ସକାଳ ପ୍ରାୟ ୫ଟା ସମୟରେ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ ଅସୁସ୍ଥ  ଥିଲେ । ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନାର ସେ ଆଇସିୟୁରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ତାଙ୍କ ବିୟୋଗରେ ଜିଲାର ରାଜନୈତିକ ଓ ସାମାଜିକ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ ଅନର ପରେ ତାଙ୍କ ପୈତୃକ ଗାଁ ତେନ୍ତୁଳୀଖୁଣ୍ଟି ବ୍ଲକ ଚିତ୍ରୋକୋଟ ଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ ।

ଡମ୍ବରୁଧର ମାଝୀ ନବରଙ୍ଗପୁର ଜିଲା ରାଜନୀତିର ଜଣେ ପରିଚିତ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ । ସପ୍ତମ ବିଧାନସଭା ୧୯୭୭-୧୯୮୦  ଓ  ଅଷ୍ଟମ ବିଧାନସଭା ୧୯୮୦-୧୯୮୫ କୋଡିଙ୍ଗା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୯ମ ବିଧାନସଭା ୧୯୮୫-୧୯୯୦ ଡାବୁଗାଁରୁ ନିର୍ବାଚିତ ହୋଇଥିଲେ । ୧୯୭୦-୭୧ରେ ସେ କୃଷି, ସମବାୟ, ବାଣିଜ୍ୟ ଓ ପରିବହନ ବିଭାଗର ଉପମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । କଂଗ୍ରେସ ସମୟରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀ ସମୟରେ ମାଝୀ ଜଳ ସମ୍ପଦ ଓ ଶକ୍ତି, ହେମାନନ୍ଦ ବିଶ୍ୱାଳଙ୍କ ସମୟରେ ଆଦିବାସୀ କଲ୍ୟାଣ, ମନ୍ତ୍ରୀ ରହିଥିଲେ ।୨୦୦୯ରେ ବିଜେଡି ରୁ  ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏମପି ପ୍ରାର୍ଥୀ ହୋଇ ପରାଜୟ ହୋଇଥିଲେ । ୨୦୧୮ରେ ପୁଣି ସେ ଭାଜପାରେ ଯୋଗ ଦେଇଥିଲେ ।

ତାଙ୍କ ବିୟୋଗ ନବରଙ୍ଗପୁର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି । ବିଭିନ୍ନ ମହଲରେ ଶୋକପ୍ରକାଶ କରାଯାଇଛି । ବିୟୋଗ ସମୟରେ ଝିଅ, ଜ୍ୱାଇଁ ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ଶୁଭୟୁ କଷ୍ୟପ, ସୋନପୁର ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝୀ,ପରିବାର ବର୍ଗ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦାରା୍ୱାନ, ତେନ୍ତୁଳୀଖୁଣ୍ଟି ବି ଦି ଓ ମନୋଜ କୁମାର ପାଣିଗ୍ରାହୀ,ଏସ ଡି ପି ଓ କୃଷ୍ଣ ଚନ୍ଦ୍ର ଭତ୍ରା, ପୂର୍ବତନ ଏମ ପି ପର୍ଶୁରାମ ମାଝୀ, ନବରଙ୍ଗପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ବରିଷ୍ଠ କଂଗ୍ରେସ ନେତା ମୁନା ତ୍ରିପାଠୀ, ଚନ୍ଦ୍ର ଧ୍ବଜ ମାଝୀ ସମେତ ଜିଲ୍ଲାର ବହୁ ରାଜନେତା ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକ ସନ୍ତପ୍ତ ପାରିବାରକୁ ସମବେଦନା ଜଣାଇବା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *