ଭୁବନେଶ୍ୱର,୦୨/୧୧/୨୦୨୬ (ଓଡ଼ିଶା ସମାଚାର)- ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ, ତଥା ଦେଶର ସ୍ୱନାମଧନ୍ୟ ଚିକିତ୍ସକ ପଦ୍ମଶ୍ରୀ ଡ଼.ଅଶୋକ ମହାପାତ୍ରଙ୍କର ସୋମବାର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମସ୍ତିଷ୍କ କର୍କଟ ରୋଗରେ ପିଡ଼ୀତ ଥାଇ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ । ସୋମବାର ରାତି ୯.୧୫ ମିନିଟ୍ରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।
ଜଣେ ଶିଶୁ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ସାରା ଦେଶରେ ତାଙ୍କର ବେଶ୍ ପରିଚିତି ଥିଲା । ସେ ଦିଲ୍ଲୀ ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ଲକ୍ଷ୍ନୌ ସ୍ଥିତ ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ ମସିହାରେ ଦିଲ୍ଲୀ ଏମ୍ସଠାରେ ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ତାଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୨୪ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ନୂତନ ଦିଗ ଦେବାରେ ଏବଂ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଯୁଗାନ୍ତକାରୀ ଅବଦାନ ଚିରସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗ ସମଗ୍ର ଚିକିତ୍ସା ଜଗତ ତଥା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ପରଲୋକ ଖବର ପ୍ରଚାର ହେବା ମାତ୍ରେ ସବୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । କିଛିଦିନ ତଳେ ଡା.ମହାପାତ୍ର ମସ୍ତିଷ୍କ ଯନ୍ତ୍ରଣାରେ ଅସୁସ୍ଥ ହୋଇ ସମ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ଅଧିକ ଉନ୍ନତ ଚିକିତ୍ସା ଲାଗି ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତରମାନଙ୍କର ଅକ୍ଲାନ୍ତ ପରିଶ୍ରମ ସତ୍ତେ୍ୱ ତାଙ୍କର ପରଲୋକ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରି ଲେଖିଛନ୍ତି :
ବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।
ଦେଶର ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଚିକିତ୍ସା ବିଜ୍ଞାନ ଜଗତର ଅଗ୍ରଣୀ ବ୍ୟକ୍ତିତ୍ୱ ଭାବରେ ସେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସମୃଦ୍ଧ କରିବା ସହ ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଥିଲେ। ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ଅବିସ୍ମରଣୀୟ ରହିବ।
ଏହି ଦୁଃଖଦ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।

