ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟ ପକ୍ଷରୁ ଅମୃତ ଧାରା ଓ ଅନ୍ନଦାନ କାର୍ୟ୍ୟକ୍ରମ

ଯାଜପୁର, ୧୫/୦୪/୨୦୨୪ (ଓଡ଼ିଶା ସମାଚାର)- ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟ ଓ ପୁରୀ ସେବା ସମିତିର ମିଳିତ ଉଦ୍ୟମରେ ପୁରୀ ବଡ଼ ଦାଣ୍ଡରେ ଅମୃତ ଧାରା ଓ ଅନ୍ନଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ୟ୍ୟକ୍ରମରେ ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟର ୧୦୦ରୁ ଉର୍ଦ୍ଧ୍ବ ସ୍ୱେଚ୍ଛାସେବୀ ଯୋଗଦେଇ ପ୍ରଚଣ୍ଡ ରୌଦ୍ର ତାପକୁ ଦୃଷ୍ଟିରେ ରଖି ସକାଳ ୯ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ୟ୍ୟନ୍ତ ବଡ଼ ଦାଣ୍ଡର ମରିଚିକୋଟ ଛକ ଠାରେ ସାଧାରଣ ଲୋକ ତଥା ବଡ଼ ଦେଉଳକୁ ଆସୁଥିବା ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଅନବରତ ଥଣ୍ଡା ପାନୀୟ ଜଳ,ଦହି ସର୍ବତ, ଲେମ୍ବୁ ସର୍ବତ, ବେଲ ପଣା, ଓଆରଏସ ପାଣି,ମିଶିରି ଭୂସୀ ପାଣି ଇତ୍ୟାଦି ବଣ୍ଟନ କରିଥିଲେ । ଏଥି ସହିତ ମଧ୍ୟାହ୍ନ ସମୟରେ ଅନ୍ନଦାନ ଯୋଜନା ମାଧ୍ୟମରେ ଅନୁଷ୍ଠାନ ପକ୍ଷରୁ ମିଠା ଖେଚୁଡ଼ି ଓ ଡାଲମା ବଣ୍ଟନ କରାଯାଉଥିଲା। ଏଥି ସହିତ ଠେଲା ଗାଡି ସାହାଯ୍ୟରେ ମରିଚିକୋଟ ଟ୍ରାଫିକ ପୋଷ୍ଟ ଛକ ଠାରୁ ଶ୍ରୀମନ୍ଦିର ପର୍ୟ୍ୟନ୍ତ ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କୁ ଟିକିଏ ଆସ୍ୱସ୍ତି ଦେବା ପାଇଁ ମେସିନ ସାହାଯ୍ୟରେ ଜଳ ସିଂଞ୍ଚନ ବ୍ୟବସ୍ଥା ମଧ୍ୟ କରାଯାଉଥିଲା।
ଯେଉଁଥିରେ ଯାତ୍ରୀ ମାନେ ଖୁବ୍ ଆନନ୍ଦିତ ହେବା ସହିତ ଥଣ୍ଡା ପାନୀୟ ଜଳ ଓ ସର୍ବତ ପାନ କରି ନିଜର ତୃଷ୍ଣା ନିବାରଣ କରିଥିଲେ। ଶେଷରେ ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ବଡ଼ଦାଣ୍ଡ ସଫେଇ କରି ସ୍ଵଛତା ଉପରେ ଧ୍ୟାନ ଦେବା ସହିତ ଲୋକ ମାନଙ୍କୁ ସଚେତନତା ସୃଷ୍ଟି କରିଥିଲେ । ବଡ଼ଦାଣ୍ଡରେ ପଡିଥିବା ଅଳିଆ ଆବର୍ଜନାକୁ ଏକତ୍ରିତ କରି ମୁନିସିପାଲଟି ଗାଡ଼ିରେ ସ୍ତାନାନ୍ତରିତ କରିବା ପରେ ସେବା କାର୍ୟ୍ୟକ୍ରମ ସମାପନ ହୋଇଥିଲା ।
ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟର ପ୍ରତିଷ୍ଠାତା ଶିଵ ପ୍ରସାଦ ସାମଲ ଓ ପୁରୀ ସେବା ସମିତିର ସମ୍ପାଦକ ସୌମେନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା । ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟର ସଭାପତି ଭାରତ ଭୂଷଣ ସାମଲଙ୍କ ସମେତ ସକ୍ରିୟ ସଦସ୍ୟ ନାରାୟଣ ସାହୁ, ରାକେଶ କୁମାର ବାରିକ, ଦୁଷ୍ମନ୍ତ କୁମାର ବାରିକ,ଦିବ୍ୟରଞ୍ଜନ ବାରିକ, ଦେବାଶିଷ ମଲ୍ଲିକ, ପ୍ରକାଶ କୁମାର ବଳ,  ନର୍ମଦା ପୃଷ୍ଟି, ଆଲୋକ କୁମାର ପାତ୍ର, ବୈଷ୍ଣବ ଚରଣ ବାରିକ, ସମ୍ବିତ କୁମାର ସାମଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ଏତାଦୃଶ କାର୍ୟ୍ୟ ପାଇଁ ସାଧାରଣରେ ପ୍ରସଂଶା କରାଯାଇଛି ।

Leave a Reply

Your email address will not be published. Required fields are marked *