କେନ୍ଦ୍ରାପଡ଼ା, ୨୮/୦୬/୨୦୨୬ (ଓଡ଼ିଶା ସମାଚାର)-ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସ ପକ୍ଷରୁ ଦୃଢ ବିରୋଧ କରାଯାଇଛି । କେନ୍ଦ୍ରାପଡ଼ା ସହରର ପ୍ରବେଶ ପଥ ଦୁହୁରିଆ ଠାରେ କଂଗ୍ରେସ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଳା ପତକା ଓ କଳା ବେଲୁନ ଦେଖାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ୍ ବୋଲି କଂଗ୍ରେସ ନେତା ଓ କର୍ମୀମାନେ ସ୍ଲୋଗାନ ଦେଇଥିଲେ । କେନ୍ଦ୍ରାପଡ଼ା ବ୍ଲକ କୋର ଗ୍ରାମପଂଚାୟତର ପାଳକଣା ଗ୍ରାମକୁ ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ବିଭାଘରକୁ ଭୋଜିରେ ଯୋଗ ଦେବାକୁ ଆସିଥିଲେ । ଏ ନେଇ ପୂର୍ବରୁ କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଥିଲା ।
ଏହି ଖବର ପାଇ କଂଗ୍ରେସ ନେତା ଓ କର୍ମୀମାନେ ଦୁହୁରିଆ ଠାରେ ପୂର୍ବରୁ ଜଗି ରହିଥିଲେ । ଧର୍ମେନ୍ଦ୍ର ପ୍ରାୟ ସାଢେ ୧୧ଟା ବେଳେ କେନ୍ଦ୍ରାପଡ଼ାର ପ୍ରବେଶ ପଥ ଦୁହୁରିଆରେ ପହଂଚିବା ପରେ କଂଗ୍ରେସ ନେତା ଓ କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ । ବିକ୍ଷୋଭକାରୀମାନଙ୍କୁ ପୋଲିସ ଗିରଫ କରିଥିଲା । ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା । ଏହି ଅବସରରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ବହୁ କଷ୍ଟ କରି ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇ ଯାଇଥିଲା । ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରୁ ବଂଚିତ ହୋଇଥିଲେ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡିଛି ।
ତେଣୁ କେନ୍ଦ୍ରମନ୍ତ୍ରୀଙ୍କର କେନ୍ଦ୍ରାପଡ଼ା ଆସିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଥିଲେ । ଏହି ଅବସରରେ ଜିଲା କଂଗ୍ରେସ ସଭାନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା କହିଲେ ପ୍ରଶ୍ନ ପତ୍ର ଲିକ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଧା ସଳଖ ସଂପୃକ୍ତି ରହିଛି । ତେଣୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା । ହେଲେ ସେ ତାହା ନ କରି କେନ୍ଦ୍ରାପଡ଼ା ଗସ୍ତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମ ଶିକ୍ଷା ବ୍ୟବସ୍ଥାକୁ କ୍ଷମତାରେ ଥିବା ନେତା ଓ ମନ୍ତ୍ରୀମାନେ କଳୁଷିତ କରୁଛନ୍ତି । ଏହାଦ୍ୱାରା ଦେଶର ବିକାଶ ବାଧାପ୍ରାପ୍ତ ହେଉଛି ଓ ଦେଶର ଭବିଷ୍ୟତ ନାଗରିକଙ୍କ ଜୀବନ ଅନ୍ଧାରକୁ ଠେଲି ହୋଇ ଯାଉଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରତିକାନ୍ତ କାନୁନଗୋ, ଦର୍ପ ସାହୁ, ମାନଗୋବିନ୍ଦ ଦାସ, ଛାତ୍ର କଂଗ୍ରେସ ସଭାପତି ଦିବ୍ୟ ରଞ୍ଜନ ରାଉତ, ଶୈଳେନ୍ଦ୍ର ମଲ୍ଲିକଙ୍କ ସମେତ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
