ଛାତି ଏବଂ ଗୋଡ଼ରେ ୪ ରାଉଣ୍ଡ ଗୁଳି ମାଡ଼
କଟକ,୨୬/୦୬/୨୦୨୬ (ଓଡ଼ିଶା ସମାଚାର)- କଟକ ଜିଲା ବଡମ୍ବା ମାଣିଆବନ୍ଧ ସନ୍ତରାବାଡ଼ି ସରପଞ୍ଚଙ୍କ ସ୍ୱାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନା (୩୨) ଙ୍କ ଉପରକୁ ଗୁଳିମାଡ ହୋଇଛି । ସେ ତାଙ୍କ ପୁଅକୁ ନେଇ ସେଲୁନକୁ ଚୁଟି କାଟିବା ପାଇଁ ଯାଉଥିବା ବେଳେ ମାଣିଆବନ୍ଧ ଥାନା କୁଆଁରପାଳ ଛକରେ ତାଙ୍କ ଉପରେ ଅତର୍କିତ ଭାବେ ଗୁଳିମାଡ଼ ହୋଇଥିଲା। ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ ହୋଇଛି।
ଦୁଇଟି ବାଇକରେ ଆସିଥିବା ଚାରି ଜଣ ଦୁର୍ବୃତ୍ତ ଗୁଳି ମାଡ଼ କରି ଫେରାର ହୋଇ ଯାଇଛନ୍ତି। ଗୁଳି କାଳିଆଙ୍କ ଛାତି ଏବଂ ଗୋଡ଼ରେ ବାଜିଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ମାଣିଆବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। କିଏ ଓ କାହିଁକି ଏହି ଗୁଳି ଚାଳନା କରିଛି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ କାଳିଆ ଜେନାଙ୍କ ନାମରେ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।
