ଜୁନ୍ ୨୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ
୨୦୨୩ ପାଇଁ ଶ୍ରୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ପାଇଁ ଶ୍ରୀମତୀ ନମ୍ରତା ଦାସଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର
୨୦୨୩ ପାଇଁ ମିଳିତ ଭାବେ “ପୁଷ୍କରା” ଓ “ମାଇଁ ସୁଇଟ୍ ୱାଇଫ୍” ଏବଂ ୨୦୨୪ ପାଇଁ “ଆଶ୍ରମ” ଶ୍ରେଷ୍ଠ ଚଳଚ୍ଚିତ୍ର
୨୦୨୩ ପାଇଁ ହରିହର ମହାପାତ୍ର ଏବଂ ୨୦୨୪ ପାଇଁ ବାବୁସାନ ଶ୍ରେଷ୍ଠ ମୁଖ୍ୟ ଅଭିନେତା
୨୦୨୩ ପାଇଁ ମିଳିତ ଭାବେ ନୈନା ଦାଶ ତିୱାରୀ ଓ ସୁପ୍ରିୟା ନାୟକ ଏବଂ ୨୦୨୪ ପାଇଁ ଦେବଯାନୀ ଦେଘୁରିଆ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ
୨୦୨୩ ପାଇଁ ପିନାକୀ ସିଂ ଓ ଶିଶିର କୁମାର ସାହୁ ଏବଂ ୨୦୨୪ ପାଇଁ ଅଶୋକ ପତି ଶ୍ରେଷ୍ଠ ନିର୍ଦ୍ଦେଶକ
ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମସ୍ତ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ସହ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ଓ ସମୃଦ୍ଧିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର,୨୫/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବର୍ଷ ୨୦୨୩ ଏବଂ ୨୦୨୪ ପାଇଁ ଯଥାକ୍ରମେ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ସାମ୍ବାଦିକ ସମ୍ମିଳନୀରେ ସମସ୍ତ ବିଜେତା ମାନଙ୍କ ନାମ ଘୋଷଣା କରିଛନ୍ତି।
ଜୁନ୍ ୨୬ ତାରିଖରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବ।ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଭାମାନଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।
୨୦୨୩ ପାଇଁ ଶ୍ରୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ପାଇଁ ଶ୍ରୀମତୀ ନମ୍ରତା ଦାସଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ। ୨୦୨୩ ପାଇଁ ମିଳିତ ଭାବେ “ପୁଷ୍କରା” ଓ “ମାଇଁ ସୁଇଟ୍ ୱାଇଫ୍” ଏବଂ ୨୦୨୪ ପାଇଁ “ଆଶ୍ରମ”କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ୨୦୨୩ ପାଇଁ ହରିହର ମହାପାତ୍ର ଏବଂ ୨୦୨୪ ପାଇଁ ବାବୁସାନଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତା, ୨୦୨୩ ପାଇଁ ମିଳିତ ଭାବେ ନୈନା ଦାଶ ତିୱାରୀ ଓ ସୁପ୍ରିୟା ନାୟକ ଏବଂ ୨୦୨୪ ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ, ୨୦୨୩ ପାଇଁ ପିନାକୀ ସିଂ ଓ ଶିଶିର କୁମାର ସାହୁ ଏବଂ ୨୦୨୪ ପାଇଁ ଅଶୋକ ପତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ।
୨୦୨୩ ପାଇଁ ୩୦ଟି ବର୍ଗ ଏବଂ ୨୦୨୪ ପାଇଁ ୩୦ଟି ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।
ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିବା ସହିତ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିଶ୍ଚିତ ଭାବରେ ଓଡ଼ିଶାରେ ଓଡ଼ିଆ ଭାଷାରେ ଉନ୍ନତ, ମୂଲ୍ୟବୋଧ ଭିତ୍ତିକ, ସାମାଜିକ ପ୍ରାସଙ୍ଗିକତା ବିଷୟ ବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇବ। ଏଥିସହ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ଓ ସମୃଦ୍ଧିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବା ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ଦ୍ଦେଶକ ଶ୍ରୀ ପ୍ରଣବ ଦାସଙ୍କ ଅଧ୍ୟକ୍ଷତାରେ ଏକ ଜୁରୀ କମିଟି ଗଠନ କରାଯାଇଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଣବ ଦାସଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।
-0-
ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
