ମୋତ୍ୟାଲୁ ମାଙ୍କ ଘଟ ଯାତ୍ରା ଆରମ୍ଭ

ଲକ୍ଷ୍ମୀପୁର,୨୩/୦୪/୨୪(ଓଡ଼ିଶା ସମାଚାର/ପ୍ରମୋଦ ଜେନା)-ଚୈତ୍ର ମାସ ଆସିଗଲେ କୋରାପୁଟ ଜିଲ୍ଲାରେ ଥିବା ଅଧିକାଂଶ ଗାଁ ଗଣ୍ଡାରେ ଗ୍ରାମଦେବୀ ଙ୍କ ଯାତ୍ରା ଅନୁଷ୍ଠିତ ହୁଏ। ପ୍ରବଳ ଗହଳି ସାଙ୍ଗକୁ ଗାଁ ଗଣ୍ଡା ଉତ୍ସବ ମୁଖର ହୋଇ ଉଠେ।କେଉଁଠି ନଅ ଦିନ ଧରି ଘଟ ଯାତ୍ରା ହୁଏ ତ ଆଉ କେଉଁଠି ତିନିଦିନ ଧରି ଯାତ୍ରା ଅନୁଷ୍ଠିତ କରାଯାଇଥାଏ। ହେଲେ ବନ୍ଧୁଗାଁ ବ୍ଲକ ନିଲାବାଡି ଠାରେ ଅବସ୍ଥାପିତ ମା ଅଗ୍ନୀ ଗଙ୍ଗାମାଙ୍କ ପିଠରୁ ଜିଲ୍ଲାର ପ୍ରଥମ ଠାକୁରାଣୀ ଯାତ୍ରା ଆରମ୍ଭ ହୁଏ।ନିଲାବାଡି ଠାକୁରାଣିଙ୍କ ଘଟ ଯାତ୍ରା ସରିବା ପରେ ଜିଲ୍ଲାର ପ୍ରତ୍ୟେକ ଛୋଟ ବାଡ ଗାଁରେ ଗ୍ରାମ ଦେବୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଅବସର ରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦରର ଅଧିଷ୍ଠାତ୍ରୀ ଦେବୀ ମା   ମୋତ୍ୟାଲୁ ମାଙ୍କ ନବ ଦିନାତ୍ମକ ଘଟ ଯାତ୍ରା ସୋମବାର ରାତିରୁ ଆରମ୍ଭ ହୋଇ ଯାଇଛି। ଏନେଇ ମନ୍ଦିର ପାଖ ଉତ୍ସବ ମୁଖର ହୋଇ ଉଠିଥିଲା। ମୁଖ୍ୟ ମନ୍ଦିରରୁ ମାଙ୍କୁ ଅସ୍ଥାୟି ମନ୍ଦିରକୁ ଅଣା ଗଲା ବେଳେ ମନ୍ଦିର ପାଖରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ବାଜା ବାଜଣା ସହ ବାଣ ଫୁଟା ଶବ୍ଦରେ ମନ୍ଦିର ପାଖ କମ୍ପି ଉଠିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲକ୍ଷ୍ମୀପୁର ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତ, ଆଇଆଇସି ସୁଜ୍ଞାନି ସାହୁ ଙ୍କ ସମେତ ଆଇଆରବିଏନ୍ ଯବାନ ନିୟୋଜିତ ଥିଲେ। ଯାତ୍ରା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଲକ୍ଷ୍ମୀପୁର ବିଡ଼ିଓ ଗୁରେସ୍ଵର୍ ଭୋଇ ମଧ୍ୟ ଉପସ୍ଥିତ ଥିଲେ। ମଙ୍ଗଳବାର ଦିନ ମା ବିଶ୍ରାମ ନେବେ । ବୁଧବାର ଠାରୁ ଘର ଘର ବୁଲିବା ଆରମ୍ଭ ହେବ। ନିଆଁ ରେ ଚାଲିବା, କଣ୍ଟା ଦୋଳିରେ ଝୁଲିବା, ଗାଁ ବନ୍ଧାଣ ଭଳି ଅନେକ ଅଲୌକିକ କାର୍ୟ୍ୟକ୍ରମ ପାଇଁ ପ୍ରବଳ ଭିଡ଼ ଜମିବାର ଲକ୍ଷ ରଖାଯାଇଥିବା ବେଳେ କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ଏନେଇ ମନ୍ଦିର ପାଖରୁ ବଜାର ପର୍ୟ୍ୟନ୍ତ ରାସ୍ତାର ଦୁଇ କଡ ସୁନ୍ଦର ସୁନ୍ଦର ଆଲୋକ ମାଳାରେ ସଜିତ କରାଯାଇଥିବା ବେଳେ ଅନ୍ଧାର ହେବା ମାତ୍ରକେ ପୁରା ରାସ୍ତା ଝଲସି ଉଠୁଛି। ନଅ ଦିନ ଧରି ଅଞ୍ଚଳରେ ଗହଳି ଚହଳି ଲାଗି ରହିବ । ମଙ୍ଗଳବାର ଦିନ ମା ବିଶ୍ରାମ ନେବା ପରେ ବୁଧବାର ଦିନ ଠାରୁ ସାତ ଦିନ ଧରି ମା ଘର ଘର ବୁଲି ଭକ୍ତଙ୍କୁ ଦର୍ଶନ ଦେଇ ଭୋଗ ଖାଇବେ। ଭକ୍ତ ମହଲରେ ଏବେ ଖୁସିର ଲହରି ଦେଖିବାକୁ ମିଳିଥିବାବେଳେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *