କୁହୁଣ୍ଡାରେ ପାନୀୟଜଳ ସମସ୍ୟା ଉତ୍କଟ : ଭୋଟ ବର୍ଜ୍ଜନ ପାଇଁ ଚେତାବନୀ

ମାହାଙ୍ଗା,୧୩/୦୪/୨୦୨୪(ଓଡିଶା ସମାଚାର /ଅଭୟ ଜେନା)- ଗାଁ’କୁ ପାଣି ନାହିଁତ ନେତାଙ୍କୁ ଭୋଟ ନାହିଁ । ବାରମ୍ବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସୁଥିବା ଶାସକ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବହୁ ଗ୍ରାମୀଣ ମହିଳା । ସେମାନେ ବିଶେଷ କରି ଶାସକ ଦଳର ନେତା ଓ କର୍ମୀଙ୍କୁ କାଠଗଡା଼କୁ ଟାଣିଛନ୍ତି । ବସୁଧା ଯୋଜନା ନାଁ’ରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ପୂର୍ବତନ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ଉତ୍କଟ ହେଲାଣି ପାଣି ସମସ୍ୟା । ଭୋଟ ପାଇଁ ଗାଁ’କୁ ଯିବେ, ଶାସକ ଦଳ ର ନେତା । ସବୁଠି ବିକାଶର କଥା କୁହା ଯାଉଛି । କିନ୍ତୁ ଗାଁ’ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଏହି ପଞ୍ଚାୟତର ରହିଛି ୧୩ ଟି ୱାର୍ଡ । ସେଥିରୁ ୮ ନମ୍ବର,୨ ନମ୍ବର ଏବଂ ୧ ନମ୍ବର, ଏହି ତିନିଟି ୱାର୍ଡରେ ପହଂଚିବା ପରେ ପିଇବା ପାଣିକୁ ନେଇ ଲୋକଙ୍କ ସମସ୍ୟା ଉଦବେଗ ଜନକ ବୋଲି ଜଣାପଡିଥିଲା । ବ୍ଲକ ସଦର ମହକୁମା କୁଆଁପାଳ ଠାରୁ ମାତ୍ର ୨ କିଲୋମିଟର ଦୂରତାରେ ଅବସ୍ଥିତ କୁହୁଣ୍ଡା ପଞ୍ଚାୟତ । ଆଜି ବି’ ଏହି ପଞ୍ଚାୟତର ୧୩ ଟି ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ଉତ୍କଟ ହୋଇଛି ପାଣି ସମସ୍ୟା । ଲୋକେ ଗଡିଆ ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି । ଆଇରନ ପାଣି ବାହାରୁ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି । କୁହୁଣ୍ଡା ଅମିନାବାଦ ୮ ନମ୍ବର ୱାର୍ଡର ଚାରି ଘରିଆ ସାହି, ଧୋବା ସାହି, ନାୟକ ସାହି, ଜେନା ସାହିକୁ ପିଇବା ପାଣି କାହିଁକି ପହଂଚି ପାରୁନି, ସେ ନେଇ କାହା ପାଖରେ ଉତ୍ତର ନାହିଁ । ସେହିପରି କୁହୁଣ୍ଡା ପଞ୍ଚାୟତର ହରଗୋବିନ୍ଦପୁର, ଧଉଳିଆ, ଘଡେଇ ସାହି ଏବଂ ସାହାଡ଼ାମୁଣ୍ଡୁଳିରେ ଆଜିବି ମିଳୁନି ଟ୍ୟାପ ଯୋଗେ ପିଇବା ପାଣି ।

ଲୋକେ ପିଇବା ପାଣି ପାଇଁ ଦୀର୍ଘ ୨୦ ବର୍ଷ ହେବ, କହି କହି ଥକି ଗଲେଣି । ସରପଞ୍ଚଙ୍କ ଠାରୁ ବିଧାୟକ, ମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ । କେହି ଶୁଣୁ ନାହାନ୍ତି ଲୋକଙ୍କ କଥା । କେଉଁଠି ନଳକୂପରୁ ହଳଦିଆ ଆଇରନ ପାଣି ବାହାରୁଛି ତ’ ଆଉ କୋଉଠି କୂଅ ପାଣି ପଙ୍କୁଆ ଲାଗୁଛି । ଗଡିଆ ପୋଖରୀରୁ ପାଣି ଯୋଗାଡ କରି ସେହି ପାଣିକୁ ବ୍ୟବହାର କରୁଛନ୍ତି ଗାଁ’ର ଲୋକେ । ବସୁଧା ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ଘରକୁ ଘର ପିଇବା ପାଣି ଯୋଗାଇବା ଘଟଣା, କେବଳ ପାଣିରେ ଗାର, ଧର୍ମକୁ ଆଖି ଠାର ବୋଲି ଅଭିଯୋଗ ହେଉଛି ।
ପାଣି ନାହିଁତ ଭୋଟ ନାହିଁ, ସବୁଠି ଶାଣିତ ପ୍ରତିବାଦ । କୁହୁଣ୍ଡା ଭଳି ଏକ ଛୋଟିଆ ଗ୍ରାମ ପଞ୍ଚାୟତରେ ପିଇବା ପାଣି ସମସ୍ୟାର ସମାଧାନ ହୋଇ ନପାରିବା ପରିତାପର କଥା ବୋଲି ଚର୍ଚ୍ଚା ହେଉଛି । ଖରାଦିନେ ଟ୍ୟାଙ୍କର ଯୋଗେ ଜଳକ୍ଲୀଷ୍ଟ ଅଂଚଳକୁ ପଞ୍ଚାୟତ ପକ୍ଷରୁ ଯେଉଁ ପାଣି ପହଁଚୁଛି, ତାହା ସମୁଦ୍ରକୁ ଶଙ୍ଖେ । କେବଳ ମଣିଷ ନୁହଁନ୍ତି, ଗୋରୁ ଗାଈ ଓ ଗୃହ ପାଳିତ ପଶୁ ପକ୍ଷୀଙ୍କ ପାଇଁ ପାଣିର ଘୋର ଅଭାବ । ପାଣି ସମସ୍ୟାକୁ ନେଇ ଶାସକ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସଫସଫା ମନା କରୁଛନ୍ତି ବହୁ ପୁରୁଷ ଓ ମହିଳା ।

Leave a Reply

Your email address will not be published. Required fields are marked *